ଆଜି ସର୍ବଦଳୀୟ ବୈଠକ: ୧୮ରୁ ବିଧାନସଭା

ଆସନ୍ତା ୧୮ରୁ ୨୫ତାରିଖ ପର୍ଯ୍ୟନ୍ତ ବିଧାନସଭାର ମୌସୁମୀ ଅଧିବେଶନ ବସିବ। ଏଥିରେ ମୋଟ୍‌ ୭ଟି କାର୍ଯ୍ୟଦିବସ ରହିଛି। ରାଜ୍ୟରେ ଏବେ ସରକାରଙ୍କ ବିରୋଧରେ ମାଳ ମାଳ ପ୍ରସଙ୍ଗ ଥିବାରୁ ଏହି ଅଧିବେଶନ ସରଗରମ ହେବାର ସମ୍ଭାବନା ରହିଛି।

Odisha assembly

Odisha assembly Photograph: (Sambad )

ଭୁବନେଶ୍ବର: ଆସନ୍ତା ୧୮ରୁ ୨୫ତାରିଖ ପର୍ଯ୍ୟନ୍ତ ବିଧାନସଭାର ମୌସୁମୀ ଅଧିବେଶନ ବସିବ। ଏଥିରେ ମୋଟ୍‌ ୭ଟି କାର୍ଯ୍ୟଦିବସ ରହିଛି। ରାଜ୍ୟରେ ଏବେ ସରକାରଙ୍କ ବିରୋଧରେ ମାଳ ମାଳ ପ୍ରସଙ୍ଗ ଥିବାରୁ ଏହି ଅଧିବେଶନ ସରଗରମ ହେବାର ସମ୍ଭାବନା ରହିଛି। ଉଭୟ ବିରୋଧୀ ଓ ଶାସକଙ୍କ ପାଇଁ ଏହି ଅଧିବେଶନ ବେଶ୍‌ ଗୁରୁତ୍ବ ବହନ କରୁଛି। ବିଧାନସଭା ଯେପରି ସୁରୁଖୁରରେ ଚାଲିବ ସେଥିପାଇଁ ବାଚସ୍ପତି ସୁରମା ପାଢ଼ୀ ମଙ୍ଗଳବାର ଦିନ ସର୍ବଦଳୀୟ ବୈଠକ ଡାକିଛନ୍ତି। 

ଅଧିବେଶନଟି ସଂକ୍ଷିପ୍ତ ହେଲେ ବି ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଶାଣିତ ଆକ୍ରମଣ କରିବାକୁ ବିରୋଧୀ ବିଜେଡି ଓ କଂଗ୍ରେସ ଜୋରଦାର୍ ରଣନୀତି ପ୍ରସ୍ତୁତ କରୁଛନ୍ତି। ୧୭ରେ ଉଭୟ ବିଜେଡି ଓ କଂଗ୍ରେସର ବିଧାୟକ ଦଳ ବୈଠକ ପୃଥକ ପୃଥକ ଭାବେ ବସିବ। ଏଥିରେ କେଉଁ କେଉଁ ପ୍ରସଙ୍ଗରେ ବିଧାନସଭାରେ ସରକାରଙ୍କ ଉପରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରାଯିବ ସେନେଇ ଆଲୋଚନା ହେବ। ଆସନ୍ତା ଅଧିବେଶନରେ ଦୁଇ ବିରୋଧୀ ଦଳ ମୁଖ୍ୟତଃ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି, ସାର ସମସ୍ୟା, ଧାନ କିଣା‌ରେ ବିଭ୍ରାଟ, ଶିକ୍ଷାନୁଷ୍ଠାନ କ୍ୟାମ୍ପସ ଅଶାନ୍ତ, ରଥଯାତ୍ରା ବିଭ୍ରାଟ ଭଳି ପ୍ରସଙ୍ଗ ଉଠାଇବେ ବୋଲି ଜଣାପଡ଼ିଛି। ୧୭ତାରିଖ ଅପରାହ୍ନ ୫ଟାରେ ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳ ବୈଠକ ବସିବ।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବେ ନୂଆଦିଲ୍ଲୀରେ ଅଛନ୍ତି। ତେଣୁ ଏହି ବୈଂକରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଅଧ୍ୟକ୍ଷତା କରିପାରନ୍ତି। ସେହିପରି ୧୭ରେ କଂଗ୍ରେସ ଭବନରେ ପିସିସି ସଭାପତି ଭକ୍ତ ଦାସଙ୍କ ଉପସ୍ଥିତିରେ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ଅଧ୍ୟକ୍ଷତାରେ ବିଧାୟକ ଦଳ ବୈଠକ ବସିବ। ଗତ ବିଧାନସଭା ଅଧିବେଶନରେ କଂଗ୍ରେସର ସବୁ ବିଧାୟକଙ୍କୁ ନିଲମ୍ବନ କରାଯାଇଥିବାରୁ ଏଥର କଂଗ୍ରେସ କି ରଣନୀତି କରୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି। ବିଜେପି ବିଧାୟକ ଦଳ ବୈଠକ ମଧ୍ୟ ୧୭ ତାରିଖରେ ବସିବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସାଧାରଣ ସମ୍ପାଦକ (ସଂଗଠନ) ମାନସ ମହାନ୍ତି ପ୍ରମୁଖ ଉପସ୍ଥିତ ରହିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe