ପାହାଡ଼ର ଛାତି ଚିରି ଉତ୍ତରକାଶୀ ସୁଡ଼ଙ୍ଗ ଭିତରୁ ବାହାରିଲେ ସମସ୍ତ ଓଡ଼ିଆ ଶ୍ରମିକ, ପରିବାରରେ ଖୁସିର ଲହରୀ

ପାହାଡ଼ର ଛାତି ଚିରି ଉତ୍ତରକାଶୀ ସୁଡ଼ଙ୍ଗ ଭିତରୁ ବାହାରିଲେ ସମସ୍ତ ଓଡ଼ିଆ ଶ୍ରମିକ, ପରିବାରରେ ଖୁସିର ଲହରୀ

ଭୁବନେଶ୍ବର/ବାଙ୍ଗିରିପୋଷି/ଡାବୁଗାଁ: ଉତ୍ତରାଖଣ୍ଡ ଉତ୍ତରକାଶୀର ସିଲ୍କୟାରା ସୁଡଙ୍ଗ ଭୁଶୁଡ଼ି ପଡ଼ିବା ଯୋଗୁଁ ଫସିଥିବା ୫ ଜଣ ଓଡ଼ିଆ ଶ୍ରମିକଙ୍କ ସମେତ ୪୧ ଜଣ ଉଦ୍ଧାର ହୋଇଛନ୍ତି। ଦୁର୍ଗମ ଅଞ୍ଚଳରେ ପାହାଡ଼ର ଛାତି ଚିରି ସୁଡ଼ଙ୍ଗ ଭିତରୁ ଏନ୍‌ଡିଆରଏଫ,ଏସ୍‌ଡିଆରଏଫ୍‌, ସେନାର କର୍ମଚାରୀମାନେ ଅକ୍ଲାନ୍ତ ପରିଶ୍ରମ କରି  ଗତ ୧୨ ତାରିଖଠାରୁ ଏହି ସୁଡ଼ଙ୍ଗ ଭିତରେ ଫସିରହିଥିବା ଶ୍ରମିକମାନଙ୍କୁ ଆଜି ରାତିରେ ୧୭ ଦିନ ପରେ ଉଦ୍ଧାର କରିଛନ୍ତି।

ଓଡ଼ିଶାର ୫ ଜଣ ଶ୍ରମିକ ସୁଡ଼ଙ୍ଗ ଭିତରୁ ଉଦ୍ଧାର ହେବା ପରେ ଉତ୍ସବର ମାହୋଲ ଦେଖାଯାଇଛି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ସାନକୃଷ୍ଣପୁର, ନବରଂଗପୁର ଜିଲ୍ଲା ଡାବୁଗାଁ ଅଧୀନ ତାଲବେଡ଼ା, ମୟୂରଭଂଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ କୁଳଡିହା,  ବାଙ୍ଗିରିପୋଷୀ ଥାନା ଚନ୍ଦନପୁର ପଞ୍ଚାୟତ ଅନ୍ତର୍ଗତ ଯୋଗୀବନ୍ଧ ଓ ବେଢ଼ାକୁଦର ଗାଁରେ ଲୋକେ ଅଧିକ ଉତ୍ସାହିତ ହୋଇଛନ୍ତି। ସାନକୃଷ୍ଣପୁର ଗାଁର ତପନ ମଣ୍ଡଳଙ୍କ ପରିବାର ଖୁସିରେ ମିଠା ବାଣ୍ଟିଛନ୍ତି। ସେହିପରି ରାଇରଂଗପୁରରେ ଲୋକେ ଦୀପାବଳି ଭଳି ବାଣ ଫୁଟାଇଛନ୍ତି। ଶ୍ରମିକଙ୍କ ପରିବାର ଓ ଆତ୍ମୀୟସ୍ବଜନ ଖୁବ୍ ଉତ୍ସାହ ଓ ଉଦ୍ଦୀପନାର ସହ ଖୁସି ମନାଇଛନ୍ତି।

ତେବେ ୧୭ଦିନ ପରେ ଶ୍ରମିକଙ୍କ ଉଦ୍ଧାର ହେବା ନେଇ ସୂଚନା ମିଳିବା ପରେ ସମସ୍ତଙ୍କ ଉତ୍କଣ୍ଠା ବଢିବାରେ ଲାଗିଥିଲା। ଶ୍ରମିକମାନେ ସୁଡ଼ଙ୍ଗ ଭିତରୁ ଉଦ୍ଧାର ହେଲା ପରେ ସେମାନଙ୍କର ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଛି। ରାଜ୍ୟ ସରକାରଙ୍କ ସହଯୋଗରେ ଓଡ଼ିଆ ଶ୍ରମିକମାନେ ସେଠାରେ ସୁସ୍ଥ ହେଲା ପରେ ଫେରି ଆସିବେ। ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପରିବାର ଲୋକେ ଓଡ଼ିଆ ଶ୍ରମିକମାନଙ୍କୁ ଓଡ଼ିଶା ନେଇ ଆସିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe