ସବୁ ବ୍ଲକ୍‌ରେ ହେବ ଶୀତଳଭଣ୍ଡାର; କଞ୍ଚା ପରିବା ଦର ଉପରେ ଆମର ନିୟନ୍ତ୍ରଣ ନାହିଁ: ମନ୍ତ୍ରୀ

ଦରକାର ପଡ଼ିଲେ ନାଫେଡ୍‌ ରିହାତିରେ ବିକିବ, ହୋର୍ଡିଂ ଉପରେ ତୀକ୍ଷ୍‌ଣ ନଜର ରଖିବାକୁ ନିର୍ଦେଶ

ଭୁବନେଶ୍ବରରେ କଞ୍ଚା ପରିବା ମହାସଂଘର ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର: ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦରକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲାଣି। ଏହାର ମୁକାବିଲା ଲାଗି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ପୁଣି ସ୍ଥିତିର ସମୀକ୍ଷା କରିଛନ୍ତି। ଦରବୃଦ୍ଧି ମୁକାବିଲା ଲାଗି ରାଜ୍ୟର ପ୍ରତି ବ୍ଲକ୍‌ରେ ଶୀତଳଭଣ୍ଡାର ସ୍ଥାପନ କରାଯିବ।ଜରୁରୀକାଳୀନ ପରିସ୍ଥିତିରେ ନାଫେଡ୍ ଦ୍ବାରା ରିହାତି ଦରରେ ଖାଉଟିଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ଆଳୁ ଓ ପିଆଜ ଦର ନିୟନ୍ତ୍ରଣ କରିବାକୁ ସରକାର ଚେଷ୍ଟା କରୁଛନ୍ତି। ମହାରାଷ୍ଟ୍ରର ନାସିକ୍‌ରୁ କ୍ବିଣ୍ଟାଲ ପିଛା ୨୯୫୩ ଟଙ୍କାରେ ପିଆଜ କିଣା ହେଉଛି। ପରିବହନ ଖର୍ଚ୍ଚକୁ ମିଶାଇବା ପରେ ଖୁଚୁରା ବଜାରରେ ତାହାକୁ କିଲୋପିଛା ୪୦ ଟଙ୍କାରେ ବିକ୍ରି କରାଯାଉଛି। ଆଳୁ ବି ନାସିକ୍‌ରୁ ଆସୁଥିବାରୁ ତାହାର ଦାମ୍ ଅଧିକ ରହିଛି ବୋଲି ସେ କହିଛନ୍ତି।

ଆଳୁର ଦରବୃଦ୍ଧି ଉପରେ ବିଭାଗ ତୀକ୍ଷ୍‌ଣ ନଜର ରଖିଛି ବୋଲି ଉଲ୍ଲେଖ କରି ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଆଳୁ ଉତ୍ପାଦନ ଯଥେଷ୍ଟ ନାହିଁ। ଏଥିପାଇଁ ଓଡ଼ିଶା ମୁଖ୍ୟତଃ ଆସାମ ଓ ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ ରହିଛି। ସେଠାରେ ଦର ବଢ଼ୁଥିବା କାରଣରୁ ଆମ ରାଜ୍ୟର ଖାଉଟିଙ୍କୁ ତାହା ଅଧିକ ଦାମ୍‌ରେ କିଣିବାକୁ ପଡ଼ୁଛି। ତେବେ ଅନ୍ୟ କଞ୍ଚା ପରିବା ଦରବୃଦ୍ଧି ଉପରେ ଆମର କୌଣସି ନିୟନ୍ତ୍ରଣ ନାହିଁ ବୋଲି କହି ମନ୍ତ୍ରୀ ଶ୍ରୀ ପାତ୍ର ହାତ ଟେକି ଦେଇଛନ୍ତି। ସେ କହିଛନ୍ତି ଯେ ଟମାଟୋ ଦରବୃଦ୍ଧି ଉପରେ ଆମର କିଛି ନିୟନ୍ତ୍ରଣ ନାହିଁ। ଉତ୍ପାଦନ ବଢ଼ିଲେ ତାହା ଶସ୍ତା ହେବ ଏବଂ ଉତ୍ପାଦନ କମିଲେ ଦାମ୍ ବଢ଼ିବ।

ଏହି ଅବସରରେ ବ୍ୟବସାୟୀ ଅନାବଶ୍ୟକ ଭାବେ ପରିବା ଗଚ୍ଛିତ କରି ରଖିବା ଘଟଣା ଉପରେ ତୀକ୍ଷ୍‌ଣ ନଜର ରଖିବାକୁ ଅଧିକାରୀମାନଙ୍କୁ କୁହାଯାଇଛି। ସବୁ ଜିଲ୍ଲାରେ ‌ଯୋଗାଣ ଅଧିକାରୀମାନେ ବ୍ୟବସାୟୀଙ୍କ ସହ କଥା ହୋଇ ଷ୍ଟକ୍‌ ଉପରେ ନଜର ରଖିବେ। ଗୋଦାମ ଯାଇ ଯାଞ୍ଚ କରି‌ବେ। ଯେଉଁମାନେ ସରକାରଙ୍କ ନୀତି ଖିଲାପ କରିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଜିଲ୍ଲା ସ୍ଥିତି ଉପରେ ନଜର ରଖିବା ଲାଗି ଜିଲ୍ଲାପାଳଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାର ଷ୍ଟକ୍ ବିଷୟରେ ଦୈନିକ ବିବରଣୀ ପ୍ରଦାନ କରିବାକୁ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀମାନଙ୍କୁ କୁହାଯାଇଛି। ବୈଠକରେ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଭି ଭି ଯାଦବ, ମାର୍କେଟ ଇଣ୍ଟେଲିଜେନ୍ସ ଅଫିସର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe