ସର୍ବଭାରତୀୟ ସାଇଭକ୍ତ ସମ୍ମିଳନୀ ପାଇଁ ଦତ୍ତାତ୍ରେୟ ସାଇ ଆଶ୍ରମ ଚଳଚଞ୍ଚଳ

Advertisment
ସର୍ବଭାରତୀୟ ସାଇଭକ୍ତ ସମ୍ମିଳନୀ ପାଇଁ ଦତ୍ତାତ୍ରେୟ ସାଇ ଆଶ୍ରମ ଚଳଚଞ୍ଚଳ

ଭୁବନେଶ୍ୱର : ଚଳିତ ମାସ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ତିନିଦିନିଆ ସର୍ବଭାରତୀୟ ସାଇଭକ୍ତ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଢେଙ୍କାନାଳର କପିଳାସ ପାଦଦେଶରେ ପ୍ରତିଷ୍ଠିତ ଶ୍ରୀ ଦତ୍ତାତ୍ରେୟ ସାଇ ଆଶ୍ରମ ଏବେ ଚଳଚଞ୍ଚଳ ହୋଇଉଠିଛି। ଏହି ଉତ୍ସବକୁ ସନ୍ଥ ଶ୍ରୀ ଗଣେଶନାଥ ମହାରାଜଜୀ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ ହିମାଳୟ ପ୍ରଦକ୍ଷିଣ ସାରି ବିଶ୍ୱଶାନ୍ତି ମହାଯଜ୍ଞରେ ପୂର୍ଣ୍ଣାହୁତି ଦେବା ସହ ସମସ୍ତ ସାଇଭକ୍ତଙ୍କୁ ଲଡ଼ୁଭୋଗ ବଣ୍ଟନ ପୂର୍ବକ ଆଶୀର୍ବାଦ ପ୍ରଦାନ କରିବେ। ଏହି ଆଧ୍ୟାତ୍ମିକ ସମ୍ମିଳନୀରେ ଦେଶବ୍ୟାପୀ ସହସ୍ରାଧିକ ଭକ୍ତ ଯୋଗ ଦେବେ। କେବଳ ସିରିଡ଼ି କ୍ଷେତ୍ରରୁ ସାତଶହରୁ ଉର୍ଦ୍ଧ୍ୱ ଭକ୍ତ ଯୋଗ ଦେବାର ସମ୍ଭାବନା ରହିଛି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଯୋଗ ଦେଉଥିବାରୁ ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସ୍ୱେଚ୍ଛାସେବୀ ବାହିନୀକୁ ନିୟୋଜିତ କରାଯିବ।

publive-imageଏହି ଅବସରରେ ବିଶ୍ୱଶାନ୍ତି ଉଦ୍ଦେଶ୍ୟରେ ଆସନ୍ତା ୨୦ ତାରିଖରେ ଅତିରୁଦ୍ର ମହାଯଜ୍ଞ ଆରମ୍ଭ ହୋଇ ୨୨ ତାରିଖରେ ପୂର୍ଣ୍ଣାହୁତି ଦିଆଯିବ। ୨୧ ତାରିଖରେ ନାମଜପ, ପାରାୟଣ, ବିଷ୍ଣୁ ସହସ୍ରନାମ ଏବଂ ସାଇସତ୍‌ଚରିତ ପାଠ କରାଯିବା ସହ ଆଶ୍ରମର ଅଧ୍ୟକ୍ଷ ଦ୍ୱାରିକା ମୋହନ ମିଶ୍ରଙ୍କ ସଭାପତିତ୍ୱରେ ଆଧ୍ୟାତ୍ମିକ ସତ୍‌ସଙ୍ଗ ଆୟୋଜନ କରାଯିବ ବୋଲି ପ୍ରସ୍ତୁତି କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ଅପରାହ୍ନରେ ନର୍ମଦା ନଦୀରୁ ଆସିଥିବା ଏକ ଲକ୍ଷ ଆଠ ହଜାର ପବିତ୍ର ବାଣଲିଙ୍ଗକୁ ଭକ୍ତମାନଙ୍କ ଦ୍ୱାରା ଅଭିଷେକ କରାଯିବା ସହ ଜ୍ୟୋତିର୍ଲିଙ୍ଗ ନିକଟରେ ସମର୍ପଣ କରାଯିବାର ବ୍ୟବସ୍ଥା ହୋଇଛି। ଏଥିପାଇଁ ଆଗ୍ରହୀ ଭକ୍ତମାନେ ଆଶ୍ରମରେ ନିଜ ନାମ ପଞ୍ଜୀକୃତ କରିପାରିବେ ବୋଲି ଆଶ୍ରମ ପକ୍ଷରୁ କୁହାଯାଇଛି।

ତେବେ ଏହି ସମ୍ମିଳନୀ ପୂର୍ବରୁ ଆୟୋଜକ କମିଟି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି। ଡାକ୍ତର ଜିତେନ୍ଦ୍ର କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଜିତେନ୍ଦ୍ର କୁମାର ପଟ୍ଟନାୟକ, ଡକ୍ଟର ମଞ୍ଜର, ପ୍ରଫେସର ବିଷ୍ଣୁପ୍ରସନ୍ନ ଆଚାର୍ଯ୍ୟ, ସାହିତ୍ୟିକ ଡ. ଜ୍ଞାନଗୁରୁ ଦାସ, ସମ୍ବାଦିକ ବିଜୟ କୁମାର ମିଶ୍ର ଓ ଆଇନଜୀବୀ ଗୋପାଳ ଚନ୍ଦ୍ର ପାତ୍ରଙ୍କ ସମତେ ୩୭ ଜଣ ଆବାହକ ଉପସ୍ଥିତ ଥିଲେ। ବୈଠକ ପ୍ରାରମ୍ଭରେ ଆଶ୍ରମର କାର୍ଯ୍ୟକାରୀ ଅଧିକାରୀ ସୁବ୍ରତ କୁମାର ମହାନ୍ତି ପୂର୍ବ ବୈଠକର ବିବରଣୀ ଆଗତ କରିଥିଲେ। ଏହି ଅବସରରେ ଆଶ୍ରମ ପରିସରରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଏକ ଦାତବ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ଉଦ୍‌ଘାଟନ କରାଯାଇଥିଲା। ଶେଷରେ ଆଶ୍ରମର ସାଧାରଣ ପରିଚାଳକ ଅକ୍ଷୟ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe