hindustan times
ବାଲେଶ୍ବର: ବାତ୍ୟା ଜୱାଦ୍ ଏବେ ସମୁଦ୍ର ଭିତରେ ରହିଛି। ଅଧିକ ଶକ୍ତିଶାଳୀ ହେଉଛି। କିଛି ସମୟ ପରେ ଊପକୂଳ ଛୁଇଁବ। ଶନିବାର ଓ ରବିବାର ପ୍ରବଳ ବର୍ଷିବ ବୋଲି ପାଣିପାଗ ବିଭାଗ କହିଛି। ଏଥି ସହ ୯୦ରୁ ୧୦୦ କିମି ପବନ ବହିବ। ଏହାକୁ ଦୃଷ୍ଟିରେ ରଖି ଜୱାଦ୍ର ମୁକାବିଲା କରିବାକୁ ବାଲେଶ୍ବର ଜିଲ୍ଲା ପ୍ରଶାସନ ନିଜକୁ ତୟାର କରିସାରିଛି। ସବୁ ବିଭାଗକୁ ସଜାଗ ରହିବାକୁ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାରଠାରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ବିପଦପୂର୍ଣ୍ଣ ସ୍ଥାନରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି।
ବାଲେଶ୍ବର ଜିଲ୍ଲାରେ ବାତ୍ୟାର ପ୍ରଭାବ ଅଧିକ ରହିବନି ବୋଲି କୁହାଯାଉଛି। ତଥାପି ଜିରୋ କାଜୁଆଲିଟି ଲକ୍ଷ୍ୟରେ ପ୍ରଶାସନ ନିଜକୁ ସଜାଗ ରଖିଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ସମସ୍ତ ବ୍ଲକ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି। ବାତ୍ୟା ପ୍ରବଣ ସମୁଦ୍ରକୂଳିଆ କିଛି ଗାଁର ଗ୍ରାମବାସୀଙ୍କୁ ବାତ୍ୟା ଆଶ୍ରୟସ୍ଥଳରେ ରଖାଯାଇଛି। ଓଡ୍ରାଫ୍ ଟିମକୁ ସମୁଦ୍ରକୂଳିଆ ଅଞ୍ଚଳକୁ ପଠାଯାଇଛି। ସ୍ଥାନୀୟ ଅଗ୍ନିଶମ ବାହିନୀଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଡିଓ ଓ ତହସିଲଦାରମାନେ ବୁଲି ତଦାରଖ କରୁଛନ୍ତି। ଜିଲ୍ଲା ୟେଲୋ ୱାର୍ଣ୍ଣିଂ ମଧ୍ୟରେ ରହିଥିବାରୁ ବାତ୍ୟା ପ୍ରଭାବରେ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି।
ଏହାକୁ ନେଇ ଜିଲ୍ଲାବାସୀ ଭୟଭୀତ ହୋଇପଡ଼ିଛନ୍ତି। ବେଶୀ ଆତଙ୍କିତ ହୋଇପଡିଛନ୍ତି ଚାଷୀ। ଧାନ ଓ ଅଣଧାନ ଅମଳ ପୂର୍ବରୁ ବର୍ଷା ହେଲେ ସବୁ ଫସଲ ଉଜୁଡି ଯିବ ବୋଲି କହିଛନ୍ତି ସିମୁଳିଆ ଅଞ୍ଚଳର ଚାଷୀ ଦିବାକର ରଣା। ଅନରୂପ ଭାବେ ଔପଦା ଅଞ୍ଚଳର ଚାଷୀ ମନମୋହନ ଜେନା ଏହା କହିଛନ୍ତି। ଗତ ମେ ମାସରେ ହେଲା ୟାସ୍ ବାତ୍ୟା। ତାପରେ ହେଲା ବନ୍ୟା। ଆଉ ଶେଷରେ ନିଅଣ୍ଟିଆ ବର୍ଷା। ଏଥି ଯୋଗୁ ଚଳିତ ବର୍ଷ ଜିଲ୍ଲାରେ ବିଳମ୍ବରେ ଧାନ ଓ ଅଣଧାନ ଚାଷ କାମ ହୋଇଥିଲା।
ଧାନ ପାଚିଲା ବେଳକୁ ଚକଡା ପୋକ ଦାଉ ସାଜିଥିଲା। ଯାହା ହେଉ ବିଳମ୍ବରେ ହେଲେ ବି ଧାନ ଫସଲ ଭଲ ହୋଇଥିଲା। ଧାନ ପାଚିଲା ପରେ ବହୁ ଚାଷୀ ଅମଳ କରି ଘରକୁ ନେଇଥିବା ବେଳେ ଅଧିକାଂଶ ଚାଷୀଙ୍କ ପାଚିଲା ଧାନ ଏବେ ବି ବିଲରେ ପଡିଛି। ବାତ୍ୟା ଆସିବା ଖବର ଶୁଣି ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି। କିଏ ତରବରିଆ ଭାବେ ଧାନ କାଟିବାରେ ବ୍ୟସ୍ତ ତ ଆଉ କିଏ ଖଳାରେ ଗଦା ହୋଇଥିବା ପଡିଥିବା ଅମଳ ଧାନ ଉପରେ ପଲିଥିନ୍ ପକାଇ ସୁରକ୍ଷିତ ରଖିବାକୁ ଉଦ୍ୟମ ଚଳାଇଛନ୍ତି।
Follow Us