ଶାସ୍ତ୍ରୀୟ ଓଡ଼ିଆ ଭାଷା ରାଷ୍ଟ୍ରପତି ପୁରସ୍କାର ଚୟନରେ ଜାଲିଆତି ଅଭିଯୋଗ, ପୁରସ୍କୃତ ବ୍ୟକ୍ତିଙ୍କ ଶିକ୍ଷାଗତ ଯୋଗ୍ୟତାର ତଦନ୍ତ ପାଇଁ ଦାବି

Advertisment
ଶାସ୍ତ୍ରୀୟ ଓଡ଼ିଆ ଭାଷା ରାଷ୍ଟ୍ରପତି ପୁରସ୍କାର ଚୟନରେ ଜାଲିଆତି ଅଭିଯୋଗ, ପୁରସ୍କୃତ ବ୍ୟକ୍ତିଙ୍କ ଶିକ୍ଷାଗତ ଯୋଗ୍ୟତାର ତଦନ୍ତ ପାଇଁ ଦାବି

କଟକ : ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ ଭାଷା ଗବେଷଣାରେ ଆଜୀବନ କାର୍ଯ୍ୟ କରିଥିବା ବରିଷ୍ଠ ଶିକ୍ଷାବିତ୍‌ଙ୍କ ପାଇଁ ଉଦ୍ଦିଷ୍ଟ ସମ୍ମାନଜନକ ରାଷ୍ଟ୍ରପତି ପୁରସ୍କାର ମନୋନୟନରେ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି। ନୀତି ନିୟମକୁ ଭାଙ୍ଗି ଜଣେ ଭାଷା ଅନଭିଜ୍ଞ ବ୍ୟକ୍ତିଙ୍କୁ ୨୦୧୯ ପାଇଁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯାଇଛି ବୋଲି ‘ମୋ ଭାଷା ସଂଗଠନ’ ପକ୍ଷରୁ ଶ୍ରୀରାମଚନ୍ଦ୍ର ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ‌ରେ ଅଭିଯୋଗ କରାଯାଇଛି। ଏହି ଅନିୟମିତତାରେ ଦୁଇ ଜଣ କୁଳପତି, କମିଟି ସଦସ୍ୟ ଓଡ଼ିଆ ଭାଷା ବିଶେଷଜ୍ଞ ଓ ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ସଂପୃକ୍ତି ଥିବା ସଂଗଠନ ପକ୍ଷରୁ ଅଭିଯୋଗ କରାଯିବା ସହିତ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରାଯାଇଛି।

ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟକୁ ଆଧାର କରି ଆଜି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ ଶାସ୍ତ୍ରୀୟ ଓଡ଼ିଆ ଭାଷାପାଇଁ ୨୦୧୯ ରାଷ୍ଟ୍ରପତି ପୁରସ୍କାର ନିମନ୍ତେ ରାଜ୍ୟର ତତ୍କାଳୀନ ମୁଖ୍ୟ ଶାସନ ସଚିବ ଅନ୍ତର୍ଯାମୀ ମିଶ୍ରଙ୍କ ନାମକୁ ସୁପାରିସ କରିଥିଲେ। ଶ୍ରୀ ମିଶ୍ର ଉତ୍କଳ ବିଶ୍ବବିଦ୍ୟାଳୟରୁ ୧୯୭୩ରେ ଦ୍ବିତୀୟ ଶ୍ରେଣୀରେ ସ୍ନାତକୋତ୍ତର ପାସ୍‌ କରିଥିବା କହିଛନ୍ତି। ମାତ୍ର ଉତ୍କଳ ବିଶ୍ବବିଦ୍ୟାଳୟରୁ ୧୯୭୩ରେ ଅନ୍ତର୍ଯାମୀ ମିଶ୍ରଙ୍କ ନାମରେ କୌଣସି ବ୍ୟକ୍ତି ଦ୍ବିତୀୟ ଶ୍ରେଣୀରେ ଓଡ଼ିଆ ସ୍ନାତକୋତ୍ତର ପାସ୍‌ କରି ନଥିବା ବିଶ୍ବବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ସେହିପରି ଶାସ୍ତ୍ରୀୟ ଓଡ଼ିଆ ଭାଷା ପାଇଁ ସ୍ବତନ୍ତ୍ର ଅବଦାନ ଭାବରେ ଶ୍ରୀ ମିଶ୍ର ପାଠ୍ୟପୁସ୍ତକ ରଚନା କରିଛନ୍ତି ବୋଲି ଯାହା ଦର୍ଶାଯାଇଛି, ତାହା ମିଛ। ତାଙ୍କର କୌଣସି ବହି ରାଜ୍ୟ ପାଠ୍ୟପୁସ୍ତକ ଭାବରେ ପଢ଼ାଯାଉନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ସଂପୂର୍ଣ୍ଣ ପ୍ରକ୍ରିୟାର ସ୍ବଚ୍ଛତାକୁ ନେଇ ସଂଗଠନ ପ୍ରଶ୍ନ ଉଠାଇବା ସହିତ ମିଛ ତଥ୍ୟ ଦେଇ ପୁରସ୍କାର ହାତେଇ ଥିବା ବ୍ୟକ୍ତିଙ୍କ ବିରୋଧରେ ତଦନ୍ତ କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଶିକ୍ଷାବିତ୍‌ ପ୍ରଫେସର ନଟବର ଶତପଥୀ, ଡକ୍ଟର ସୁବ୍ରତ ପୃଷ୍ଟି, ଡକ୍ଟର ଗୋବିନ୍ଦ ଭୂୟାଁ, ପ୍ରଫେସର ବସନ୍ତ ପଣ୍ଡା, ପ୍ରଫେସର ସନ୍ତୋଷ ତ୍ରିପାଠୀ, ପ୍ରଦୀପ୍ତ ଜେନା, ରବୀନ୍ଦ୍ର ନାଥ ମହାନ୍ତି, ଇଂ ଦେବାଶିଷ ଭୂତିଆ, ଇଂ ଗୋପାଳକୃଷ୍ଣ ବେହେରା, ଡ. ବିଶ୍ବନନ୍ଦନ ଦାଶ, ଇଂ. ସଞ୍ଜୟ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe