ଆରମ୍ଭ ହେଲା ଅଲାରନାଥଙ୍କ ଅଣସର ଦର୍ଶନ: ପ୍ରଥମରୁ ଅସମ୍ଭାଳ ଭିଡ଼

Advertisment
ଆରମ୍ଭ ହେଲା ଅଲାରନାଥଙ୍କ ଅଣସର ଦର୍ଶନ: ପ୍ରଥମରୁ ଅସମ୍ଭାଳ ଭିଡ଼

ବ୍ରହ୍ମଗିରି: ଆଜିଠାରୁ ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ ହୋଇଛି। ପ୍ରଥମଦିନରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିବା ବେଳେ ଅର୍ଗଳିଠାରୁ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି। ସୂଚନା ଅନୁସାରେ, ଭୋର୍‌ ଚାରିଟାରେ ଦ୍ବାରଫିଟା ସହ ମଙ୍ଗଳଆଳତି, ଅବକାଶ, ବେଶ, ଚନ୍ଦନ ତୁଳସୀ ଲାଗି, ଦ୍ବାରପାଳ ପୂଜା, ସୂର୍ଯ୍ୟପୂଜା, ରୋଷ ହୋମ ଓ ଗୋପାଳବଲ୍ଲଭ ଉଠି ସକାଳ ୫ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାରିକେଡ୍‌ ବ୍ୟବସ୍ଥା ହୋଇଛି। ଭୋର୍‌ ପାଞ୍ଚ‌ଟାରୁ ଶ୍ରୀଜିଉଙ୍କ ଅର୍ଗଳୀଠାରୁ ସିଂହଦ୍ବାର ଦେଇ ଚନ୍ଦନଚକଡ଼ା ପର୍ଯ୍ୟନ୍ତ ଲମ୍ବା ଧାଡ଼ି ଲାଗିଥିଲା। ଦିନ ବଢ଼ିବା ସହ ଧାଡ଼ି ବଢ଼ିଥିଲା। ଚନ୍ଦନଚକଡ଼ା ଡେଇଁ ଧାଡ଼ି ଅଲାରପୁର ଗାଁକୁ ଛୁଇଁଥିଲା। ମଧ୍ୟ୍ୟାହ୍ନ ୧ଟାରେ ସକାଳ ଧୂପ ଉଠିବା ବେଳକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଅସମ୍ଭାଳ ହୋଇଥିଲା। ଧୂପ ପାଇଁ ଦେଢ଼ଘଣ୍ଟା ଦର୍ଶନ ବନ୍ଦ ରହିଥିଲା। ଏଥିପାଇଁ ସନ୍ଧ୍ୟା ଯାଏ ଚନ୍ଦନଚକଡ଼ା ପର୍ଯ୍ୟନ୍ତ ଧାଡ଼ି ଲାଗି ରହିଛି। ଆଜି ପ୍ରାୟ ୪୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି।

ଅପରପକ୍ଷେ, ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ମନ୍ଦିର ଚାରିପଟେ ସିସି କ୍ୟାମେରା ଲଗାଯାଇଛି। ଜଗମୋହନ, ନାଟମଣ୍ତପ, ଆନନ୍ଦ ବଜାର, ସିଂହଦ୍ବାର, ଦୋଳବେଦି ପ୍ରଭୃତି ୧୬ଟି ସ୍ଥାନରେଏହି ସିସି କ୍ୟାମେରା ଲାଗିଛି। ସେହିପରି, ଶ୍ରୀଜିଉଙ୍କ ଦର୍ଶନ ପାଇଁ ଗୋଟିଏ ବାଟରେ ପ୍ରବେଶ ରହିଛି। ପୁଣି ସେହି ବାଟଦେଇ ପ୍ରସ୍ଥାନ ରହିଛି। ଅର୍ଥାତ୍‌ ଜୟବିଜୟ ଦ୍ବାର ଦେଇ ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ପ୍ରବେଶ କରିବେ। ଗରୁଡ଼ସ୍ତମ୍ଭ ଦେଇ ଛୋଟ ଦ୍ବାର ବାଟରେ ପ୍ରସ୍ଥାନ କରିବେ। ଆଜି ଦିନତମାମ ଛୋଟ ଦ୍ବାର ଦେଇ ଶହଶହ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ପ୍ରଶାସନ ଏହାକୁ ରୋକିବାରେ ବିଫଳ ହୋଇଛି। ପ୍ରସ୍ଥାନ ବାଟ ଦେଇ ଯେଉଁ ଶ୍ରଦ୍ଧାଳୁ ଭିତରକୁ ଯିବେ ସେମାନେ ଗରୁଡସ୍ତମ୍ଭ ପାଖରେ ପୂର୍ବରୁ ଧାଡ଼ିରେ ଛିଡା ହୋଇଥିବା ଶ୍ରଦ୍ଧାଳୁଙ୍କ ସାଙ୍ଗରେ ମିଶି ଦର୍ଶନ ପାଇଁ ଯିବେ। ଫଳରେ ଅସମ୍ଭାଳ ଭିଡ଼ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe