ଋଷିକୁଲ୍ୟାର ସୁରକ୍ଷା ପାଇଁ ସବୁ ବିଧାୟକ ଏକାଠି ହେବୁ: କେ. ଅନୀଲ କୁମାର

Advertisment
ଋଷିକୁଲ୍ୟାର ସୁରକ୍ଷା ପାଇଁ ସବୁ ବିଧାୟକ ଏକାଠି ହେବୁ: କେ. ଅନୀଲ କୁମାର

ବ୍ରହ୍ମପୁର: ଋଷିକୁଲ୍ୟା ନଦୀ ଗଞ୍ଜାମ ଜିଲ୍ଲାର ଜୀବନ ରେଖା। ଏହାର ସୁରକ୍ଷା ପାଇଁ ଜିଲ୍ଲାର ସବୁ ବିଧାୟକ ଏକାଠି ହେବୁ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବୁ ବୋଲି ବ୍ରହ୍ମପୁର ବିଧାୟକ କେ.ଅନୀଲ କୁମାର ମତବ୍ୟକ୍ତ କରିଛନ୍ତି। ଆଜି କମାପଲ୍ଲୀ ନିକଟସ୍ଥ ସଙ୍କଳ୍ପ ସ୍କୁଲ ପରିସରରେ ଆୟୋଜିତ ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବିଧାୟକ କହିଥିଲେ, ତାପମାତ୍ରାରେ ଅହେତୁକ ବୃଦ୍ଧି, ନିମ୍ନଗାମୀ ଭୂତଳ ଜଳସ୍ତର ଓ ବାୟୁ ପ୍ରଦୂଷଣ ସଂପର୍କରେ ସମସ୍ତେ ସଚେତନ ହେବା ଆବଶ୍ୟକ। ଏସବୁକୁ ସୁଧାରିବା ପାଇଁ ଗଛ ହିଁ ଏକମାତ୍ର ବିକଳ୍ପ। ବ୍ରହ୍ମପୁର ସହର ମଧ୍ୟରେ ବୃକ୍ଷରୋପଣ ପାଇଁ ସ୍ଥାନାଭାବ ରହିଛି। ତେଣୁ ସହର ଚାରିପାର୍ଶ୍ବ ଓ ସହରର ଦୁଇ ପାର୍ଶ୍ବ ଦେଇ ଯାଇଥିବା ବାହାନା ନାଳ ଓ ସାପୁଆ ନାଳ ହିଡ଼ରେ ବ୍ୟାପକ ବୃକ୍ଷରୋପଣ କରାଯିବ।

ଜୈବ ଇନ୍ଧନର ପ୍ରଚୁର ବ୍ୟବହାର ଦ୍ବାରା ଜଙ୍ଗଲ କ୍ଷୟ, ତାପମାତ୍ରା ବୃଦ୍ଧି, ସବୁଜ ଗୃହ ପ୍ରଭାବ ପରି ଜଟିଳ ସମସ୍ୟା ଦେଖାଯାଉଛି। ପୃଥିବୀ ପୃଷ୍ଠରେ ଜଳସ୍ତର ରୀତିମତ ଭାବେ ହ୍ରାସ ପାଇବା ସହ ବନାଗ୍ନି, ସ୍ବଳ୍ପବୃଷ୍ଟି କାରଣରୁ ବାୟୁମଣ୍ଡଳର ତାପମାତ୍ରା ବଢ଼ିଚାଲିଛି। ମରୁଡି, ବାତ୍ୟା, ଭୂସ୍ଖଳନ, ଖାଦ୍ୟାଭାବ ଭଳି ପ୍ରାକୃତିକ ବିପର୍ଯ୍ୟୟ ସାଧାରଣ କଥା ହୋଇଯିବ। ଏହାର ପ୍ରତିହତ ନିମନ୍ତେ ସମାଜର ପ୍ରତ୍ୟେକ ବ୍ୟକ୍ତି ସଂକଳ୍ପ ନେବାକୁ ଉପସ୍ଥିତ ଅତିଥିମାନେ ମତପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ପରିବେଶବିତ୍ ସୁଧୀର ରାଉତ, ସୁବାସ ମହାରଣା, ଇଂ.ତେଜେଶ୍ୱର ରାଓ ଯୋଗ ଦେଇ ଜୈବ ଇନ୍ଧନର ବ୍ୟବହାର ଯଥା ସମ୍ଭବ କମାଇବା ସହ ନିଜର ଦାୟିତ୍ବ ସମ୍ପର୍କରେ ଚିନ୍ତନର ସମୟ ଆସିଛି ବୋଲି କହିଥିଲେ। ଜଳବାୟୁ ପରିବର୍ତ୍ତନ ମହାମାରୀର ଅନ୍ୟତମ କାରଣ ବୋଲି ସୁଧୀର ରାଉତ କହିଥିବା ବେଳେ ଗୋଟିଏ ଗଛକୁ ୨ ବର୍ଷ ଯତ୍ନ ନେଲେ ସେ ୨୦୦ ବର୍ଷ ପର୍ଯ୍ୟନ୍ତ ଲୋକଙ୍କୁ ସେବା ଯୋଗାଇବ ବୋଲି ପରିବେଶବିତ୍‌ ସୁବାସ ମହାରଣା କହିଥିଲେ। ବ୍ୟାପକ ବୃକ୍ଷରୋପଣ ସାଂଗକୁ ପଲିଥିନ୍‌ ବ୍ୟବହାର ହ୍ରାସ କରିବାକୁ ସମ୍ମାନିତ ଅତିଥି ତଥା ଶିକ୍ଷାବିତ୍ ଇଂ.ତେଜେଶ୍ବର ରାଓ କହିଥିଲେ। ଅବାଧ ବାଲି ଚାଲାଣ ଦ୍ବ‌ାରା ଜଳସ୍ତର ହ୍ରାସ ପାଇବା ସହ ଜଳଧାରଣ କ୍ଷମତା ବି ହ୍ରାସ ପାଉଛି। ‌ତେଣୁ ସମସ୍ତ ସଚେତନ ହେବା ସହ ମିଳିମିଶି ଏକ ସୁସ୍ଥ ତଥା ସନ୍ତୁଳିତ ପରିବେଶ ଗଢ଼ିତୋଳିବା ପାଇଁ ଉପସ୍ଥିତ ଶିକ୍ଷାବିତ୍, ବୁଦ୍ଧିଜୀବୀ, ଯୁବସମାଜ ଆହ୍ବାନ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe