ସମ୍ବଲପୁର : ଜାଲ୍ ସାର୍ଟିଫିକେଟ୍ ନେଇ ସାରା ରାଜ୍ୟରେ ହଟଚମଟ ଚାଲିଥିବା ବେଳେ ସମ୍ବଲପୁରରେ ବି ଏହି କଳା କାରନାମାର ପେଡ଼ିଖୋଲିଛି। ନିକଟରେ ଡାକ ବିଭାଗରେ ହୋଇଥିବା ନିଯୁକ୍ତିରେ ୬ ଜଣ ପ୍ରାର୍ଥୀ ନକଲି ସାର୍ଟିଫିକେଟ୍ ଦେଇ ଚାକିରି ପାଇଥିବା ସନ୍ଦେହ କରି ସମ୍ବଲପୁର ଡିଭିଜନ୍ର ଡାକ ଅଧୀକ୍ଷକ ସ୍ଥାନୀୟ ଟାଉନ୍ ଥାନାରେ ଏତଲା ଦେଇଛନ୍ତି। ସଂପୃକ୍ତ ପ୍ରାର୍ଥୀମାନେ ହେଲେ ଭଦ୍ରକ ଜିଲ୍ଲାର ସୋନାଲି ସ୍ବାଇଁ, ଜଗତସିଂହପୁର ଜିଲ୍ଲାର ଜ୍ୟୋତିକାନ୍ତ ମହାନ୍ତି, ବରଗଡ଼ ଜିଲ୍ଲାର ରୁଦ୍ରାଣୀ ପ୍ରଧାନ ଓ ଝରାଶ୍ରୀ ସାହା, କଳାହାଣ୍ଡିର ରୁଦ୍ରମଣି ମିଶ୍ର ଏବଂ ଦେବଗଡ଼ର ଝିଲି ସାହୁ।
ନିଯୁକ୍ତି ପାଇଁ ମନୋନୀତ ତାଲିକାରେ ସ୍ଥାନ ପାଇଥିବା ଏହି ୬ ଜଣ ପ୍ରାର୍ଥୀ ଓଡ଼ିଶାର ଓ ଓଡ଼ିଆ ହୋଇଥିଲେ ବି ସେମାନେ ଉତ୍ତର ପ୍ରଦେଶ ବୋର୍ଡରୁ ମାଟ୍ରିକ୍ ପରୀକ୍ଷା ପାସ୍ କରିଥିବା ନେଇ ସାର୍ଟିଫିକେଟ୍ ଦାଖଲ କରିଛନ୍ତି। କେବଳ ସେତିକି ନୁହେଁ ଉତ୍ତର ପ୍ରଦେଶ ବୋର୍ଡରୁ ମାଟ୍ରିକ୍ ପାସ୍ କରିଥିଲେ ବି ସେଠାରେ ସେମାନେ ଓଡ଼ିଆ ବିଷୟ ରଖିଥିବା ସାର୍ଟିଫିକେଟ୍ ଓ ମାର୍କସିଟ୍ରେ ଉଲ୍ଲେଖ ରହିଛି। କିନ୍ତୁ ଉତ୍ତର ପ୍ରଦେଶ ସରକାରଙ୍କ ପାଠ୍ୟକ୍ରମରେ ଓଡ଼ିଆ ଭାଷା ବିଷୟ ନାହିଁ। ଏହାଛଡ଼ା ଉତ୍ତର ପ୍ରଦେଶ ବୋର୍ଡର ୱେବ୍ସାଇଟ୍ରେ ଏହି ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ୍ ସଂପର୍କିତ ତଥ୍ୟ ଉଲ୍ଲେଖ ନାହିଁ। ତେଣୁ ଏହା ଉପରେ ଆବଶ୍ୟକ ପଦକ୍ଷେପ ନେବାକୁ ଡାକ ଅଧୀକ୍ଷକ ଏତଲାରେ ଅନୁରୋଧ କରିଛନ୍ତି।
ନିଯୁକ୍ତି ସଂପର୍କରେ ସୂଚନା ଦେବାକୁ ଯାଇ ଏତଲାରେ ଅଧୀକ୍ଷକ ଦର୍ଶାଇଛନ୍ତି ଯେ ସମ୍ବଲପୁର ଡାକ ମଣ୍ଡଳରେ ୯୬ଟି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ପଦରେ ନିଯୁକ୍ତି ପାଇଁ ଗତ ମାର୍ଚ୍ଚ ୧୧ରେ ମନୋନୀତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିଲା। ସିଇପିଟି ହାଇଦ୍ରାବାଦ ପକ୍ଷରୁ ସାର୍ଟିଫିକେଟ୍ ଯାଞ୍ଚ ହୋଇଥିଲା। ଏଥିରୁ ଉପରୋକ୍ତ ସନ୍ଦିଗ୍ଧ ପ୍ରାର୍ଥୀମାନଙ୍କ ସଂପର୍କରେ ଜଣାପଡ଼ିଛି ବୋଲି ଅଧୀକ୍ଷକ ଉଲ୍ଲେଖ କରିଛନ୍ତି। ତାଙ୍କ ଏତଲା ଆଧାରରେ ସମ୍ବଲପୁର ଟାଉନ୍ ଥାନାରେ ୭ ତାରିଖ ଶୁକ୍ରବାର ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତମାନଙ୍କ ବିରୋଧରେ ଆଇପିସିର ଧାରା ୪୬୭, ୪୬୮, ୪୭୧, ୪୧୨, ୧୨୦ (ବି)ରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି।
Follow Us