ରରୁଁଆରେ ଜିଏସ୍‌ଟି ଠକେଇ ଅଭିଯୋଗ : ରେକର୍ଡ ୧ କୋଟିରୁ ଅଧିକ ଜରିମାନା ଆଦାୟ

ଜିଏସ୍‌ଟି ହାର ବଢ଼ିବ, ସ୍ଲାବ୍‌ କମିବ

The Hindu

ବାରିପଦା : ମୟୂରଭଞ୍ଜ ଜିଲ୍ଲା ରରୁଁଆରେ ଗୋଟିଏ ପରିବାରର ମାଲିକାନାରେ ଚାଲିଥିବା ୪ଟି ଭିନ୍ନ ଭିନ୍ନ ବାଣିଜ୍ୟିକ ପ୍ରତିଷ୍ଠାନ ଉପରେ ରାଜ୍ୟ ବାଣିଜ୍ୟକର ଓ ଦ୍ରବ୍ୟ ସେବା କର (ସିଟିଏଣ୍ଡ୍‌ ଜିଏସ୍‌ଟି) ବିଭାଗ ପକ୍ଷରୁ ଚଢ଼ଉ ହୋଇଛି। ରାଜ୍ୟ ଜିଏସ୍‌ଟି ବିଭାଗର ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ପକ୍ଷରୁ ଡେପୁଟି କମିଶନର ମନ୍ମଥ ପ୍ରଧାନଙ୍କ ନେତୃତ୍ବରେ ହୋଇଥିବା ଏହି ଚଢ଼ଉ ବେଳେ ଉକ୍ତ ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକ ବିନା ବିଲ୍‌ରେ କାରବାର କରିବା ସହିତ ନାନା ଉପାୟରେ ସରକାରଙ୍କୁ ଜିଏସ୍‌ଟି ଠକେଇ କରିଥିବା ଜଣାପଡ଼ିଛି। ତେଣୁ ଘଟଣାସ୍ଥଳରୁ ୧ କୋଟି ୧୧ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଛି।

ରରୁଁଆ ଅଞ୍ଚଳର ମୀନତି ଦାସ ଅଧିକାରୀ ଓ ତାଙ୍କ ପୁଅ ରିତେଶ ଦାସ ଅଧିକାରୀଙ୍କ ମାଲିକାନାରେ ଥିବା ଶ୍ରୀ ଉଦ୍ୟୋଗ, ଶ୍ରୀଜଗନ୍ନାଥ ଟ୍ରେଡର୍ସ, ଓମ୍‌ସାଇ ଇଣ୍ଡଷ୍ଟ୍ରିଜ୍ ଏବଂ ସଞ୍ଜୀବ କୁମାର ଆଣ୍ଡ କୋ ସଂସ୍ଥା ପକ୍ଷରୁ ତମାଖୁ, ପାନ ମସଲା ଦ୍ରବ୍ୟ ଉତ୍ପାଦନ, ଇଟା, ରଡ୍‌, ସିମେଣ୍ଟ, ସେରାମିକ୍‌ ଟାଇଲ୍‌ ଭଳି ବିଭିନ୍ନ ବ୍ୟବସାୟ ଚାଲିଛି। ମାତ୍ର ଏହି ସଂସ୍ଥାଗୁଡ଼ିକ ଜିଏସ୍‌ଟି ଫାଙ୍କିବା ସହିତ ଜାଲ୍‌ କାଗଜପତ୍ର ପ୍ରସ୍ତୁତ କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ କଟକ, ବାଲେଶ୍ବର, ଅନୁଗୁଳ, ଯାଜପୁର ଓ ବାରିପଦା ଜିଏସ୍‌ଟି କାର୍ଯ୍ୟାଳୟର ୫ଟି ଟିମ୍‌ ଗତକାଲିଠାରୁ ଉକ୍ତ ବ୍ୟାବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ଉ ଜାରି ରଖିଥିଲା। ଏହାସହିତ ଆଦାୟ ହୋଇଥିବା ୧ କୋଟିରୁ ଅଧିକ ଜରିମାନା ଜୁଲାଇ ୨୦୧୭ରୁ ସାରା ଭାରତରେ ଲାଗୁ ହୋଇଥିବା ଜିଏସ୍‌ଟି ଆକ୍ଟ ଦିନରୁ ଏକ ରେକର୍ଡ ବୋଲି ଡେପୁଟି କମିଶନର ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ଚଢ଼ଉ ସମୟରେ ବିଭିନ୍ନ ସଂସ୍ଥା ନାମରେ ଥିବା ୪୦ରୁ ୫୦ଟି ବ୍ଲାଙ୍କ ଚେକ୍‌, କମ୍ପ୍ୟୁଟର ହାର୍ଡ ଡିସ୍କ ଆଦି ଜବତ କରାଯାଇଛି। ଜିଏସ୍‌ଟି ଫାଙ୍କିବା ଘଟଣାରେ ଅନ୍ୟ କ‌ୌଣସି ସଂସ୍ଥାଙ୍କର ସଂପୃକ୍ତି ନେଇ ତଦନ୍ତ ଜାରି ରହିଛି। ଜିଲ୍ଲାରେ ଏଭଳି ବଡ଼ଧରଣର ଚଢ଼ଉ ପରେ ଠକାମୀ କରୁଥିବା ବାଣିଜ୍ୟିକ ଅନୁଷ୍ଠାନଗୁଡ଼ିକ ମଧ୍ୟରେ ଛନକା ପଶିଛି। ଟିକସ ଫାଙ୍କୁଥିବା ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକ ଉପରେ ବିଭାଗର ନଜର ରହିଛି। ଆଗାମୀ ଦିନରେ ସେମାନଙ୍କ ବିରୋଧରେ ମଧ୍ୟ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଟିକସ ଫାଙ୍କୁଥିବା ବ୍ୟାବସାୟିକ ସଂସ୍ଥାଗୁଡ଼ିକ ବିରୋଧରେ ରାଜ୍ୟବ୍ୟାପୀ ଧରପଗଡ଼ ପାଇଁ ରାଜ୍ୟ ସିଟି ଆଣ୍ଡ ଜିଏସଟି କମିଶନର ସୁଶୀଲ କୁମାର ଲୋହାନୀ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe