ଫନି ଭାଙ୍ଗିଦେଲା ଅଲାରନାଥଙ୍କ ଡଙ୍ଗା : ଚାପ ଖେଳ ବନ୍ଦ, ଭାଙ୍ଗିଲା ପରମ୍ପରା, ମନ୍ଦିର ବି ଫାଟିଛି

Advertisment
ଫନି ଭାଙ୍ଗିଦେଲା ଅଲାରନାଥଙ୍କ ଡଙ୍ଗା : ଚାପ ଖେଳ ବନ୍ଦ, ଭାଙ୍ଗିଲା ପରମ୍ପରା, ମନ୍ଦିର ବି ଫାଟିଛି

ପୁରୀ/ବ୍ରହ୍ମଗିରି : ସାମୁଦ୍ରିକ ଝଡ଼ ‘ଫନି’ ଭାଙ୍ଗିଦେଇଛି ଶ୍ରୀଅଲାରନାଥଙ୍କ ଚାପ ଡଙ୍ଗା। ଡଙ୍ଗା ଭାଙ୍ଗିଯିବାରୁ ଶ୍ରୀବିଗ୍ରହଙ୍କ ଚାପ ଖେଳ ବନ୍ଦ ହୋଇଯାଇଛି। ଭାଙ୍ଗିଗଲା ଶହଶହ ବର୍ଷର ପରମ୍ପରା। ବାତ୍ୟାରେ କ୍ଷତିଗ୍ରସ୍ତ ଚାପଡଙ୍ଗା ମରାମତି କରାନଯିବାରୁ ଭକ୍ତ ମହଲରେ ଅସନ୍ତୋଷ ଦେଖାଦେଇଛି।

ପରମ୍ପରା ମୁତାବକ ଅକ୍ଷୟ ତୃତୀୟାଠାରୁ ଶ୍ରୀଅଲାରନାଥଙ୍କର ଚାପ ଖେଳ ହୋଇଥାଏ। ପ୍ରତି ବର୍ଷ ଚାପ ଖେଳ ପୂର୍ବରୁ ଠାକୁରଙ୍କ ଚାପଡଙ୍ଗାକୁ ମରାମତି କରାଯାଇଥାଏ। ଏଥର ମଧ୍ୟ ଚାପ ପ୍ରସ୍ତୁତ ହୋଇଥିଲା। ହେଲେ ଚାପ ଉପରେ ପଡ଼ିଲା ‘ଫନି’ର ପ୍ରହାର। ପବନ ମାଡ଼ରେ ଚାପଡଙ୍ଗା ଭାଙ୍ଗି ଯିବାରୁ ଠାକୁରଙ୍କର ଚାପ ଖେଳ ବନ୍ଦ ହୋଇଗଲା। ତେବେ ୩ ତାରିଖ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଚାପକୁ ମନ୍ଦିର ଟ୍ରଷ୍ଟ ବୋର୍ଡ ୭ ତାରିଖ ମଧ୍ୟରେ ମରାମତି କରିପାରିଲା ନାହିଁ। ଫଳରେ ବର୍ଷବର୍ଷର ଚାପ ଖେଳ ପରମ୍ପରା ଭାଙ୍ଗିଗଲା। ଏହାକୁ ନେଇ ଭକ୍ତ ଓ ସ୍ଥାନୀୟ ଲୋକଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଲୋକଙ୍କ ପ୍ରତିକ୍ରିୟା ପରେ ଏବେ ଠାକୁରଙ୍କ ଚାପଡଙ୍ଗା ମରାମତି କରାଯାଉଥିବା ବେଳେ କେବଳ ବିଧି ରକ୍ଷା ପାଇଁ ଚାପ ଖେଳ ହେବ ବୋଲି ଜଣାପଡ଼ିଛି।

ଖାଲି ସେତିକି ନୁହେଁ, ବାତ୍ୟା ପ୍ରଭାବରେ ଅଲାରନାଥ ମନ୍ଦିର ବି କ୍ଷତିଗ୍ରସ୍ତ ହୋଇଛି। ମନ୍ଦିରରେ ଫାଟ ସୃଷ୍ଟି ହେବା ସହ ପ୍ଲାଷ୍ଟର ଖସାଇ ଦେଇଛି। ନାଟମଣ୍ଡପ ମଧ୍ୟ ଫାଟିଛି। କଳାହାଟ ଦ୍ବାର ନିକଟରେ ପାଣି ଗଳୁଛି। ମରାମତି ପାଇଁ ଆଜି ପର୍ଯ୍ୟନ୍ତ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ କର୍ମଚାରୀଙ୍କର ଦେଖା ନାହିଁ। ଆଗକୁ ଅଣସର ଯାତ୍ରା। ତା’ ପୂର୍ବରୁ ଅଲାରନାଥ ମନ୍ଦିର ମରାମତି କରାଯିବାକୁ ଦାବି ଜୋର୍‌ ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe