ଆଲବମ୍‌ ଅଭିନେତ୍ରୀ ରୁକ୍‌ସାନା ବାନୋଙ୍କ ପରଲୋକ

Advertisment

ଭବାନୀପାଟଣା ନିବାସୀ ସମ୍ବଲପୁରୀ ଆଲବମ୍‌ ଅଭିନେତ୍ରୀ ତଥା ରିଲ୍‌ସ କୁଇନ୍ ଭାବେ ଚର୍ଚ୍ଚିତ ରୁକ୍‌ସାନା ବାନୋ (୨୭)ଙ୍କର ଗୁରୁବାର ଭୁବନେଶ୍ବର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

ଭବାନୀପାଟଣା ନିବାସୀ ସମ୍ବଲପୁରୀ ଆଲବମ୍‌ ଅଭିନେତ୍ରୀ ତଥା ରିଲ୍‌ସ କୁଇନ୍ ଭାବେ ଚର୍ଚ୍ଚିତ ରୁକ୍‌ସାନା ବାନୋ (୨୭)ଙ୍କର ଗୁରୁବାର ଭୁବନେଶ୍ବର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

gjdgjdgjy

ଭବାନୀପାଟଣା: ଭବାନୀପାଟଣା ନିବାସୀ ସମ୍ବଲପୁରୀ ଆଲବମ୍‌ ଅଭିନେତ୍ରୀ ତଥା ରିଲ୍‌ସ କୁଇନ୍ ଭାବେ ଚର୍ଚ୍ଚିତ ରୁକ୍‌ସାନା ବାନୋ (୨୭)ଙ୍କର ଗୁରୁବାର ଭୁବନେଶ୍ବର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ତାଙ୍କ ବିୟୋଗରେ କଳା ଜଗତରେ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ବିଭିନ୍ନ ଅଞ୍ଚଳର କଳାକାର ଗଭୀର ଶୋକ ପ୍ରକାଶ କରିଛନ୍ତି। ଅସୂୟା ମନୋଭାବ ନେଇ ରୁକ୍‌ସାନାଙ୍କୁ ଫଳରସରେ ବିଷ ଦେଇ ହତ୍ୟା କରାଯାଇଥିବା ଅଭିଯୋଗ ହେବାରୁ ଏହି ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ଅପରପକ୍ଷରେ ତାଙ୍କୁ ଚିକିତ୍ସା କରିଥିବା ଡାକ୍ତରଙ୍କ କହିବାନୁସାରେ ସେ ସ୍କ୍ରବ୍‌ ଟାଇଫସ୍‌ରେ ଆକ୍ରାନ୍ତ ହୋଇଥିଲେ। 

ପ୍ରକାଶ ଯେ, ଗତ କିଛି ଦିନ ତଳେ ଏକ ସମ୍ବଲପୁରୀ ଆଲବମ୍‌ ସୁଟିଂ କରିବାକୁ ରୁକ୍‌ସାନା ବଲାଙ୍ଗୀର ଯାଇଥିଲେ। ସେଠାରେ ଫଳରସ ପିଇବା ପରେ ସେ ଅସୁସ୍ଥ ଅନୁଭବ କରିଥିଲେ। ଗତ ଅଗଷ୍ଟ ୨୭ ତାରିଖରେ ତାଙ୍କୁ ପ୍ରଥମେ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନା ଓ ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ପରେ ସେଠାରୁ ବରଗଡ଼ର ଏକ ଘରୋଇ ନର୍ସିଂହୋମକୁ ସ୍ଥାନାନ୍ତର କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବା ପରେ ଭୁବନେଶ୍ବର ଏମ୍‌ସକୁ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ରୁକ୍‌ସାନାଙ୍କ ମୃତ୍ୟୁ ପଛରେ ବଲାଙ୍ଗୀର କଣ୍ଠଶିଳ୍ପୀ ରୁକୁ ସୁନାଙ୍କ ସଂପୃକ୍ତି ଥିବା ଏବଂ ଜୁସ୍‌ରେ ସ୍ଲୋ’ ପଏଜନ (ବିଷ) ଦେବାରୁ ତାଙ୍କର ମୃତ୍ୟୁ ହୋଇଥିବା ରୁକ୍‌ସାନାଙ୍କ ମା’ ଓ ବଡ଼ ଭଉଣୀ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଏହା ଏକ ସୁପରିକଳ୍ପିତ ଷଡ଼୍‌ଯନ୍ତ୍ର ବୋଲି ଅଭିଯୋଗ କରିବା ସହିତ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ପରିବାର ଲୋକେ ଦାବି କରିଛନ୍ତି। ରୁକୁ ସୁନା ଏହାକୁ ଖଣ୍ଡନ କରିବା ସହିତ ରୁକ୍‌ସାନା ବାନୋଙ୍କ ମା’ଙ୍କ ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି। ପୂର୍ବରୁ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ମୋତେ ବଦନାମ କରିବା ପାଇଁ ଏଭଳି ଷଡ଼୍‌ଯନ୍ତ୍ର ହୋଇଛି। ଜୁସ୍‌ରେ ବିଷ ଦିଆଯାଇଥିବା ଅଭିଯୋଗର ତଦନ୍ତ କରାଯାଉ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ରୁକ୍‌ସାନାଙ୍କ ବାପାଙ୍କ ୨୪ବର୍ଷ ଆଗରୁ ଦେହାନ୍ତ ହୋଇ ଯାଇଥିଲା। ବାପାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣି ରୁକ୍‌ସାନା ତଦନ୍ତ ଦାବିରେ ବିଭିନ୍ନ ସମୟରେ ଧାରଣା ଦେଇଥିଲେ। ଏପରିକି ନୂଆଦିଲ୍ଲୀଠାରେ ମଧ୍ୟ ଧାରଣା ଦେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ସେ ବିଭିନ୍ନ ସମ୍ବଲପୁରୀ ଆଲବମ୍‌ରେ ଗୀତ ଗାଇବା ସହିତ ଅଭିନୟ କରି ଚର୍ଚ୍ଚାରେ ରହିଥିଲେ। ୟୁ ଟ୍ୟୁବ୍‌ ରିଲ୍‌ସରେ ତାଙ୍କର ବହୁ ପ୍ରଶଂସକ ଥିବାବେଳେ ଲୋକେ ତାଙ୍କୁ ରିଲ୍‌ସ କୁଇନ ଭାବରେ ଜାଣିଥିଲେ। ‘ସମ୍ବଲପୁରିଆ ଫୁଲ’ ଆଲବମ୍‌କୁ ନେଇ ସେ ଚର୍ଚ୍ଚିତ ଥିଲେ ଏବଂ ଖୁବ୍ ପ୍ରଶଂସା ଗୋଟାଇଥିଲେ। ଏହାବ୍ୟତୀତ ତାଙ୍କର ଆଉ ଦୁଇଟି ଆଲବମ୍‌ର ସୁଟିଂ ସରିଥିଲା, ଯାହା ଏବେ ରିଲିଜ୍ ଅପେକ୍ଷାରେ ରହିଛି। 

ସ୍କ୍ରବ୍‌ ଟାଇଫସ୍‌ ପଜିଟିଭ୍‌ ଥିଲା: ଡାକ୍ତର
ବରଗଡ଼: ରୁକସାନା ବାନୋଙ୍କ ମୃତ୍ୟୁକୁ ନେଇ ନାନା ଚର୍ଚ୍ଚା ଚାଲିଥିବାବେଳେ ବରଗଡ଼ସ୍ଥିତ ବିକାଶ ହସ୍‌ପିଟାଲରେ ତାଙ୍କର ଚିକିତ୍ସା କରିଥିବା ଡା.ସନ୍ତୋଷ ଟେଟେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ୩୧ ଅଗଷ୍ଟରେ ରୁକସାନା ବରଗଡ଼ ବିକାଶ ଡାକ୍ତରଖାନାକୁ ଆସିଥିଲେ। ଜ୍ୱର ଓ ନିଃଶ୍ୱାସ ପ୍ରଶ୍ୱାସରେ ସମସ୍ୟା ରହିଥିଲା। ପରୀକ୍ଷା ପରେ ତାଙ୍କର ସ୍କ୍ରବ୍‌ ଟାଇଫସ୍‌ ପଜିଟିଭ୍‌, ନିମୋନିଆ ସହିତ ମଲ୍‌ଟି ଅରଗାନ୍‌ ସମସ୍ୟା ଥିବା ଜଣାପଡ଼ିଥିଲା। ସେପ୍ଟେମ୍ବର ୩ରୁ ୧୦ ଦିନ ଯାଏ ସେ ଭେଣ୍ଟିଲେଟର୍‌ରେ ରହିଥିଲେ। ଗତକାଲି ତାଙ୍କ ପରିବାରବର୍ଗ ନିଜ ଇଚ୍ଛାନୁସାରେ ଉଚ୍ଚ ଚିକିତ୍ସା ପାଇଁ ନେଇଥିଲେ ବୋଲି ଡାକ୍ତର ଶ୍ରୀ ଟେଟେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe