ଭକ୍ତଙ୍କ ରଣହୁଙ୍କାର : ଜମି ମାଫିଆ ଓ ଶାସକ ଦଳର ନେତା ଦର୍ପଣ ସାଗର ଜମି ଲୁଟରେ ସମ୍ପୃକ୍ତ ଥିବା ଅଭିଯୋଗ କଲେ

Advertisment

୭ ଦିନ ମଧ୍ୟରେ ପ୍ରଶାସନ ପଦକ୍ଷେପ ନନେଲେ ଆନ୍ଦୋଳନ ପାଇଁ ଚେତାବନୀ

୭ ଦିନ ମଧ୍ୟରେ ପ୍ରଶାସନ ପଦକ୍ଷେପ ନନେଲେ ଆନ୍ଦୋଳନ ପାଇଁ ଚେତାବନୀ

ଭକ୍ତଙ୍କ ରଣହୁଙ୍କାର : ଜମି ମାଫିଆ ଓ ଶାସକ ଦଳର ନେତା ଦର୍ପଣ ସାଗର ଜମି ଲୁଟରେ ସମ୍ପୃକ୍ତ ଥିବା ଅଭିଯୋଗ କଲେ

ଭବାନୀପାଟଣା : ଭବାନୀପାଟଣା ସହରର ଦର୍ପଣ ସାଗରକୁ ପୋତି ଜମି ପ୍ଲଟିଂ ଘଟଣାରେ ଜମିମାଫିଆ ମାନଙ୍କ ସହ ମିଶି ଜିଲ୍ଲାର ଶାସକ ଦଳର ନେତା ମାନେ ଜମି ଲୁଟରେ ସମ୍ପୃକ୍ତ ଥିବା ପୂର୍ବ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ଆସନ୍ତା ୭ ଦିନ ମଧ୍ୟରେ ପୋତା ଯାଇଥିବା ଦର୍ପଣ ସାଗର ଜଳାଶୟକୁ ପୁନର୍ବାର ମାଟି କଢ଼ାଯିବା ସହିତ ପଡ଼ାବାସୀଙ୍କ ବ୍ୟବହାର ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନନେଲେ ଆନ୍ଦୋଳନକୁ ତୀବ୍ରତର କରାଯିବା ସହିତ ଭବାନୀପାଟଣା ବନ୍ଦ ଓ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହରରେ ଆବାହମାନ କାଳରୁ ଚାରିଟି ଜଳାଶୟ ରହିଛି । ଏହି ସମସ୍ତ ଜଳାଶୟଗୁଡିକ ରାଜରାଜୁଡା ଅମଳରେ ଜନସାଧାରଣଙ୍କ ଦ୍ଵାରା ଖୋଳା ଯାଇଥିଲା । ସେଥିମଧ୍ୟରୁ ଛଅ ଏକରରୁ ଅଧିକ ଜମିରେ ଦର୍ପଣ ସାଗର ରହିଛି । ଏହି ଦର୍ପଣ ସାଗରକୁ ସହରର ୯ ଟି ପଡାର ଜନସାଧାରଣବର୍ଷ ବର୍ଷ ଧରି ବ୍ୟବହାର କରି ଆସୁଛନ୍ତି । ବିଭିନ୍ନ ପର୍ବପର୍ବାଣି, ତିଳ ତର୍ପଣ, ଶ୍ରାଦ୍ଧ, ଦଶାହ,ଧାର୍ମିକ କାର୍ଯ୍ୟକ୍ରମ ଓ ଗାଧୋଇବା ପାଇଁ ଏହି ଦର୍ପଣ ସାଗର ଉପରେ ନିର୍ଭର କରନ୍ତି । ଗତ ୨୦୧୪-୧୫ ମସିହାରେ ଜମିମାଫିଆମାନେ ଏହି ଦର୍ପଣ ସାଗର ଜଳାଶୟର କିସମ ପରିବର୍ତ୍ତନ କରି ପ୍ଲଟିଂ ପାଇଁ ପୋତିବାରେ ଲାଗିଛନ୍ତି । ଜମି ମାଫିଆମାନେ ରାତି ଅଧିଆ ଏହି ଜଳାଶୟର ହିଡ଼ କାଟି ଜଳ ନିଷ୍କାସନ କରିଦେବା ଫଳରେ ସ୍ଥାନୀୟ ମଦନମୋହନ ପଡା ଭିତରେ ପାଣି ପଶି ଚାଳ ଘର ଗୁଡିକ ନଷ୍ଟ ହୋଇଥିଲା । ଏ ସମ୍ପର୍କରେ ସ୍ଥାନୀୟ ପଡ଼ାବାସୀ ଟାଉନ ଥାନାରେ, ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ ପକ୍ଷରୁ ଏହା ବ୍ୟକ୍ତିଗତ ମାଲିକାନାରେ ଥିବା ଦର୍ଶାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମନା କରିଦେଇଥିଲେ । ଏଥିସହ ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ । ଫଳରେ ଏହି ୯ଟି ପଡ଼ାବାସୀ ରାଜ୍ୟ ବିରୋଧୀଦଳ ନେତା ଓ ତଥା ସ୍ଥାନୀୟ ସଦରବିଧାୟକଙ୍କୁ ଜଣାଇଥିଲେ। ଏହା ବ୍ୟକ୍ତିଗତ ମାଲିକାନାର ଜଳାଶୟ କହି ବିରୋଧୀଦଳ ନେତା କିଛି କରି ପାରିବି ନାହିଁ ବୋଲି ଲୋକଙ୍କୁ କହିଥିଲେ । ପରେ ୯ଟି ପଡ଼ାବାସୀ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ ଜଣାଇଥିଲେ । ଶ୍ରୀ ଦାସ ଜଳାଶୟ ସ୍ଥଳ ପରିଦର୍ଶନ କରି ଚାଲି ଥିବା କାମ ତୁରନ୍ତ ବନ୍ଦ କରାଇ ଥିଲେ ।

ଦର୍ପଣ ସାଗରର ପାଣି କାଟିବା ଯୋଗୁଁ ୯ଟି ପଡାର କୂଅ ଓ ନଳକୂପର ଜଳସ୍ତର କମିଛି । ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ , ସୁପ୍ରିମକୋର୍ଟ, ହାଇକୋର୍ଟ ଦ୍ୱାରା ସହରାଞ୍ଚଳରେ ଜଳାଶୟର ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇ ପାରିବେ ବୋଲି ନିର୍ଦେଶନାମା ରହିଛି । ଏସମ୍ପର୍କରେ ଶ୍ରୀ ଦାସ ଆଜି ଭବାନୀପାଟଣା ସହରସ୍ଥିତ ହୋଟେଲ ଅମରାପଲ୍ଲୀ କ୍ଲାସିକରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ ରାଜ୍ୟ ଶାସକ ଦଳର ଜିଲ୍ଲାର ପ୍ରଭାବଶାଳୀନେତାମାନେ ଜମି ମାଫିଆମାନଙ୍କ ମିଶି ଦିନ ଦ୍ବିପହରରେ ଜମି ଲୁଟ କରୁଥିବା ଅଭିଯୋଗ କରିଛନ୍ତି । ମାନ୍ୟବର ସୁପ୍ରିମକୋର୍ଟ ଓ ହାଇକୋର୍ଟ ବିଭିନ୍ନ ସମୟରେ ରାୟ ଦେଇଥିବା କୌଣସି ଜଳାଶୟଗୁଡିକ ପୋତା ଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ ନିର୍ଦେଶ ଦେଇଥିବା ରାୟର ଫୋଟୋକପି ଦେଖାଇ ଥିଲେ । ମାନ୍ୟବର ହାଇକୋର୍ଟଙ୍କ ନିର୍ଦେଶ ବଳରେ ରାଜ୍ୟ ସରକାର ଆରଡିସି ସ୍ତରୀୟ କମିଟି କରି ରାଜ୍ୟର ସମସ୍ତ ଜଳାଶୟ ଗୁଡିକର ରକ୍ଷଣାବେକ୍ଷଣ ଓ ସୁରକ୍ଷା କରାଯିବା ପାଇଁ ନିଷ୍ପତ୍ତି ନେଇ ଥିବା ବେଳେ ଏ ସମ୍ପର୍କରେ ନିର୍ଦେଶାବଳୀ ସମ୍ପର୍କରେ ପୁଲିସ ଓ ଜିଲ୍ଲା ପ୍ରଶାସନ କିପରି ଜାଣି ପାରି ନାହାନ୍ତି ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି ।

ଆଗାମୀ ସାତ ଦିନ ମଧ୍ୟରେ ଯଦି ଏହି ଦର୍ପଣ ସାଗରକୁ ତାର ପୁନଃ ସ୍ଥିତିକୁ ଅଣା ନଯାଏ ଏବଂ ଜିଲ୍ଲା ପ୍ରଶାସନ ଏହି ଜମି ମାଫିଆ ଅପରାଧୀ ମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ତେବେ ଏହାର ସୁରକ୍ଷା ପାଇଁ ବ୍ୟାପକ ଆନ୍ଦୋଳନ କରାଯିବ । ଆସନ୍ତା ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ ଭବାନୀପାଟଣା ସହରକୁ ୪୮ ଘଣ୍ଟା ପାଇଁ ବନ୍ଦ କରାଯିବ । ଏହାପରେ ପଦକ୍ଷେପ ନନେଲେ ହ୍ୟୁମାନଚେନ କରାଯାଇ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏଥିରେ ସମ୍ପୃକ୍ତ ଥିବା ଦୁର୍ବୁତ୍ତ, ରାଜନେତା ଓ ପ୍ରଶାସନ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜରାସ୍ତାକୁ ଆସିବାକୁ ବାଧ୍ୟ ହେବୁ ବୋଲି ପୂର୍ବତନ ମନ୍ତ୍ରୀ ଭକ୍ତ ଚରଣ ଦାସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ୱାର୍ଡ ନଂ ୧୮, ୧୯ ଓ ୨୦ର ୯ଟି ପଡ଼ାବାସୀଙ୍କ ପ୍ରତିନିଧି ଯୋଗଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe