ମେ ୧୦ରେ ଅକ୍ଷୟ ତୃତୀୟା: ଜୁଲାଇ ୧୭ରେ ରଥ ଉପରେ ସୁନାବେଶ

ଶ୍ରୀମନ୍ଦିରରେ ୨୦୨୪-୨୫ ଯାନିଯାତ୍ରା‌ ଚୂଡ଼ାନ୍ତ

ମେ ୧୦ରେ ଅକ୍ଷୟ ତୃତୀୟା: ଜୁଲାଇ ୧୭ରେ ରଥ ଉପରେ ସୁନାବେଶ

ପୁରୀ: ଶ୍ରୀମନ୍ଦିରର ପର୍ବପର୍ବାଣୀ ଓ ଯାନିଯାତ୍ରା ଚୂଡ଼ାନ୍ତ ହୋଇଛି। ଓଡ଼ିଆ ବାର୍ଷିକ କ୍ୟାଲେଣ୍ଡର ମୁତାବକ ୨୦୨୪-୨୫ ବର୍ଷର ଯାନିଯାତ୍ରାର ତାରିଖ ଚୂଡ଼ାନ୍ତ କରିଛି ଶ୍ରୀମନ୍ଦିର ପ୍ରଶାସନ। ଜୁନ୍‌ ୨୨ ତାରିଖ ଶନିବାର ଶ୍ରୀମନ୍ଦିରରେ ସ୍ନାନଯାତ୍ରା ଓ ଗଜାନନ ବେଶ ଅନୁଷ୍ଠିତ ହେବ। ଜୁଲାଇ ୭ ତାରିଖରେ ଘୋଷଯାତ୍ରା ଅନୁଷ୍ଠିତ ହେବ। ଜୁଲାଇ ୧୭ରେ ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଓ ଜୁଲାଇ ୧୯ରେ ଚତୁର୍ଦ୍ଧା ବିଗ୍ରହ ନୀଳାଦ୍ରି ବିଜେ କରିବେ। ଦେଉଳ ପୁରୋହିତ, ମୁକ୍ତିମଣ୍ଡପ ପଣ୍ଡିତ, ଶାସ୍ତ୍ରବିତ୍‌ ଓ ପଞ୍ଜିକାରଙ୍କ ସହ ଆଲୋଚନା ପରେ ଶ୍ରୀମନ୍ଦିରରେ ପର୍ବପର୍ବାଣି ପାଳନ ନେଇ ଦିନ ଧାର୍ଯ୍ୟ ହୋଇଛି।
ଏପ୍ରିଲ ୧୭ରେ ଶ୍ରୀମନ୍ଦିରରେ ଶ୍ରୀରାମ ନବମୀ ସହ ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ ହେବ। ଏପ୍ରିଲ ୧୮ରେ ସୁଦଶା ବ୍ରତ। ସେହିପରି ମେ ୧୦ ତାରିଖରେ ଶ୍ରୀମନ୍ଦିରରେ ଅକ୍ଷୟ ତୃତୀୟା ସହ ଚନ୍ଦନଯାତ୍ରା ଆରମ୍ଭ ହେବ। ମେ ୨୯ରେ ଶ୍ରୀକ୍ଷେତ୍ର ଭଉଁରି, ଜୁନ୍‌ ୧୧ରେ ଶିବବିବାହ, ୧୨ରେ ଶୀତଳ ଷଷ୍ଠୀ, ୧୫ରେ ରଜ ସଂକ୍ରାନ୍ତି, ଜୁନ୍‌ ୨୨ରେ ସ୍ନାନଯାତ୍ରା ସହ ଅନବସର ନୀତି ଆରମ୍ଭ ହେବ। ଜୁଲାଇ ୧୧ରେ ହେରା ପଞ୍ଚମୀ, ୧୪ରେ ସନ୍ଧ୍ୟା ଦର୍ଶନ, ୧୫ରେ ବାହୁଡ଼ା ଯାତ୍ରା, ୧୭ରେ ସୁନାବେଶ, ୧୮ରେ ଅଧରପଣା ଅନୁଷ୍ଠିତ ହେବ। ଅଗଷ୍ଟ ୧୪ ତାରିଖରେ ଝୁଲଣ ଯାତ୍ରା ଆରମ୍ଭ ହେବ। ଅଗଷ୍ଟ ୧୯ରେ ଶ୍ରୀବଳଭଦ୍ର ଜନ୍ମ ଓ ରାକ୍ଷୀ ଲାଗି ହେବ।

ଅଗଷ୍ଟ ୨୬ରେ ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ, ୨୭ରେ ନନ୍ଦୋତ୍ସବ, ସେପ୍ଟେମ୍ବର ୧୧ରେ ରାଧାଷ୍ଟମୀ, ୧୫ରେ ସୁନିଆଁ, ୧୭ରେ ଅନନ୍ତ ବ୍ରତ ନୀତି ହେବ। ସେପ୍ଟେମ୍ବର ୨୪ରେ ଶ୍ରୀମନ୍ଦିରରେ ସହସ୍ରାକୁମ୍ଭାଭିଷେକ ତଥା ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ ହେବ। ଅକ୍ଟୋବର ୨ରେ ଶ୍ରୀମନ୍ଦିରରେ ମହାଳୟା ଅମାବାସ୍ୟା ଏବଂ ୧୩ ତାରିଖରେ ଦଶହରା, ଅକ୍ଟୋବର ୧୭ରେ କୁମାରପୂର୍ଣ୍ଣିମା, ନଭେମ୍ବର ୧ରେ ଦୀପାବଳୀ ଅମାବାସ୍ୟା ଏବଂ ନଭେମ୍ବର ୧୫ରେ କାର୍ତ୍ତିକ ପୂର୍ଣ୍ଣିମା ଓ ରାଜାଧିରାଜ ବେଶ ଅନୁଷ୍ଠିତ ହେବ। ଡିସେମ୍ବର ୧୬ରୁ ଧନୁ ସଂକ୍ରାନ୍ତି ସହ ପହିଲି ଭୋଗ ଆରମ୍ଭ ହେବ। ୨୦୨୫ ମସିହା ଜାନୁଆରି ୯ରେ ଶାମ୍ବ ଦଶମୀ, ଫେବ୍ରୁଆରି ୧ରେ ପଦ୍ମବେଶ, ୨ରେ ରଥକାଠ ଅନୁକୂଳ ପୂଜା, ୪ରେ ମାଘ ସପ୍ତମୀ, ୨୪ରେ ପଙ୍କୋଦ୍ଧାର ଏକାଦଶୀ, ୨୬ରେ ମହାଶିବରାତ୍ରି ଅନୁଷ୍ଠିତ ହେବ। ମାର୍ଚ୍ଚ ୯ରେ ଦୋଳଯାତ୍ରା ଆରମ୍ଭ, ୧୩ରେ ମେଣ୍ଢାପୋଡ଼ି, ୧୪ରେ ଦୋଳପୂର୍ଣ୍ଣିମା ଅବସରରେ ରାଜବେଶ, ୧୫ରେ ହୋଲି ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe