‘ଓଡ଼ିଶାର ସବୁ ନଦୀ ଆଇସିୟୁରେ’ ଓଡ଼ିଶା ସୁନ୍ଦର, ଏହାକୁ ଲୁଟିବାକୁ ଅନେକ ଆସୁଛନ୍ତି

ଓଡ଼ିଶାର ସବୁ ନଦୀ ହୃଦ୍‌ରୋଗରେ ପୀଡ଼ିତ। ଚିକିତ୍ସା ପାଇଁ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ସରକାର ସେମାନଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ପଦକ୍ଷେପ ଗ୍ରହଣ କରିବା ବଦଳରେ ବିୟୁଟିପାର୍ଲରକୁ ଲଗାଇଛନ୍ତି।

fshfsfhfshf
ଭୁବନେଶ୍ବର: ଓଡ଼ିଶାର ସବୁ ନଦୀ ହୃଦ୍‌ରୋଗରେ ପୀଡ଼ିତ। ଚିକିତ୍ସା ପାଇଁ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ସରକାର ସେମାନଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ପଦକ୍ଷେପ ଗ୍ରହଣ କରିବା ବଦଳରେ ବିୟୁଟିପାର୍ଲରକୁ ଲଗାଇଛନ୍ତି। ଓଡ଼ିଶା ସୁନ୍ଦର, ତେଣୁ ଏହାକୁ ଲୁଟିବାକୁ ଅନେକ ‌ଓଡ଼ିଶା ଆସୁଛନ୍ତି। ଓଡ଼ିଶାକୁ ବଞ୍ଚାଇବାକୁ ହେଲେ ଲୁଟ୍‌ ବିରୋଧରେ ଛିଡ଼ା ହେବାକୁ ପଡ଼ିବ ବୋଲି ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ପୁନଶ୍ଚ ପୃଥିବୀ’ର ଦ୍ବିତୀୟ ଦିବସରେ ଅତିଥିଭାବେ ଯୋଗଦେଇ ଏହା କହିଛନ୍ତି ଜଳମାନବ ରାଜେନ୍ଦ୍ର ସିଂହ। ହୋଟେଲ୍‌ ସ୍ବସ୍ତି ପ୍ରିମିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ସିଂହ କହିଲେ, ୧୨ହଜାର ବର୍ଷ ପୂର୍ବେ ଲେଖା ଯାଇଥିବା ଅଥର୍ବ ‌ବେଦରେ ନଦୀ ଓ ପ୍ରକୃତି ସଂପର୍କରେ ଉଲ୍ଲେଖ ରହିଛି। ନଦୀର ଗତିପଥରେ କୌଣସି ପ୍ରକାର ପ୍ରତିବନ୍ଧକ ନ ରଖି ଏହାକୁ ସ୍ବାଧୀନ ଭାବେ ପ୍ରବାହିତ ହେବା ସଂପର୍କରେ ବେଦରେ କୁହାଯାଇଛି। ଭାରତୀୟମାନେ ହିଁ ପ୍ରକୃତିର ସ୍ବରୂପକୁ ସାରା ବିଶ୍ବକୁ ପରିଚିତ କରାଇଥିଲେ। ଏଥିପାଇଁ ସେହି ସମୟରେ ଭାରତକୁ ବିଶ୍ବଗୁରୁ କୁହାଯାଇଥିଲା। ବର୍ତ୍ତମାନ ସମୟରେ ଯେଉଁ ବିଶ୍ବଗୁରୁ ଦାବି ହେଉଛି ତାହା ମିଛ। 
ଯେଉଁ ଦେଶର ନଦୀ ଶୁଖିଯାଏ, ସେ ଦେଶର ସଭ୍ୟତା ଓ ସଂସ୍କୃତି ମରିଯାଏ
ସମଗ୍ର ବିଶ୍ବରେ ଏବେ ଜଳବାୟୁ ସଂକଟ ଜାରି ରହିଛି। ଜଳବାୟୁ ପରିବର୍ତ୍ତନ ପାଇଁ ଆଫ୍ରିକା, କେନ୍ଦ୍ରୀୟ ଏସିଆ, ୟୁରୋପର କିଛି ଅଂଶରେ ଜଳବାୟୁ ଶରଣାର୍ଥୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମାତ୍ର ଭାରତରେ ବର୍ତ୍ତମାନ ସୁଦ୍ଧା ଏଭଳି ସ୍ଥିତି ଦେଖିବାକୁ ମିଳିନାହିଁ। ଜଳବାୟୁ ପାଇଁ ନିଜର ଭିଟାମାଟି ଛାଡ଼ୁଥିବା ଲୋକଙ୍କୁ ମିଳିତ ଜାତିସଂଘ ଜଳବାୟୁ ଶରଣାର୍ଥୀ ଭାବେ ଘୋଷଣା କରିନାହିଁ। ନଦୀ ଜୀବନ ଶକ୍ତିର ଧାରାକୁ ନେଇ ସମୁଦ୍ରରେ ପହଞ୍ଚିଥାଏ। ନଦୀ ନିଜ ସ୍ବାଧୀନତାରେ ପ୍ରବାହିତ ହୋଇଥାଏ। ବିଶ୍ବରେ ବହୁ ନଦୀ ଲୋପ ପାଇଗଲାଣି। ଅନେକ ଦେଶରେ ନଦୀକୁ କେନାଲ କରିଦିଆଯାଇଛି। ଦୁଇ କାନ୍ଥ ଭିତରେ ପ୍ରବାହିତ ପାଣିକୁ କିଛି ଦେଶରେ ନଦୀ ବୋଲି କୁହାଯାଉଛି। ତେଣୁ ଯେଉଁ ଦେଶର ନଦୀ ଶୁଖିଯାଏ, ସେ ଦେଶର ସଭ୍ୟତା ଓ ସଂସ୍କୃତି ମରିଯାଏ। ୨୦୨୫ ମସିହାରେ ଦେଶର ୧୯୦ ଜିଲ୍ଲାରେ ଜଳର ଅଭାବ, ମରୁଡ଼ି ଓ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ପୂର୍ବରୁ ୫ଟି ରାଜ୍ୟରେ ମରୁଡ଼ି ପରିସ୍ଥିତି ଥିବା ବେଳେ ଏବେ ତାହା ୧୭କୁ ବୃଦ୍ଧି ପାଇଛି। କିଛି ବର୍ଷ ପୂର୍ବରୁ ଓଡ଼ିଶା, ଆସାମ, ବିହାର ଓ ପଶ୍ଚିମବଙ୍ଗ ବନ୍ୟା ପ୍ରବଣ ରାଜ୍ୟ ରହିଥିଲା। କିଛି ବର୍ଷ ପୂର୍ବରୁ ଏହି ସଂଖ୍ୟା ବଢ଼ି ୯ରେ ପହଞ୍ଚିଥିବା ବେଳେ ଚଳିତବର୍ଷ ୧୨ଟି ରାଜ୍ୟ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛନ୍ତି। ଇଞ୍ଜିନିୟରମାନେ ଠିକ୍‌ଭାବେ ବନ୍ଧ ନିର୍ମାଣ କରୁ ନ ଥିବାରୁ ପରିବେଶ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ୁଛି। ଭାରତରେ ୮୪% ଜଳ ଚାଷ କାର୍ଯ୍ୟରେ ବ୍ୟବହାର ହୋଇଥାଏ। ଏତେ ପରିମାଣର ଜଳ କେବଳ ଚାଷ କାମରେ ବ୍ୟବହାର କରିବା ଉଚିତ ନୁହେଁ। ଏଥିପାଇଁ ଉପଯୁକ୍ତ କୃଷି ପ୍ରଣାଳୀର ଆବଶ୍ୟକତା ରହିଛି। ଚମ୍ବଲର ୬ହଜାରରୁ ଅଧିକ ଡାକୁ ବନ୍ଧୁକ ଛାଡ଼ି ପୁନର୍ବାର ଚାଷ କାର୍ଯ୍ୟକୁ ଫେରିଆସିଛନ୍ତି। ଓଡ଼ିଶା ଲୋକ ଚମ୍ବଲ ଅଞ୍ଚଳ ବୁଲି ‌ଏହାର ବିକାଶ ଦେଖିବା ଆବଶ୍ୟକ। 
ସେ ଆହୁରି ମଧ୍ୟ କହିଥିଲେ ଯେ ମୋର ଗୁରୁ ଗୋଟିଏ ଦିନରେ ମୋର ଜଳ ବିଜ୍ଞାନରେ ପିଏଚ୍‌ଡି କରାଇଥିଲେ। ଗୋଟିଏ ଦିନରେ ୨୫ଟି କୂଅ ଦେଖାଇ ଗୁରୁ ମତେ ଯେଉଁ ପ୍ରଶ୍ନ କରିଥିଲେ, ମୁଁ ତାହାର ଉତ୍ତର ଦେଇଥିଲି। ନଦୀବନ୍ଧ ନିର୍ମାଣ ପାଇଁ ସ୍ଥାନୀୟ ସଂପଦର ଉପଯୋଗ କରିବା ଲାଗି ଗୁରୁ ପରାମର୍ଶ ଦେଇଥିଲେ। ଜଳର ବ୍ୟବସାୟ ନ କରିବାକୁ ତାଗିଦ୍ କରିଥିଲେ। ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ସଂପାଦକ ତନୟା ପଟ୍ଟନାୟକ କହିଥିଲେ, ନୀର, ନଦୀ ଓ ନାରୀକୁ ନେଇ ଚିନ୍ତା କରିବା ଲାଗି ଜଳମାନବ ଶ୍ରୀ ସିଂହ ଖୋରାକ ଯୋଗାଇଛନ୍ତି। ଓଡ଼ିଶାକୁ ଲୁଟିବା ପାଇଁ ଅନେକ ପ୍ରସ୍ତୁତ ଥିବା ସେ କହିଛନ୍ତି। ତେଣୁ ରାଜ୍ୟକୁ ବଞ୍ଚାଇବା ଲାଗି ଏବେ ଠିଆ ହେବାର ସମୟ ଆସିଥିବା ଶ୍ରୀମତୀ ପଟ୍ଟନାୟକ କହିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe