ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ; ଶ୍ବଶୁର ଓ ନଣନ୍ଦ ଅଟକ, ସ୍ବାମୀ ଫେରାର୍‌

Advertisment
ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ; ଶ୍ବଶୁର ଓ ନଣନ୍ଦ ଅଟକ, ସ୍ବାମୀ ଫେରାର୍‌

ତିହିଡ଼ି: ଭଦ୍ରକ ଜିଲ୍ଲା କୁବେରା ପଞ୍ଚାୟତ ଅଧୀନ ଜୟପୁର ଗ୍ରାମର ଅଜିତ କୁମାର ନାୟକଙ୍କ ଝିଅ ମୋନାଲିସା (୨୫) ଆଠ ବର୍ଷ ତଳେ ତାଳପଦା ପଞ୍ଚାୟତ ଗଦାଧରପୁର ଗ୍ରାମର ଲକ୍ଷ୍ମୀଧର ନାୟକଙ୍କ ପୁଅ ବିଜୟ ନାୟକ (୨୯)ଙ୍କୁ ବିବାହ କରିଥିଲେ। ବିବାହ ସମୟରେ ଶାଶୂଘର ଦାବି ମୁତାବକ ୮୦ ହଜାର ଟଙ୍କା ସହ ଅନ୍ୟାନ୍ୟ ଜିନିଷ ଯୌତୁକ ଆକାରରେ ଦିଆଯାଇଥିଲା। ମାତ୍ର ବିବାହର କିଛିଦିନ ପରେ ଅଧିକ ୧ ଲକ୍ଷ ଟଙ୍କା ଦାବି କରି ଶାଶୂଘର ଲୋକେ ମୋନାଲିସାଙ୍କୁ ବିଭିନ୍ନ ସମୟରେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ।

ଏପରି ସମୟରେ ଗତ ଜୁନ୍ ୨୯ ତାରିଖ ଦିନ ମୋନାଲିସାଙ୍କ ମୃତ୍ୟୁ ହୋଇଥିଲା। ମୃତ ମୋନାଲିସାଙ୍କ ସ୍ବାମୀ ବିଜୟ ଶାଶୂଙ୍କ ନିକଟକୁ ଖବର ଦେଇଥିଲେ ଯେ ତାଙ୍କ ଝିଅ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏନେଇ ମୋନାଲିସା ବାପାଘର ପକ୍ଷରୁ ଥାନ‌ାରେ ‌ଯୌତୁକ ଜନିତ ହତ୍ୟା ଅଭିଯୋଗ ହୋଇଥିଲା। ଫଳରେ ପୁଲିସ ୨୭୮/୨୨ରେ ଏକ ମାମଲା ରୁଜୁ କରି ଶ୍ବଶୁର ଲକ୍ଷ୍ମୀଧର ନାୟକ, ନଣନ୍ଦ ସୁଲୋଚନା ବିଶ୍ବାଳ, ସ୍ବାମୀ ବିଜୟ ନାୟକ, ଦିଅର ଅଜୟ ନାୟକ, ଭଣଜା ସନ୍ତୋଷ ବିଶ୍ବାଳ ଓ ଚନ୍ଦନ ବିଶ୍ବାଳଙ୍କ ନାମରେ ମାମଲା ରୁଜୁ କରିଛି। ଶ୍ବଶୁର ଲକ୍ଷ୍ମୀଧର ଓ ନଣନ୍ଦ ସୁଲୋଚନାଙ୍କୁ ଅଟକ ଥିବା ବେଳେ ସ୍ବାମୀ ବିଜୟ ନାୟକ ଫେରାର୍‌ ହୋଇଯାଇଛନ୍ତି। ସୂଚନାଯୋଗ୍ୟ; ମୃତ ମୋନାଲିସାଙ୍କ ଜଣେ ଦୁଇବର୍ଷର ପୁଅ ଏବଂ ଜଣେ ଚାରିବର୍ଷର ଝିଅ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe