ଶ୍ରୀମନ୍ଦିର ପରିସରରେ ସଂପନ୍ନ ହେବ ଶ୍ରୀଜିଉଙ୍କ ଅକ୍ଷୟ ତୃତୀୟା ନୀତିକାନ୍ତି: ଗଜପତି ମହାରାଜ

ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ନେଇ ଶଙ୍କରାଚାର୍ଯ୍ୟଙ୍କ ସହ ଗଜପତି ମହାରାଜାଙ୍କ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ଶ୍ରୀମନ୍ଦିର ପରିସରରେ ସଂପନ୍ନ ହେବ ଶ୍ରୀଜିଉଙ୍କ ଅକ୍ଷୟ ତୃତୀୟା ନୀତିକାନ୍ତି: ଗଜପତି ମହାରାଜ

ପୁରୀ: ଶ୍ରୀମନ୍ଦିରର ସମସ୍ତ ବିଧିପାଳନ କରାଯିବ କିନ୍ତୁ ତାହା ମନ୍ଦିର ଭିତରେ ସଂପନ୍ନ ହେବ। .କୋଭିଡ୍ ୧୯ ମହାମାରୀ ମୁକାବିଲା ଲାଗି  ସରକାରଙ୍କ ପକ୍ଷରୁ ଜାରି ନିୟମକୁ ପାଳନ କରାଯାଇ  ଅକ୍ଷୟ ତୃତୀୟା ନୀତିବିଧି ମନ୍ଦିର ବାହାରେ କରା ନଯାଇ ଶ୍ରୀମନ୍ଦିର ପରିସର ମଧ୍ୟରେ ଅନୁଷ୍ଠିତ ହେବ । ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ଅନୁଷ୍ଠାନ ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ସହ ଦୀର୍ଘ ଅଢ଼େଇ ଘଣ୍ଟାର ଗୁରୁତ୍ୱପୂର୍ଣ୍ଣ  ଆଲୋଚନା ପରେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ଏହି ସୂଚନା ଦେଇଛନ୍ତି ।

କୋଭିଡ୍ ୧୯ ନେଇ ଜାରି ସରକାରୀ ନିୟମ ପାଳନ କରାଯାଇ ଶ୍ରୀମନ୍ଦିର ଭିତରେ ଅକ୍ଷୟ ତୃତୀୟାର ସମସ୍ତ ନୀତିକାନ୍ତି କରାଯିବ। ଆସନ୍ତାକାଲି ଶ୍ରୀମନ୍ଦିର ପ୍ରଶାସନ ସେବାୟତମାନଙ୍କ ସହ ଆଲୋଚନା କରିବା ପରେ କାର୍ଯ୍ୟନିର୍ଘଣ୍ଟ ପ୍ରସ୍ତୁତ ହେବ। ମେ ୩ ପର୍ଯ୍ୟନ୍ତ ଲକଡାଉନ୍ ବଳବତ୍ତର ଥିବାରୁ ମନ୍ଦିର ବାହାରେ କୌଣସି ଅନୁଷ୍ଠାନ ହେବନାହିଁ। ଚନ୍ଦନ ଯାତ୍ରା ନେଇ ନୀତି ମଧ୍ୟ ମନ୍ଦିର ପରିସରରେ ହେବ। ପୁରୀରେ  ସାମ୍ବାଦିକ ସମ୍ମିଳନୀ କରି ଗଜପତି ମହାରାଜା କହିଛନ୍ତି,  ପରମପୂଜ୍ୟପାଦ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଅନୁଯାୟୀ ସରକାରଙ୍କ ନିୟମକୁ ଅନୁସରଣ କରାଯିବ କିନ୍ତୁ ତତସହିତ ଶ୍ରୀମନ୍ଦିରର ବିଧିରକ୍ଷା ମଧ୍ୟ ହେବ।

publive-image

ଗଜପତି ମହାରାଜା କହିଛନ୍ତି, ସରକାରଙ୍କ କୋଭିଡ-୧୯ ଗାଇଡଲାଇନ ନେଇ ଆଲୋଚନା ହୋଇଛି । ବୈଠକରେ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ନେଇ ବିସ୍ତୃତ ଆଲୋଚନା ହୋଇଛି । ଆଗାମୀ ଜୁନ ମାସରେ ଶ୍ରୀଜିଉଙ୍କ ରଥଯାତ୍ରା ଓ ସ୍ନାନଯାତ୍ରା ଅନୁଷ୍ଠିତ ହେବ । ଏବେ ସମୟ ଥିବାରୁ, ଆମକୁ ଅପେକ୍ଷା କରିବାକୁ ପଡ଼ିବ । ଆସନ୍ତା ୨୬ ତାରିଖରେ ଅକ୍ଷୟ ତୃତୀୟା କିଭଳି ପାଳନ କରାଯିବ ସେ ନେଇ ଗୁରୁଜୀ ପରାମର୍ଶ ଦେଇଛନ୍ତି । ମନ୍ଦିର ଭିତରେ ମହାପ୍ରଭୁଙ୍କ ସମସ୍ତ ବିଧି ସଂପନ୍ନ କରିବାକୁ ଗୁରୁଜୀ ପରାମର୍ଶ ଦେଇଛନ୍ତି । ଶ୍ରୀମନ୍ଦିର ଭିତରେ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ବିଧି କିଭଳି ପାଳନ ହେବ, କାଲି (ଶନିବାର) ସକାଳେ ଆଲୋଚନା ହୋଇ ନିର୍ଦ୍ଧାରଣ କରାଯିବ  । ଗଜପତି ମହରାଜା କହିଛନ୍ତି, ମେଘନାଦ ପାଚେରୀ ଭିତରେ ସମସ୍ତ ବିଧି ପାଳନ କରିବା ପାଇଁ ନିଷ୍ପତ୍ତି ହୋଇଛି । ଜଗତଗୁରୁ ଶଙ୍କରାଚାର୍ଯ୍ୟ ବିଧି ରକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି ।

ଗୋବର୍ଦ୍ଧନ ପୀଠରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର, ଜିଲ୍ଲାପାଳ ବଲୱନ୍ତ ସିଂହ, ଏସପି ଉମାକାନ୍ତ ଦାଶ, ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟଯୋଶୀ, ପରିଚାଳନା କମିଟିର ସଦସ୍ୟ ସିଧେଶ୍ୱର ମହାପାତ୍ର, ତଳୁଛ ନୀଳକଣ୍ଠ ମହାପାତ୍ର ଓ ପରିଚାଳନା କମିଟିର ଅନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe