ଚନ୍ଦାହାଣ୍ଡି : ମହାତ୍ମା ଗାନ୍ଧୀଙ୍କୁ ଅପମାନ ନେଇ ଅଭିଯୋଗ, ଥାନାରେ ଏତଲା ଦେଲେ କଂଗ୍ରେସ ନେତା

ଚନ୍ଦାହାଣ୍ଡି : ମହାତ୍ମା ଗାନ୍ଧୀଙ୍କୁ ଅପମାନ ନେଇ ଅଭିଯୋଗ, ଥାନାରେ ଏତଲା ଦେଲେ କଂଗ୍ରେସ ନେତା

ଚନ୍ଦାହାଣ୍ଡି : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସଂପର୍କରେ ଅପମାନ ଜନକ ମନ୍ତବ୍ୟ ଦେଇଥିବା ନେଇ ବିଜେଡି ନେତା ପ୍ରମୋଦ କୁମାର ପାଢ଼ୀଙ୍କ ବିରୋଧରେ ସଂଗିନ୍ ଅଭିଯୋଗ ଆଣିଛି କଂଗ୍ରେସ। ଏପରିକି ତୁରନ୍ତ ତାଙ୍କୁ ଗିରଫ ଦାବିରେ ଆଜି ଚନ୍ଦାହାଣ୍ଡି ଥାନାରେ ଏତଲା ଦିଆଯାଇଛି। ସେହିପରି ନୈତିକତା ଦୃଷ୍ଟିରୁ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ନିଜ ପଦବିରୁ ଇସ୍ତଫା ଦେବାକୁ ଦାବି ହୋଇଛି।

ସୂଚନା ଅନୁଯାୟୀ, ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଉମରକୋଟ ସ୍ଥିତ ବାସଭବନରେ ଗତ ୨୩ତାରିଖ ଦିନ ବିଜେଡି ପକ୍ଷରୁ ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ତଥା ଜିଲ୍ଲା ବିଜେଡି ସଂଯୋଜକ ପ୍ରମୋଦ କୁମାର ପାଢ଼ୀ କେତେକ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଯେମିତି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସହ ସାଂସଦଙ୍କୁ ତୁଳନା କରିଥିଲେ। ଏପରିକି ଗାନ୍ଧୀଜୀଙ୍କ ଯୁବ ଅବସ୍ଥାରେ କିଛି କୁଅଭ୍ୟାସ ଥିଲା। ସାଂସଦଙ୍କର ସେହି କୁଅଭ୍ୟାସ ବି ନାହିଁ ବୋଲି କହିଥିଲେ। ଶ୍ରୀ ପାଢ଼ୀଙ୍କ ଏହି ବକ୍ତବ୍ୟ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାପରେ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

କଂଗ୍ରେସ ନେତା କ୍ଷେମରାଜ ବାଘ ଦୃଢ଼ ନିନ୍ଦା କରିବା ସହ ଜାତିର ପିତାଙ୍କୁ ବିଜେଡି ନେତା ପ୍ରମୋଦ କୁମାର ପାଢ଼ୀ ଅପମାନ କରିଛନ୍ତି। ତେଣୁ ତାଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରିଛନ୍ତି। ବିଜୁ ଜନତା ଦଳ ଗାନ୍ଧୀଙ୍କ ନୀତି ଓ ଆଦର୍ଶର ଭିତ୍ତିଭୂମି ଉପରେ ପ୍ରତିଷ୍ଠା ହୋଇଥିବା ବେଳେ ଦଳରେ ଗାନ୍ଧୀଙ୍କ ପ୍ରତି ଯଦି ସାମାନ୍ୟ ସମ୍ମାନ ଥାଏ ତେବେ ତୁରନ୍ତ ପ୍ରମୋଦ ପାଢ଼ୀଙ୍କୁ ଦଳରୁ ବହିଷ୍କାର କରାଯାଉ। ସେହିପରି ସାଂସଦଙ୍କ ଉପସ୍ଥିତିରେ ଶ୍ରୀ ପାଢ଼ୀ ମନ୍ତବ୍ୟ ଦେଇଥିବାରୁ ନୈତିକତା ଦୃଷ୍ଟିରୁ ସାଂସଦ ବି ଇସ୍ତଫା ଦିଅନ୍ତୁ ବୋଲି ଶ୍ରୀ ବାଘ ଦାବି କରିଛନ୍ତି।

ଓଡ଼ିଶାରେ ଗାନ୍ଧୀଙ୍କ ଆଗମନର ଶହେ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ବ୍ୟାପୀ ଉତ୍ସବ ପାଳନ ହେଉଥିବା ବେଳେ ଶାସକ ଦଳର ଜଣେ ନେତାଙ୍କ ଏଭଳି ମନ୍ତବ୍ୟ ନିନ୍ଦନୀୟ ବୋଲି ମତପ୍ରକାଶ ପାଇଛି। ଆଜି କଂଗ୍ରେସ ନେତା କ୍ଷେମରାଜ ବାଘଙ୍କ ନେତୃତ୍ୱରେ ହୁମେଶ୍ୱର ହଂସ, ଡମ୍ବରୁଧର ହରିଣା, ମଣିରାମ ମାଝୀ, ମୋହନ ନାଗ, ଆସମତି ବାଘ, କୃଷ୍ଣ ବାଘ, ଜୟଦେବ ନିୟାଲ, ଭୁବନ ସୁନା, ଲକ୍ଷ୍ମଣ ଜଗତ, ମଳୟ ସୁନା, ରସିକ ନାଗ, ଗୁଣଧର ନେତାମଙ୍କ ସମେତ ବହୁ କଂଗ୍ରେସ ନେତା ଏକ ଶୋଭାଯାତ୍ରାରେ ବାହାରିଥିଲେ। ଚନ୍ଦାହାଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଛନ୍ତି। ପୁଲିସ ଯଦି ତୁରନ୍ତ କାର୍ଯ୍ୟାନୁଷ୍ଠାନ ତୁରନ୍ତ ନ କରେ ତେବେ ଥାନା ସମ୍ମୁଖରେ ଧାରଣା ଦିଆଯିବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe