www.telegraphindia.com
ବ୍ରହ୍ମପୁର : ପ୍ରଶାସନ କଡ଼ା ଅଭିମୁଖ୍ୟ ନେଲା। ସହର ଉପକଣ୍ଠ ହଳଦିଆପଦର ବସ୍ ଟର୍ମିନସ୍କୁ ସମସ୍ତ ବସ୍ ଚଳାଚଳ କରିବାକୁ ସବୁ ଉଦ୍ୟମ ବିଫଳ ହେଉଥିଲା। ଶେଷରେ ବ୍ରହ୍ମପୁର ସିଟି ବସ୍ଷ୍ଟାଣ୍ଡ୍କୁ ନବୀକରଣ ଆଳରେ ବନ୍ଦ କରିବାକୁ ନିଷ୍ପତ୍ତି ନେଲା। ଘରୋଇ ବସ୍ ମାଲିକ ମାନିଲେନି। ୩ଦିନ ଧରି ଦକ୍ଷିଣ ଓଡ଼ିଶାର ୪୬ରୁଟ୍ରେ ଘରୋଇ ବସ୍ ଯାତ୍ରୀ ପରିବହନ ଠପ୍ ହୋଇଗଲା। ବିକଳ୍ପ ବ୍ୟବସ୍ଥାରେ ୫୦ରୁ ଅଧିକ ସରକାରୀ ବସ୍ ଆଣି ଚଳାଇଲେ। ଘରୋଇ ବସ୍ ମାଲିକ ସଂଘକୁ ଛାଟ ଦେଖାଇଲେ। ତଥାପି କାମ କଲା ନାହିଁ। ଶେଷରେ ଆଜି ସଂଧ୍ୟାରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଅଧ୍ୟକ୍ଷତାରେ ତାଙ୍କ ପ୍ରକୋଷ୍ଠରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଉପସ୍ଥିତିରେ ତ୍ରିପାକ୍ଷିକ ବୈଠକରେ ନିଷ୍ପତ୍ତି ହେଲା। ହଳଦିଆପଦର ନୁହେଁ ବ୍ରହ୍ମପୁର ସିଟି ବସ୍ଷ୍ଟାଣ୍ଡ୍ରୁ ହିଁ ସବୁ ବସ୍ ଚାଲିବ, ନବୀକରଣ କାମ ମଧ୍ୟ ଜାରି ରହିବ। ଫଳରେ ଶୁକ୍ରବାରଠାରୁ ଗଞ୍ଜାମ ଜିଲ୍ଲାରେ ପୁଣି ବସ୍ ଚଳାଚଳ ସ୍ବାଭାବିକ ହେବାର ବାଟ ଫିଟିଛି। ପରିବହନ ମନ୍ତ୍ରୀ ବେହେରା, ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଆରୁଖ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ତା, ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ବିଡିଏ ଉପାଧ୍ୟକ୍ଷ ତଥା ବିଏମ୍ସି କମିସନର ଚକ୍ରବର୍ତ୍ତୀ ସି˚ ରାଠୋଡ଼ ଏବ˚ ରାଜ୍ୟ ଓ ଗଞ୍ଜାମ ବସ୍ ମାଲିକ ସ˚ଘର ମିଳିତ ବୈଠକ ଭୁବନେଶ୍ବରରେ ଅନୁଷ୍ଠିତ ହୋଇଥିଲା। ୩ଦିନ ହେଲା ବସ୍ଷ୍ଟାଣ୍ଡ୍ ସ୍ଥାନାନ୍ତରକୁ ନେଇ ପ୍ରଶାସନ ଓ ବସ୍ ମାଲିକଙ୍କ ଭିତରେ ଚାଲିଥିବା ବିବାଦ ବୈଠକରେ ସମାଧାନ ହୋଇଥିବା ନେଇ ଗଞ୍ଜାମ ବସ୍ ମାଲିକ ସ˚ଘ ସମ୍ପାଦକ ସୁବାସ ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି।
Follow Us