ଭିମ୍‌ସାର ଆନାଟୋମି ବିଭାଗର ସବୁ ଫ୍ରିଜର୍‌ ଅଚଳ: ଦାନ କରାଯାଇଥିବା ମରଶରୀର ଏବେ ବ୍ୟବଚ୍ଛେଦ ଗୃହରେ

Advertisment
ଭିମ୍‌ସାର ଆନାଟୋମି ବିଭାଗର ସବୁ ଫ୍ରିଜର୍‌ ଅଚଳ: ଦାନ କରାଯାଇଥିବା ମରଶରୀର ଏବେ ବ୍ୟବଚ୍ଛେଦ ଗୃହରେ

ବୁର୍ଲା: ବୁର୍ଲାସ୍ଥିତ ଭିମ୍‌ସାର କର୍ତ୍ତୃପକ୍ଷଙ୍କ ଖାମ୍‌ଖିଆଲିର ଆଉ ଏକ ଘଟଣା ଏବେ ସାମ୍‌ନାକୁ ଆସିଛି। ଆନାଟୋମି ବିଭାଗରେ ଶବ ସଂରକ୍ଷିତ ରଖିବା ପାଇଁ ଥିବା ୩ଟି ଯାକ ଫ୍ରିଜର୍ ଗତ ୧୫ ଦିନ ହେଲା ଅଚଳ ହୋଇ ପଡ଼ିରହିଛି। ଭିମ୍‌ସାର କର୍ତ୍ତୃପକ୍ଷ ଏ ସଂକ୍ରାନ୍ତରେ ଅବଗତ ଥିବା ସତ୍ତ୍ବେ ଅଚଳ ଫ୍ରିଜର୍‌ର ଏପର୍ଯ୍ୟନ୍ତ ମରାମତି କରାଯାଇ ପାରିନାହିଁ କି ମରାମତି ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏବେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ନିମନ୍ତେ ମୃତ ଶରୀର ଦାନ ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ବଢ଼ିଥିବା ବେଳେ ଭିମ୍‌ସାର କର୍ତ୍ତୃପକ୍ଷଙ୍କ ଏଭଳି ଅବହେଳା ପରିତାପର ବିଷୟ ‌ବୋଲି ଚର୍ଚ୍ଚା ହେଉଛି।

ଓଡ଼ିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତର ଛାତ୍ରଛାତ୍ରୀମାନେ ଭିମ୍‌ସାରରେ ଅଧ୍ୟୟନ କରୁଛନ୍ତି। ସମ୍ବଲପୁର ଜିଲ୍ଲା ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଂଚଳର ଲୋକେ ନିଜ ଆତ୍ମୀୟଙ୍କ ମୃତଶରୀରକୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ପାଇଁ ଭିମ୍‌ସାରକୁ ଦାନ କରୁଛନ୍ତି। ମୃତ ଶରୀରଗୁଡ଼ିକ ସଂରକ୍ଷିତ ରଖିବା ପାଇଁ ଆନାଟୋମି ବିଭାଗରେ ୩ଟି ସ୍ୱତନ୍ତ୍ର ଫ୍ରିଜର୍ ରହିଛି। ଗୋଟିଏ ଫ୍ରିଜର୍‌ରେ ଏକା ସାଙ୍ଗରେ ୨ଟି ଲେଖାଏଁ ଶବ ରହିବା ବ୍ୟବସ୍ଥା ରହିଛି। ୩ଟି ଯାକ ଫ୍ରିଜର୍ ଗତ ୧୫ ଦିନ ହେଲା ଅଚଳ ହୋଇଛି। ଆଗରୁ ମଧ୍ୟ ଏଭଳି ସମସ୍ୟା ସୃଷ୍ଟି ହୋଇଥିଲା। ମଝିରେ ଗୋଟିଏ/ଦୁଇଟି ଫ୍ରିଜର୍‌ ମାସ ମାସ ଧରି ଅଚଳ ରହି ଯାଉଥିଲା। ଫ୍ରିଜର ଅଚଳ ହେବା କାରଣରୁ ମୃତ ଶରୀର ରଖିବା ପାଇଁ ସମସ୍ୟା ସୃଷ୍ଟି ହେଉଛି। କେବଳ ସେତିକି ନୁହେଁ, ଛାତ୍ରଛାତ୍ରୀଙ୍କ ଅଧ୍ୟୟନରେ ବି ଏହା ପ୍ରତିବନ୍ଧକ ସୃଷ୍ଟି କରୁଥିବା ଅଭିଯୋଗ ହେଉଛି।

ଏ ସମ୍ବନ୍ଧରେ ଆନାଟୋମି ବିଭାଗର ମୁଖ୍ୟ ଡାକ୍ତର ମମତା ସରଙ୍କୁ ପଚାରିବାରୁ ସେ ଫ୍ରିଜର୍‌ ଅଚଳ ଥିବା କଥାକୁ ସ୍ବୀକାର କରିଥିଲେ। ସେ ଆହୁରି କହିଥିଲେ ଯେ, କିଛିଦିନ ପୂର୍ବରୁ ଘଡ଼ଘଡ଼ି ସହିତ ହୋଇଥିବା ପ୍ରବଳ ବର୍ଷା ଯୋଗୁ ସବୁ ଫ୍ରିଜର୍ ଅଚଳ ହୋଇଯାଇଥିଲା। ମରାମତି କରୁଥିବା ସଂସ୍ଥାକୁ ଏ ବିଷୟରେ ଅବଗତ କରାଯାଇଛି। ଶୀଘ୍ର ସଂସ୍ଥା ପକ୍ଷରୁ ଅଚଳ ଫ୍ରିଜରଗୁଡ଼ିକର ମରାମତି କରାଯିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି। କିନ୍ତୁ ବର୍ତ୍ତମାନ ହେଉଥିବା ଅସୁବିଧାକୁ ଏଡ଼ାଇବାକୁ ଏଫ୍ଏମ୍‌ଟି ବିଭାଗ ସହିତ କଥାବାର୍ତ୍ତା କରାଯାଇଛି। ଆନାଟୋମି ବିଭାଗର ଫ୍ରିଜର୍‌ଗୁଡ଼ିକ ମରାମତି ହୋଇ ବ୍ୟବହାର ଉପଯୋଗୀ ନହେବା ଯାଏଁ ବିଭାଗର ଶବଗୁଡ଼ିକ ଏଫ୍ଏମ୍‌ଟି ବିଭାଗର ଫ୍ରିଜରରେ ରଖାଯିବ‌। ଯେହେତୁ ୭ ପ୍ରକାର କେମିକାଲ୍ ଦିଆଯାଇ ପୁରୁଣା ମୃତଶରୀରକୁ ରଖାଯାଇଛି, ସେସବୁ ନଷ୍ଟ ହେବାର ଆଶଙ୍କା ନାହିଁ ବୋଲି ସେ କହିଛନ୍ତି। ତ‌େବେ ଅଧ୍ୟୟନ ପାଇଁ ଦାନ କରାଯାଇଥିବା ଶରୀରକୁ ଶବ ବ୍ୟବଚ୍ଛେଦ କେନ୍ଦ୍ରକୁ ନେଇ ରଖାଯିବା ଘଟଣା ଶବ ପ୍ରତି ଅସମ୍ମାନ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe