ଢେଙ୍କାନାଳ: c ଆଜି ଛାତ୍ରମାନେ ପୁଣି ଥରେ ମହାବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଅଧ୍ୟକ୍ଷ ଶ୍ରୀ ସାହୁଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି।
ମୁଖ୍ୟ ଫାଟକରେ ତାଲା, ଅଧ୍ୟକ୍ଷଙ୍କ କୁଶ ପୁତ୍ତଳିକା ଦାହ
ସୂଚନା ଅନୁସାରେ, ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଚିତ୍ତରଞ୍ଜନ ସାହୁ ନକଲି ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇ ଚାକିରି ହାତେଇଥିବା ଅଭିଯୋଗରେ ଗତ ମାସ ଛାତ୍ରମାନେ ଦୁଇଥର ଆନ୍ଦୋଳନକୁ ଓହ୍ଲାଇଥିଲେ। ଏ ସଂପର୍କରେ ସେମାନେ ମୁଖ୍ୟମନ୍ତ୍ରୀ ଓ ଆର୍ଡିସିଙ୍କୁ ମଧ୍ୟ ଜଣାଇଥିଲେ। ଆର୍ଡିସିଙ୍କ ନିର୍ଦ୍ଦେଶରେ ଗତ ମାସ ୧୮ ତାରିଖ ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିଲା। ସେହିପରି ଗତ ମାସ ୨୬ ତାରିଖରେ ଭୁବନେଶ୍ୱର ରିଜିଓନାଲ୍ ଡାଇରେକ୍ଟର ଅଫ୍ ଏଜୁକେସନ୍ର ଉପନିର୍ଦ୍ଦେଶକ ଡକ୍ଟର ଜିତେନ୍ଦ୍ର ସାହୁ ମହାବିଦ୍ୟାଳୟକୁ ତଦନ୍ତ ପାଇଁ ଆସିଥିଲେ। ଗସ୍ତ କାଳରେ ସେ ଅଧ୍ୟକ୍ଷ ଚିତ୍ତରଞ୍ଜନ ସାହୁ ଓ ସୂଚନା ଅଧିକାର କର୍ମୀ ପ୍ରିୟବ୍ରତ ଗଡ଼ନାୟକଙ୍କୁ ପୃଥକ୍ ଭାବେ ପଚରାଉଚରା କରିଥିଲେ। ସେହିଦିନ ମଧ୍ୟ ଛାତ୍ରମାନେ ଆନ୍ଦୋଳନକୁ ଓହ୍ଲାଇ ଥିଲେ। ଆନ୍ଦୋଳନକାରୀ ଛାତ୍ରମାନଙ୍କୁ ବୁଝାସୁଝା କରି ତଦନ୍ତ ରିପୋର୍ଟ ସରକାରଙ୍କୁ ଦିଆଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉପନିର୍ଦ୍ଦେଶକ ଆଶ୍ୱାସନା ଦେଇଥିଲେ। ଏହାର ଏକ ସପ୍ତାହକ ପରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଆଜି ଛାତ୍ରମାନେ ପୁଣି ମହାବିଦ୍ୟାଳୟ ଫାଟକରେ ତାଲା ପକାଇ ଅଧ୍ୟକ୍ଷ ଶ୍ରୀ ସାହୁଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି।
ଖବର ପାଇ ସଦର ତହସିଲଦାର ସ୍ୱାଧୀନ କୁମାର ବେହେରା ଓ ଟାଉନ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳଳନକାରୀ ଛାତ୍ରମାନଙ୍କୁ ବୁଝାସୁଝା କରିଥିଲେ। ବର୍ତ୍ତମାନ ମହାବିଦ୍ୟାଳୟରେ ପରୀକ୍ଷା ଓ ଖାତାଦେଖା ଚାଲି ଥିବାରୁ କୌଣସି ପ୍ରକାର ବିଶୃଙ୍ଖଳା ନକରିବାକୁ ପରାମର୍ଶ ଦେଇଥିଲେ। ଅଧ୍ୟକ୍ଷଙ୍କ ନକଲି ଦିବ୍ୟାଙ୍ଗ ପ୍ରମାଣପତ୍ର ସଂପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏବଂ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସରକାରଙ୍କୁ ତଦନ୍ତ ରିପୋର୍ଟ ଦିଆଯାଇଛି। ସରକାରଙ୍କ କାର୍ଯ୍ୟ ପଦ୍ଧତି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ସମୟ ଲାଗିବ। ସେଥିପାଇଁ ଧୈର୍ଯ୍ୟ ରଖିବାକୁ ତହସିଲଦାର ପରାମର୍ଶ ଦେବାପରେ ଛାତ୍ରମାନେ ଆନ୍ଦୋଳନରୁ ଓହରିଥିଲେ।
  
 Follow Us