ଦିନସାରା ପଙ୍କଭର୍ତ୍ତି ନାଳରେ ଫସିଲେ ତିନି ଦନ୍ତା

Advertisment
ପରିବାରର ୩ଜଣଙ୍କୁ ଦଳିଦେଲା ହାତୀ

ବଡ଼ମ୍ବା/ଭଟ୍ଟାରିକା: କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ବଡ଼ମ୍ବା ବନାଞ୍ଚଳର ବେଲିଆପାଳ ଗ୍ରାମ ଜଙ୍ଗଲ ନିକଟ ଖଳିଖାତ ନାଳରେ ଗତକାଲି ରାତିରୁ ତିନିଟି ଦନ୍ତା ହାତୀ ଫସି ରହିଥିଲେ। ବନ ବିଭାଗ ଓ ଅଗ୍ନିଶମ ବାହିନୀ ଆଜି ଦିନସାରା ହାତୀପଲକୁ ପଙ୍କଭର୍ତ୍ତି ନାଳରୁ ବାହାର କରିବା ପାଇଁ ଉଦ୍ୟମ ଜାରି ରଖିଥିଲେ। ରାତିରେ ତିନି ହାତୀ ନାଳରୁ ବାହାରି ଗାଁମୁହାଁ ହୋଇଥିବା ଖବର ମିଳିଛି।

ଗତ ଦୁଇଦିନ ଧରି ଗୋପପୁର ଫରେଷ୍ଟ ରେଞ୍ଜରୁ ଦୁଇଟି ବଡ଼ ଦନ୍ତା ହାତୀ ଓ ଗୋଟିଏ ଛୋଟ ଦନ୍ତା ହାତୀ ଖାଦ୍ୟ ଅନ୍ୱେଷଣ ପାଇଁ ଗାଁମୁହାଁ ହେଉଥିଲେ। ଶୁକ୍ରବାର ଓ ଶନିବାର ତିନି ହାତୀ ଅମାନ୍ତିଆ, ବେଲିଆପାଳ ଓ ଗମେଇଁ ଗ୍ରାମରେ ଉପଦ୍ରବ କରିବା ସହ ଫସଲ ନଷ୍ଟ କରୁଥିଲେ। ଗ୍ରାମବାସୀ ଏକତ୍ରିତ ହୋଇ ହାତୀପଲକୁ ଘଉଡ଼ାଇ ଥିଲେ। ଗତକାଲି ବିଳମ୍ବିତ ରାତିରେ ଖାଦ୍ୟ ଓ ପାଣି ପାଇଁ ପୁନର୍ବାର ଗାଁମୁହାଁ ହୋଇଥିବା ତିନିଟିଯାକ ଦନ୍ତା ହାତୀ ଖଳିଖାତ ନାଳରେ ପଶି ଯାଇଥିଲେ। ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଉକ୍ତ ନାଳରେ ୫ରୁ ୬ଫୁଟ ପର୍ଯ୍ୟନ୍ତ ପାଣି ଓ ୩ଫୁଟରୁ ଅଧିକ ପଙ୍କ ସହ ନାଗା ଦଳ, ଘାସ, ବାଉଁଶ ବୁଦା ଭରି ରହିଥିବାରୁ ହାତୀପଲ ସେଠାରୁ ବାହାରି ପାରି ନ ଥିଲେ। ଏ ସମ୍ପର୍କରେ ଖବର ପାଇ ଆଜି ସକାଳେ ବଡ଼ମ୍ବା ବିଧାୟକ ବିଜୟ କୁମାର ଦଳବେହେରା, ବଡ଼ମ୍ବା ତହସିଲଦାର୍ ଶାଶ୍ୱତରଞ୍ଜନ ଦାଶଙ୍କ ସମେତ ବନ ବିଭାଗ, ଅଗ୍ନିଶମ ବାହିନୀ ଓ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଆଠଗଡ଼ ଡିଏଫ୍‌ଓ ଯଜ୍ଞଦତ୍ତ ପତି ଓ ବଡ଼ମ୍ବା ବନଖଣ୍ଡ ଅଧିକାରୀ କୃଷ୍ଣଚନ୍ଦ୍ର ସ୍ବାଇଁଙ୍କ ତତ୍ତ୍ବାବଧାନରେ ଢେଙ୍କାନାଳ ରାପିଡ୍‌ ଟିମ୍‌ ହାତୀପଲକୁ ନାଳରୁ ଉଦ୍ଧାର କରିବା ପାଇଁ ଜେସିବି, ହିଟାଚି ଗାଡ଼ି ଯୋଗେ ଦିନସାରା ଉଦ୍ୟମ ଜାରି ରଖିଥିଲେ। ଏଥିପାଇଁ ଡ୍ରୋନ୍‌ କ୍ୟାମେରା ଓ ବାଣର ବ୍ୟବହାର ମଧ୍ୟ କରାଯାଇଥିଲା। ହେଲେ, ଲୋକଙ୍କ ପ୍ରବଳ ଭିଡ଼ ଓ ନାଳରେ ପଙ୍କ ଭର୍ତ୍ତି ହୋଇ ରହିଥିବାରୁ ତିନି ହାତୀ ନାଳରୁ ବାହାରି ନ ଥିଲେ। ରାତି ପ୍ରାୟ ୮ଟାରେ ବନ ବିଭାଗ ଓ ଅଗ୍ନିଶମ ବାହିନୀ ଉଦ୍ୟମରେ ହାତୀପଲକୁ ଉଦ୍ଧାର କରାଯାଇଛି ବୋଲି ବଡ଼ମ୍ବା ବନଖଣ୍ଡ ଅଧିକାରୀ କୃଷ୍ଣଚନ୍ଦ୍ର ସ୍ବାଇଁ ସୂଚନା ଦେଇଛନ୍ତି। ନାଳରୁ ବାହାରି ହାତୀପଲ କଣ୍ଢାମୁଣ୍ଡିଆ ଗାଁମୁହାଁ ହୋଇଛନ୍ତି। ସେମାନଙ୍କୁ ଜଙ୍ଗଲ ଆଡ଼କୁ ଘଉଡ଼ାଇବା ପାଇଁ ବନ ବିଭାଗ ଉଦ୍ୟମ ଜାରି ରଖିଛି ବୋଲି ଶ୍ରୀ ସ୍ବାଇଁ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe