Citizens for Justice and Peace
ଖୋର୍ଦ୍ଧା: ଗଲା ତିନି ମାସ ହେଲା, ଖଣିରେ ବ୍ଲାଷ୍ଟିଂ ଅନୁମତି ନାହିଁ ବୋଲି ଖୋର୍ଦ୍ଧା ଜିଲ୍ଲାର ସମସ୍ତ କଳାପଥର ଖଣି ଖନନ ଠପ୍ ହୋଇଛି। ଏ ଖଣି ଭିତରେ ଖୋର୍ଦ୍ଧା ଜିଲ୍ଲା ଖଣି ଉପନିର୍ଦ୍ଦେଶାଳୟର ମାତ୍ର ଦୁଇଟି ଖଣି ରହିଛି। ତେବେ, ସବୁଠାରୁ ବେଶି ପ୍ରଭାବିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଖଣି। ଏଥିପାଇଁ ଖଣି ଲିଜ୍ଧାରୀମାନେ କେବଳ ହଇରାଣରେ ପଡ଼ି ନାହାନ୍ତି, ବରଂ ଲୁଚାଛପାରେ ବ୍ଲାଷ୍ଟିଂ କରି ପଥର କାରବାର ଚଳାଇଛନ୍ତି।
ଖୋର୍ଦ୍ଧା ଜିଲ୍ଲାରେ ଯେତିକି ପଥର ଖଣି ଅଛି, ସେଥିରୁ ଅଧିକାଂଶ ଖଣି ହେଉଛି ମହାପ୍ରଭୁଙ୍କର। ଯାହାର ପରିଚାଳନା ଦାୟିତ୍ବ ଶ୍ରୀମନ୍ଦିର ପ୍ରଶାସନ ଉପରେ ନ୍ୟସ୍ତ। ତଥ୍ୟ ମୁତାବକ, ମହାପ୍ରଭୁଙ୍କ ନାଁରେ ଖୋର୍ଦ୍ଧା ଜିଲ୍ଲାରେ ମାଙ୍କଡ଼ା, ମୋରମ ଓ କଳା ମୁଗୁନିପଥରକୁ ମିଶାଇ ୯୦ରୁ ଅଧିକ ଖଣି ଅଛି। କିନ୍ତୁ, ସେଥିରୁ ମାତ୍ର ପ୍ରାୟ ୨୫ଟି ଖଣି କାର୍ଯ୍ୟକ୍ଷମ। ଖଣି ଖନନରେ ଲିଜ୍ ନେବା ଯେତିକି ଗୁରୁତ୍ବପୂର୍ଣ୍ଣ, ବ୍ଲାଷ୍ଟିଂ ଅନୁମତି ମଧ୍ୟ ସେତିକି ବାଧ୍ୟତାମୂଳକ। ବ୍ଲାଷ୍ଟିଂ ଅନୁମତି ବିନା ଖଣି ଖୋଳା ଯାଇପାରିବ ନାହିଁ। ଜିଲ୍ଲା ପ୍ରଶାସନ ପକ୍ଷରୁ ଗଲା ଆର୍ଥିକ ବର୍ଷରେ ବ୍ଲାଷ୍ଟିଂ ପାଇଁ ଖଣି ଲିଜ୍ଧାରୀଙ୍କୁ ଅନୁମତି ଦିଆଯାଇଥିଲା। ଏହି ଅନୁମତିର ଅବଧି ୨୦୨୪ ମସିହା ମାର୍ଚ୍ଚ ମାସ ୩୧ ତାରିଖ ଯାଏ ଥିଲା। ମାର୍ଚ୍ଚ ମାସ ପରଠାରୁ ଅନୁମତି ପୁନର୍ବାର ଦେବା କଥା। କିନ୍ତୁ, ଏହି ସମୟରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯିବାରୁ ବ୍ଲାଷ୍ଟିଂ ଅନୁମତି କଥାକୁ ଜିଲ୍ଲା ପ୍ରଶାସନ ଗୁରୁତ୍ବ ଦେଇନଥିଲା। ଇତିମଧ୍ୟରେ ନିର୍ବାଚନ ଶେଷ ହୋଇଛି, କିନ୍ତୁ ବ୍ଲାଷ୍ଟିଂ ଅନୁମତି ଦିଆଯାଇନାହିଁ। ସେଥିପାଇଁ ଖଣି ଲିଜ୍ ନେଇ ମଧ୍ୟ ଖଣି ମାଲିକମାନେ ଆଇନତଃ ଖଣି ଖନନ କରି ପାରୁନାହାନ୍ତି।
ଜିଲ୍ଲା ଖଣି ଅଧିକାରୀ ଜଗନ ବେହେରାଙ୍କଠାରୁ ମିଳିଥିବା ସୂଚନା ମୁତାବକ, ମହାପ୍ରଭୁଙ୍କ ଖଣିଗୁଡ଼ିକ ବ୍ୟତୀତ ଜିଲ୍ଲା ଖଣି ଉପନିର୍ଦ୍ଦେଶାଳୟ ଅଧୀନରେ ମୋଟ୍ ୧୬୨ଟି ମୋରମ୍, ମାଙ୍କଡ଼ା ଓ କଳା ମୁଗୁନିପଥର ଖଣି ଅଛି। ତନ୍ମଧ୍ୟରୁ ଟାଙ୍ଗୀ ବ୍ଲକ୍ ଜରିପୁଟ୍ ସ୍ଥିତ ଦୁଇଟି ପଥର ଖଣିକୁ ଲିଜ୍ ଦିଆଯାଇଛି। କିନ୍ତୁ, ବ୍ଲାଷ୍ଟିଂ ଅନୁମତି ନ ଥିବାରୁ ଏ ଦୁଇଟି ଖଣି ମଧ୍ୟ ବନ୍ଦ ହୋଇପଡ଼ିଛି ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି।
Follow Us