Medscape Reference
ଭୁବନେଶ୍ବର : ଖୋର୍ଧାରୁ ଚିହ୍ନଟ ହୋଇଛି ‘ଆଲକାଲାଇନ ସଏଲ’ ଫଙ୍ଗସ ସଂକ୍ରମିତ ବିଶ୍ବର ପ୍ରଥମ ବ୍ୟକ୍ତି। ଏମ୍ସ ଭୁବନେଶ୍ବର ଡାକ୍ତରୀ ଦଳଙ୍କ ଚିକିତ୍ସା ପରେ ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି। ସମୁଦ୍ର କୂଳରେ ଦେଖାଯାଉଥିବା ଘାସ ହେଲୋଫାଇଟରେ ଏହି ଫଙ୍ଗସ ଦେଖାଯାଏ। ପ୍ରଥମ ଥର ପାଇଁ ଏହି ଫଙ୍ଗସର ଭୟାବହତା ଜଣାପଡ଼ିଛି। ପୀଡ଼ିତ ବ୍ୟକ୍ତି ଛୋଟ ବେଳେ ଫଙ୍ଗସର ସଂସ୍ପର୍ଶରେ ଆସିଥିବା ଅନୁମାନ କରାଯାଉଛି। ମାଇକ୍ରୋ ବାୟୋଲୋଜି ବିଭାଗର ଅତିରିକ୍ତ ପ୍ରଫେସର ବିନୟ ହାଲୁରଙ୍କ ସୂଚନା ଅନୁସାରେ, ଖୋର୍ଧାର ଏହି ୪୦ ବର୍ଷୀୟ ବ୍ୟକ୍ତିଙ୍କ ବେକର ଡାହାଣ ପଟରେ ୧୦ ବର୍ଷରୁ ଉର୍ଧ୍ବ ସମୟ ହେଲା ଫୁଲା ରହିଥିଲା। ଏଥିଯୋଗୁଁ ତାଙ୍କୁ କୌଣସି କଷ୍ଟ ହେଉନଥିଲେ ମଧ୍ୟ ଅନେକ ଡାକ୍ତରଖାନାରେ ଚିକିତ୍ସା କରାଇଛନ୍ତି।
ଯକ୍ଷ୍ମାର ଲକ୍ଷଣ ସହିତ ଏହା ସମାନ ଥିବାରୁ ବିଭିନ୍ନ ସ୍ଥାନରେ ଯକ୍ଷ୍ମା ରୋଗ ଭାବରେ ଚିକିତ୍ସା କରାଯାଉଥିଲା। କିନ୍ତୁ ଯୁବକ ଜଣକ ସୁସ୍ଥ ହେଉନଥିଲେ। କିଛି ଦିନ ପାଇଁ ଫୁଲା ଭଲ ହୋଇ ପୁଣି ୩ରୁ୬ ମାସ ମଧ୍ୟରେ ସେହିଭଳି ଦେଖାଯାଉଥିଲା। ପ୍ରାୟ ଏକ ବର୍ଷ ପୂର୍ବରୁ ଏହି ସମସ୍ୟା ନେଇ ଏମ୍ସ ମେଡିସିନ ବିଭାଗ ଡାକ୍ତର ଅନୁପମ ଦେଙ୍କ ତତ୍ବାବଧାନକୁ ଆସିଥିଲେ। ରୋଗୀଙ୍କୁ ଜ୍ବର ହେଉନଥିଲା କିମ୍ବା ଓଜନ ମଧ୍ୟ ହ୍ରାସ ହେଉନଥିଲା। ତେଣୁ ଅନ୍ୟ କୌଣସି କାରଣରୁ ଏହି ସମସ୍ୟା ସୃଷ୍ଟି ହେଉଥିବା ଆଶଙ୍କା କରି ମାଇକ୍ରୋବାୟୋଲୋଜି ଏବଂ ପାଥୋଲୋଜି ବିଭାଗ ପକ୍ଷରୁ ପୃଥକ ଭାବରେ ତାଙ୍କର ପରୀକ୍ଷଣ କରାଗଲା। ଫଙ୍ଗସ ପ୍ରଭାବରେ ଏଭଳି ହେଉଥିବା ଜଣାପଡ଼ିଥିଲା। ଆବଶ୍ୟକ ଔଷଧ ଦିଆଯିବା ପରେ ୩ ମାସ ମଧ୍ୟରେ ବେକର ଫୁଲା ଉଭେଇ ଯାଇଥିଲା। ପ୍ରାୟ ୯ ମାସ ହେଲା ରୋଗୀ ଜଣକ ଠିକ ଥିବା ଡାକ୍ତର ହାଲୁର କହିଛନ୍ତି। ମେଡିସିନ ବିଭାଗ ଏଚଓଡି ଡାକ୍ତର ଅନୁପମ ଦେ, ମାଇକ୍ରୋବାୟୋଲୋଜି ବିଭାଗ ଡାକ୍ତର ହାଲୁର, ରୁମିତା ଦେ, ପାଥୋଲୋଜି ବିଭାଗ ଡାକ୍ତର ମୁକୁନ୍ଦ ସାବଲେ ପ୍ରମୁଖ ଏହି ଟିମ୍ରେ ରହିଛନ୍ତି। ଏଥିପୂର୍ବରୁ ରୁଷିଆରେ ମଧ୍ୟ ଏହି ଫଙ୍ଗସ ଚିହ୍ନଟ ହୋଇଛି।
Follow Us