ସତର୍କ ରୁହନ୍ତୁ, ଆତଙ୍କିତ ହୁଅନ୍ତୁ ନାହିଁ, ବାତ୍ୟା ହବ କି ନାହିଁ ବର୍ତ୍ତମାନ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ: ଏସ୍‌ଆରସି

Advertisment
ସତର୍କ ରୁହନ୍ତୁ, ଆତଙ୍କିତ ହୁଅନ୍ତୁ ନାହିଁ, ବାତ୍ୟା ହବ କି ନାହିଁ ବର୍ତ୍ତମାନ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ: ଏସ୍‌ଆରସି

ଭୁବନେଶ୍ବର: ଦକ୍ଷିଣ ଅଣ୍ଡାମାନ ସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ମେ’ ୬ ତାରିଖ ଅପରାହ୍ନରେ ଏହା ଅବପାତର ରୂପ ନେଇପାରେ। ବାତ୍ୟା ହେବ କି ନାହିଁ ସେ ନେଇ ଆସନ୍ତାକାଲି ସନ୍ଧ୍ୟାରେ ଭାରତୀୟ ପାଣିପାଗ ବିଭାଗ ପାଖରୁ ଅଧିକ ତଥ୍ୟ ଆସିବ। ତା ପରେ ବାତ୍ୟା ନେଇ ସ୍ପଷ୍ଟତା ଆସିବ ବୋଲି ସ୍ବତନ୍ତ୍ର ରିଲିଫ୍‌ କମିସନର ପ୍ରଦୀପ କୁମାର ଜେନା କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜେନା କହିଛନ୍ତି ଯେ, ବାତ୍ୟା ପାଇଁ ଲୋକେ ସତର୍କ ରୁହନ୍ତୁ। ଯଦି ବାତ୍ୟା ହୁଏ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ସମ୍ଭାବ୍ୟ ବାତ୍ୟା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

ଏସ୍‌ଆରସି ଶ୍ରୀ ଜେନା କହିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟା ନେଇ ଆତଙ୍କିତ ହୁଅନ୍ତୁ ନାହିଁ। ବଜାରରୁ ଅଯଥାରେ ଅଧିକ ସାମଗ୍ରୀ କିଣନ୍ତୁ ନାହିଁ। ଯଦି ବାତ୍ୟା ହେବ, ଏହା ଗ୍ରୀଷ୍ମକାଳୀନ ବାତ୍ୟା ହେବ। ବାତ୍ୟା ଯୋଗୁଁ ବନ୍ୟା ପରିସ୍ଥିତି ଦେଖାଯିବ ନାହିଁ।

ଶ୍ରୀ ଜେନା କହିଛନ୍ତି ଯେ, ୧୮ ଜିଲ୍ଲାକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି।ଆମ ରାଜ୍ୟରେ ଏବେ ୧୭ଟି ଏନଡିଆରଏଫ ଟିମ, ୨୦ଟି ଓଡ୍ରାଫ୍ଟ ଟିମ ଓ ୧୭୫ ଫାୟାର ସର୍ଭିସ ଟିମ ଅଛି, ଯାହାକୁ ଦରକାର ପଡ଼ିଲେ ମୁତୟନ କରାଯିବ। ଶକ୍ତି ବିଭାଗ ପକ୍ଷରୁ ବିଦ୍ୟୁତ ବିତରକ କଂପାନିଗୁଡ଼ିକୁ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି। ଆସନ୍ତାକାଲି ଟେଲିକମ ସଂସ୍ଥାଗୁଡିକ ସହ କଥା ହେବୁ। ଏବେ ୟ ସପ୍ଲାଏ ଚେନ ଠିକ ଅଛି। କାଲି ସନ୍ଧ୍ୟାରେ ପୁଣି ପ୍ରେସ ବ୍ରିଫିଙ୍ଗ କରିବୁ।

ଉଲ୍ଲେଖଯୋଗ୍ୟ, ସମ୍ଭାବ୍ୟ ବାତ୍ୟା ନେଇ ସ୍ବତନ୍ତ୍ର ରିଲିଫ୍ କମିସନର୍ ୧୮ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି। ଏଥିରେ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ନୟାଗଡ଼, କଟକ, ମୟୂରଭଞ୍ଜ, କେଉଁଝର, ଢେଙ୍କାନାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଓ କନ୍ଧମାଳର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏସବୁ ଜିଲ୍ଲାରେ ୨୪ ଘଣ୍ଟିଆ ଜରୁରୀ ଅପରେସନ୍ ଅଫିସ୍ ଓ କଣ୍ଟ୍ରୋଲ୍ ରୁମ୍ ଖୋଲା ରଖିବାକୁ କୁହାଯାଇଛି ଅସୁରକ୍ଷିତ ସ୍ଥାନରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଲାଗି ବି ଏହି ଚିଠିରେ ନିର୍ଦ୍ଦେଶ ରହିଛି। ନିରାପଦ ସ୍କୁଲରେ ଲୋକଙ୍କୁ ରଖିବା ଲାଗି ପରାମର୍ଶ ଦିଆଯାଇଛି। ସମସ୍ତ ବାତ୍ୟା ଓ ବନ୍ୟା ଆଶୟସ୍ଥଳୀଗୁଡ଼ିକୁ ତନଖି କରିବା ଲାଗି ବିଡିଓ ଏବଂ ତହସିଲଦାରମାନଙ୍କୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe