‘ଭାରତ ନେଟ୍‌’ରେ ସାମିଲ ହେବେ ସବୁ ସ୍କୁଲ

Advertisment
ଘରୋଇ ସ୍କୁଲକୁ ସରକାରୀ ପ୍ରୋତ୍ସାହନ!

Representational

ମାଧ୍ୟମିକ ସ୍କୁଲ ପିଲାଙ୍କୁ ଡିଜିଟାଲ ଡିଭାଇସ୍‌ ଯୋଗାଇବାକୁ ପ୍ରସ୍ତାବ‌
ଆଜି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କୁଳପତିମାନଙ୍କ ସହ ଆଲୋଚନା

ଭୁବନେଶ୍ବର : କରୋନା ଯୋଗୁଁ କ୍ଲାସରୁମ୍‌ ପାଠପଢ଼ା ବନ୍ଦ ରହିଛି। ବର୍ଷେରୁ ଅଧିକ ସମୟ ହେଲା ପିଲାଙ୍କୁ କେବଳ ଅନ୍‌ଲାଇନ୍‌ରେ ଶିକ୍ଷା ଦିଆଯାଉଛି। ତେବେ ଦେଶର ଅଧିକାଂଶ ସ୍ଥାନରେ ନେଟ୍‌ ସୁବିଧା ନ ଥିବାରୁ ପିଲାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍‌ଲାଇନ୍‌ରେ ପାଠ ପଢ଼ିପାରୁ ନାହାନ୍ତି। ତାହାକୁ ନଜରରେ ରଖି 'ଭାରତ ନେଟ୍‌' ମାଧ୍ୟମରେ ସମସ୍ତ ସ୍କୁଲକୁ ସଂଯୋଗ କରିବାକୁ ରାଜ୍ୟର ଶିକ୍ଷା ସଚିବମାନେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କୁ ପ୍ରସ୍ତାବ ଦେଇଛନ୍ତି। ଏଥିସହ ମାଧ୍ୟମିକ ସ୍କୁଲ ପିଲାଙ୍କୁ ଡିଜିଟାଲ ଡିଭାଇସ୍‌ ଯୋଗାଇବାକୁ ବି ବୈଠକରେ ପରାମର୍ଶ ଦିଆଯାଇଛି।

କୋଭିଡ୍‌-୧୯ ସମୟରେ ପିଲାମାନେ କିଭଳି ଅନ୍‌ଲାଇନ୍‌ରେ ପଢ଼ିବେ ତାହାକୁ ନଜରରେ ରଖି ସୋମବାର କେନ୍ଦ୍ର ମନ୍ତ୍ରୀ ଶ୍ରୀ ପୋଖରିଆଲ ଭର୍ଚୁଆଲ୍‌ ମାଧ୍ୟମରେ ସମସ୍ତ ରାଜ୍ୟର ଶିକ୍ଷା ସଚିବଙ୍କ ସହ ଆଲୋଚନା କରିଥିଲେ। ପୂର୍ବାହ୍ନରେ ଅନୁଷ୍ଠିତ ଏହି ବୈଠକ ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିଲା। ‌ଏଥିରେ ମୁଖ୍ୟତଃ ଦୁଇଟି ବିଷୟକୁ ଅଧିକ ପ୍ରାଥମିକତା ଦିଆଯାଇଥିଲା। ପ୍ରଥମତଃ କୋଭିଡ୍‌-୧୯ ସମୟରେ ପିଲାମାନଙ୍କୁ ଅନ୍‌ଲାଇନ୍‌ରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଏବଂ ଦ୍ବିତୀୟତଃ ଜାତୀୟ ଶିକ୍ଷା ନୀତି-୨୦୨୦ର ସଠିକ୍‌ କାର୍ଯ୍ୟକାରିତା। ମନ୍ତ୍ରୀ ଶ୍ରୀ ପୋଖରିଆଲ କହିଥିଲେ ଯେ ଶିକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ନିରବଚ୍ଛିନ୍ନ ଶିକ୍ଷା ନିଶ୍ଚିତ କରିବାକୁ ଯୋଜନା ଆବଶ୍ୟକ। ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କର ମାନସିକ ସୁସ୍ଥତାକୁ ସୁନିଶ୍ଚିତ କରିବା ପାଇଁ 'ମନୋଦର୍ପଣ' ପୋର୍ଟାଲକୁ ପ୍ରଭାବଶାଳୀ ଭାବେ ବ୍ୟବହାର କରାଯାଉ। ଆବଶ୍ୟକତା ହେଲେ ଏକ ଅଧିବେଶନ କରି ପିଲାଙ୍କ ବିଷାଦ ଦୂର କରିବା ଦିଗରେ ପଦକ୍ଷେପ ନେଇପାରିବେ।

ଅନ୍ୟପକ୍ଷରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପୋଖରିଆଲ ମଙ୍ଗଳବାର ଭର୍ଚୁଆଲ ମାଧ୍ୟମରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର କୁଳପତିମାନଙ୍କ ସହ ଆଲୋଚନା କରିବେ। ଏଥିରେ ଅନ୍‌ଲାଇନ୍‌ ଶିକ୍ଷା, ପରୀକ୍ଷା ଓ କେନ୍ଦ୍ରୀୟ ଶିକ୍ଷା ନୀତି-୨୦୨୦ର କାର୍ଯ୍ୟକାରିତା ଉପରେ ମୁଖ୍ୟତଃ ଆଲୋଚନା କରାଯିବ। ଆଗାମୀ ଦିନରେ ଆଇଆଇଟି, ଏନ୍‌ଆଇଟି ପରି ଶିକ୍ଷାନୁଷ୍ଠାନ ମୁଖ୍ୟଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe