କୋରାପୁଟ : କୋଟିଆ ବିବାଦରେ ବଡ଼ ନିଷ୍ପତ୍ତି ନେଇଛନ୍ତି କୋରାପୁଟ ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳର ନେତା। ଏହି ବିବାଦୀୟ ପ୍ରସଙ୍ଗରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଏବଂ ଆନ୍ଧ୍ର ରାଜ୍ୟପାଳଙ୍କ ହସ୍ତକ୍ଷେପ ପାଇଁ ଦାବି କରିବେ। ଏଥିପାଇଁ ଖୁବ୍ଶୀଘ୍ର ଗୋଟିଏ ଟିମ୍ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ଭେଟିବେ ବୋଲି ସୂଚନା ମିଳିଛି। ସର୍ବଦଳୀୟ ବୈଠକରେ ଏମିତି ସ୍ଥିର ହୋଇଥିବା କହିଛନ୍ତି ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଈଶ୍ବର ଚନ୍ଦ୍ର ପାଣିଗ୍ରାହୀ।
ଓଡ଼ିଶାର ସ୍ବାର୍ଥ ପାଇଁ କୋଟିଆ ପ୍ରସଙ୍ଗରେ ପ୍ରଥମ ଥର ପାଇଁ କୋରାପୁଟ ଜିଲ୍ଲାର ପ୍ରମୁଖ ରାଜନୈତିକ ଦଳ ଏକାଠି ହୋଇଛନ୍ତି। ଦୁଇ ଦିନ ତଳେ କୋଟିଆରେ ଡେରା ପକାଇବା ଏବଂ ଭୋଟରଙ୍କୁ ଜଗିବା ପାଇଁ ନିଷ୍ପତ୍ତି ନେଇଥିଲେ। ତେଣୁ ଗତକାଲି ଠାରୁ କୋରାପୁଟ ଜିଲ୍ଲା ବିଜେଡି ସଭାପତି ଈଶ୍ବର ପାଣିଗ୍ରାହୀ, ଜିଲ୍ଲା ବିଜେପି ସଭାପତି ସୁମନ୍ତ ପ୍ରଧାନ, କୋରାପୁଟ ବିଧାୟକ ରଘୁରାମ ପଡ଼ାଲ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ପଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ, ପୂର୍ବତନ ସାଂସଦ ଜୟରାମ ପାଙ୍ଗି, ମୁନା ରଥ, ରମା ରାଉଳଙ୍କ ସହ ଶତାଧିକ ବିଜେଡି, ବିଜେପି ଓ କଂଗ୍ରେସ କର୍ମୀ କୋଟିଆରେ ରହିଥିଲେ। ଏଥିରେ ସଫଳତା ବି ମିଳିଛି। ପୂର୍ବରୁ ହୋଇଥିବା ସରପଞ୍ଚ ଏବଂ ୱାର୍ଡ ସଭ୍ୟ ନିର୍ବାଚନରେ ୬୯ପ୍ରତିଶତ ମତଦାନ ହୋଇଥିଲା। କିନ୍ତୁ ଆଜି ଶେଷ ହୋଇଥିବା ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ନିର୍ବାଚନରେ ମାତ୍ର ୧୭ପ୍ରତିଶତ ମତଦାନ ହୋଇଥିଲା। ଏଥିରେ ଉତ୍ସାହିତ ଅଛନ୍ତି ରାଜନେତା। ତେଣୁ କୋଟିଆ ପ୍ରସଙ୍ଗରେ ଆଗକୁ ମଧ୍ୟ ସମସ୍ତେ ଏକାଠି ହୋଇ ଲଢ଼େଇ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ଗୋଟିଏ ଟିମ୍ ଗଠନ କରି ଓଡ଼ିଶା ମୁଖ୍ୟମନ୍ତ୍ରୀ ଓ ଆନ୍ଧ୍ରର ରାଜ୍ୟପାଳଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ବୋଲି ଜିଲ୍ଲା ବିଜେଡି ସଭାପତି ଶ୍ରୀ ପାଣିଗ୍ରାହୀ କହିଛନ୍ତି।
Follow Us