ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ : କଟକଣା ଯୋଗୁଁ ଆସିଲେନି ଶ୍ରଦ୍ଧାଳୁ, ୧୪୪ ଧାରା ଜାରି, ଗଣମାଧ୍ୟମକୁ ବି ମନା

ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ : କଟକଣା ଯୋଗୁଁ ଆସିଲେନି ଶ୍ରଦ୍ଧାଳୁ, ୧୪୪ ଧାରା ଜାରି, ଗଣମାଧ୍ୟମକୁ ବି ମନା

ବ୍ରହ୍ମଗିରି : ପବିତ୍ର ସ୍ନାନ ପୂର୍ଣ୍ଣିମାରେ ଚତୁର୍ଦ୍ଧାମୂର୍ତ୍ତି ଅଣସର ପିଣ୍ତିକୁ ବିଜେ କରିବା ପରେ ଆଜି ବ୍ରହ୍ମଗିରିସ୍ଥିତ ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ ହୋଇଛି। ଶ୍ରଦ୍ଧାଳୁଙ୍କ ବିନା କେବଳ ଶ୍ରୀଜିଉଙ୍କ ନୀତିକାନ୍ତି ହୋଇଛି। କରୋନା କଟକଣା ଯୋଗୁ ଗତକାଲି ରାତିରୁ ପ୍ରଶାସନ ମନ୍ଦିର ଚାରିପଟ ଓ ଭିତରେ ୧୪୪ ଧାରା ଜାରି କରିବା ସହ ପ୍ରବେଶ ପଥକୁ ସିଲ୍‌ କରିଦେଇଛି। ସିଂହଦ୍ବାର, ଆନନ୍ଦ ବଜାର, ଲକ୍ଷ୍ମୀଙ୍କ ମନ୍ଦିର ରାସ୍ତା, ଅଲାରପୁର ଗାଁ ରାସ୍ତା, ବ୍ରହ୍ମଗୌଡ଼ିୟ ମଠ ରାସ୍ତାକୁ ସିଲ୍‌ କରାଯାଇଛି। ସିଂହଦ୍ବାରଠାରୁ ୨ଶହ ମିଟର ଦୂରରେ ବ୍ୟାରିକେଡ୍‌ ପକାଇ ରାସ୍ତା ସିଲ୍‌ କରିଛି ପ୍ରଶାସନ। ସେହିପରି ମନ୍ଦିର ଚାରିପଟେ ବ୍ୟାରିକେଡ୍‌ ଲଗାଇ ସିଲ୍‌ କରାଯିବା ସହ ପୁଲିସ ମୁତୟନ କରାଯାଇଛି।

publive-image Kalinga TV

ଆଜି ଭୋର ଚାରିଟାରେ ଦ୍ବାର ଫିଟା ଯିବା ପରେ ମଙ୍ଗଳ ଆଳତି, ଅବକାଶ, ବେଶ, ଚନ୍ଦନ ତୁଳସୀ ଲାଗି, ଦ୍ବାରପାଳ ପୂଜା ନୀତି ବଢ଼ି ସକାଳ ୬ଟା ସୁଦ୍ଧା ବଲ୍ଲଭ ଉଠିଥିଲା। ମଧ୍ୟ୍ୟାହ୍ନ ୧୨ଟାରେ ସକାଳ ଧୂପ, ଗୋଟାଏରେ ଦ୍ବିପ୍ରହର ଧୂପ ନୀତି ବଢ଼ି ଅପରାହ୍ନ ୨ଟାରେ ପହଡ଼ ବଢ଼ିଥିଲା। ଅପରାହ୍ନ ୩ଟାରେ ପହଡ଼ ଖୋଲା ଯାଇଥିଲା। ସନ୍ଧ୍ୟାରେ ସନ୍ଧ୍ୟା ଆଳତି, ମଇଲମ ନୀତି ବଢ଼ି ସନ୍ଧ୍ୟା ଧୂପ ବଢ଼ିଛି। ରାତି ୯ଟାରେ ବଡ଼ସିଂହାର ଧୂପ ବଢ଼ି ଶ୍ରୀଜିଉଙ୍କ ପହଡ଼ ହୋଇଛି। ପ୍ରଶାସନର କଟକଣା ଯୋଗୁଁ ଆଜି ଜଣେ ବି ଶ୍ରଦ୍ଧାଳୁ ମନ୍ଦିରକୁ ଆସି ନଥିଲେ। ମନ୍ଦିରକୁ ଲାଗିଥିବା ଗାଁଗୁଡ଼ିକରୁ ନିୟମିତ ଆସୁଥିବା କିଛି ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ଯାଇପାରି ନଥିଲେ। ବ୍ୟାରିକେଡ୍ ପାଖରେ ଅମୁଣିହା ଓ ତୁଳସୀ ଦେଇ ଫେରିଥିଲେ। ଶ୍ରୀଜିଉଙ୍କ ୧୫ ଦିନ ଅଣସରରେ ତୁଳସୀ ସେବା କରୁଥିବା ତୁଳସୀ ବାବା ମଧ୍ୟ ଶ୍ରୀଜିଉଙ୍କ ଦର୍ଶନ କରି ନ ପାରି ବ୍ୟାରିକେଡ୍ ପାଖରେ ସେବାୟତଙ୍କୁ ତୁଳସୀ ଦେଇ ଫେରିଥିଲେ। ଏମିତିକି ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ବ୍ୟାରିକେଡ୍‌ ବାହାରେ ରହିଥିଲେ। ଶ୍ରୀଜିଉଙ୍କ ଅଣସର ଦର୍ଶନ ପାଇଁ ପ୍ରତି ବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥାଏ। ଏହା ସହିତ ଶ୍ରୀଜିଉଙ୍କ ପ୍ରସିଦ୍ଧ ଖିରି ପ୍ରସାଦ ପାଇଁ ଶ୍ରଦ୍ଧାଳୁ ବ୍ୟାକୁଳ ହୋଇଥାନ୍ତି। ମାତ୍ର ଚଳିତ ବର୍ଷ ପ୍ରଥମ କରି ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ କରିପାରି ନାହାନ୍ତି। ଯାହାକି ଇତିହାସରେ ପ୍ରଥମ ଘଟଣା ବୋଲି ସେବାୟତମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe