ସବୁ କଟକଣା ଫୁ: ଚୀନ୍ ଚାଲାଣ ହେଉଛି ଭିତରକନିକା କଙ୍କଡ଼ା

ଭିତରକନିକାରୁ ଚୀନ୍ ଚାଲାଣ ହେଉଛି କଙ୍କଡ଼ା। ଜାତୀୟ ଉଦ୍ୟାନରେ କଙ୍କଡ଼ା ଧରିବା ଅପରାଧ। କିନ୍ତୁ ଚୀନ୍‌ରେ ଏହି କଙ୍କଡ଼ାର ଚାହିଦା ବେଶ୍‌ ଅଧିକା ଥିବାରୁ ଅନୁପ୍ରବେଶକାରୀମାନେ ଏହି ବେପାର ଚଳାଇ ମାଲାମାଲ୍‌ ହେଉଛନ୍ତି।

crab

ରାଜନଗର: ଭିତରକନିକାରୁ ଚୀନ୍ ଚାଲାଣ ହେଉଛି କଙ୍କଡ଼ା। ଜାତୀୟ ଉଦ୍ୟାନରେ କଙ୍କଡ଼ା ଧରିବା ଅପରାଧ। କିନ୍ତୁ ଚୀନ୍‌ରେ ଏହି କଙ୍କଡ଼ାର ଚାହିଦା ବେଶ୍‌ ଅଧିକା ଥିବାରୁ ଅନୁପ୍ରବେଶକାରୀମାନେ ଏହି ବେପାର ଚଳାଇ ମାଲାମାଲ୍‌ ହେଉଛନ୍ତି। ତାଳଚୁଆରୁ ପ୍ରତିଦିନ କ୍ବିଣ୍ଟାଲ କ୍ବିଣ୍ଟାଲ କଙ୍କଡ଼ା ଧାମରା ଦେଇ କୋଲକାତା ଚାଲାଣ ହେବା ସହିତ ସେଠାରୁ ଚୀନ ଯାଉଥିବା ବେଳେ ବନ ବିଭାଗ ସବୁ ଜାଣି ଚୁପ୍ ବସିଛି। ସବୁଠୁ ରୋଚକ କଥା ହେଉଛି ସ୍ଥାନୀୟ ‌ଲୋକମାନେ କିନ୍ତୁ ଏହି କଙ୍କଡ଼ା ଖାଇବାକୁ ପାଉ ନାହାନ୍ତି। 

କଟକଣା ସତ୍ତ୍ବେ ଭିତରକନିକା ଜାତୀୟ ଉଦ୍ୟାନରୁ କାଦୁଆ କଙ୍କଡ଼ା ଧରାଯାଉଛି। ମହାକାଳପଡ଼ା, ଜମ୍ବୁ, ଶାସନପେଟାଠାରୁ ଆରମ୍ଭ କରି ସାତଭାୟା, ଗୁପ୍ତି, ଈଶ୍ୱରପୁର, ତାଳଚୁଆ, ରଙ୍ଗଣୀ, ବାଘମାରୀ, କେରୁଆଁପାଳ ଆଦି ଅଞ୍ଚଳରୁ କଙ୍କଡ଼ା ଧରାଯାଉଛି। ତାଳଚୁଆ ଅଞ୍ଚଳରେ ବଙ୍ଗୀୟ ବ୍ୟବସାୟୀମାନେ ଏଥିରେ ଲିପ୍ତ ଥିବା କୁହାଯାଉଛି। କଙ୍କଡ଼ାକୁ ଗାଁଗାଁରୁ ସଂଗ୍ରହ କରି ବେପାରୀମାନେ ବରଫ ପେଟିରେ ପ୍ୟାକିଂ କରି ଜଳପଥରେ ଧାମରା ପଠାଉଛନ୍ତି। ତାଳଚୁଆ, ପ୍ରଭାତୀ, କଣ୍ଟିଆଖାଇ ନିକଟରୁ କଙ୍କଡ଼ା ବୋଝେଇ ବୋଟ୍‌ ଧାମରାରେ ପହଞ୍ଚୁଛି। ସେଠାରୁ ବସ୍‌ ଯୋଗେ କୋଲକାତା ଯାଉଛି। ପରେ କୋଲକାତାରୁ ଟ୍ରେନ୍‌ ଯୋଗେ ଚୀନ ସୀମାରେ ପହଞ୍ଚୁଛି କଙ୍କଡ଼ା। ଏଭଳି ପ୍ରତିଦିନ କୁଇଣ୍ଟାଲ କୁଇଣ୍ଟାଲ କଙ୍କଡ଼ା ଚୀନକୁ ରପ୍ତାନି କରାଯାଉଛି।

ତାଳଚୁଆରୁ ଧାମରା, ‌କୋଲକାତା ଦେଇ ଯାଉଛି

ପୂର୍ବରୁ ରାଜନଗରରେ କଙ୍କଡ଼ା କିଲୋ ୨୦୦ରୁ ୩୦୦ ଟଙ୍କାରେ ମିଳୁଥିଲା। ଏବେ ୧୦୦ଗ୍ରାମ୍‌ ସାଇଜ୍‌ର କଙ୍କଡ଼ା କେଜି ପ୍ରତି ଦର ୬୫୦ ଟଙ୍କା ରହିଥିଲା ବେଳେ ୨୦୦ ଗ୍ରାମ ସାଇଜ୍‌ର କଙ୍କଡ଼ା କେଜି ୮୦୦ ଟଙ୍କା, ୩୦୦ ଗ୍ରାମ ସାଇଜ୍‌ର କଙ୍କଡ଼ା କେଜି ୧ହଜାର ଟଙ୍କା ଏବଂ ୪୦୦ ଗ୍ରାମ ସାଇଜ୍‌ର କଙ୍କଡ଼ାକୁ କେଜି ୧୫ଶହ ଟଙ୍କାରେ ବିକ୍ରି କରାଯାଉଛି। ଇଟ (ବିହନ) ଥିବା ମାଈ କଙ୍କଡ଼ା ମୂଲ୍ୟ ଏହାର ଦୁଇଗୁଣ ରହୁଛି। ବାହାରକୁ ଏଭଳି ଢଙ୍ଗରେ ଚାଲାଣ ହେଉଥିବାରୁ ରାଜନଗରରେ କଙ୍କଡ଼ା ସହଜରେ ମିଳୁ ନାହିଁ। ରିଘାଗଡ଼ ଗାଁର ଜଣେ ମହିଳାଙ୍କ କହିବା ଅନୁଯାୟୀ ତାଳଚୁଆ ଅଞ୍ଚଳର ନିର୍ଦ୍ଦିଷ୍ଟ କେତେଜଣ ବ୍ୟକ୍ତି ସେମାନଙ୍କ ଠାରୁ କଙ୍କଡ଼ା ନେଉଛନ୍ତି। ପ୍ରତିଦିନ କଙ୍କଡ଼ା ଦର ଚୀନ୍‌ ଓ କୋଲକାତା କମ୍ପାନି ଧାର୍ଯ୍ୟ କରୁଛନ୍ତି। ସେହି ଦର ଅନୁସାରେ ସେମାନେ କଙ୍କଡ଼ା କିଣୁଛନ୍ତି। ଏହି କଙ୍କଡ଼ା ପ୍ରଥମେ ତାଳଚୁଆ ଯାଉଛି, ତାଳଚୁଆରୁ ବୋଟ୍‌ ଯୋଗେ ଧାମରା, ସେଠାରୁ ବସ୍ ଯୋଗେ କୋଲକାତା ଏବଂ ପରେ ଟ୍ରେନ ଯୋଗେ ଚୀନ ସୀମାକୁ ନିଆଯାଉଛି।ଭିତରକନିକାର ଜୈବବିବିଧତା ସନ୍ତୁଳନ ରକ୍ଷା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ କଙ୍କଡ଼ା। ଭିତରକନିକାରେ ମୁଖ୍ୟତଃ କାଦୁଆ ଲୁଣିପାଣି କଙ୍କଡ଼ା ମିଳିଥାଏ। ଏହି କଙ୍କଡ଼ା ସ୍ୱାଦିଷ୍ଟ ହୋଇଥିବାରୁ କୋଲକାତା ଓ ଚୀନ୍‌ରେ ଏହାର ବେଶ୍‌ ଚାହିଦା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe