ବିଶ୍ୱବିଦ୍ୟାଳୟ ସିନେଟ୍‌ ଓ ସିଣ୍ଡିକେଟ୍‌ ସଦସ୍ୟ ଚୟନରେ ଅନିୟମିତତା ଅଭିଯୋଗ, କୁଳାଧିପତିଙ୍କୁ ସ୍ମାରକପତ୍ର ଦେଲେ ପୂର୍ବତନ ସଦସ୍ୟ

Advertisment
ବିଶ୍ୱବିଦ୍ୟାଳୟ ସିନେଟ୍‌ ଓ ସିଣ୍ଡିକେଟ୍‌ ସଦସ୍ୟ ଚୟନରେ ଅନିୟମିତତା ଅଭିଯୋଗ, କୁଳାଧିପତିଙ୍କୁ ସ୍ମାରକପତ୍ର ଦେଲେ ପୂର୍ବତନ ସଦସ୍ୟ

Collegedunia

ବାଲେଶ୍ୱର : ଫକୀରମୋହନ ବିଶ୍ୱବିଦ୍ୟାଳୟ ସିନେଟ୍‌ରେ ଆଜିକୁ ପାଞ୍ଚବର୍ଷ ହେଲା ନିର୍ବାଚନ ହୋଇନଥିବା ବେଳେ ସିଣ୍ଡିକେଟ୍‌ ସଦସ୍ୟ ଚୟନ ପ୍ରକ୍ରିୟାରେ ନିୟମକୁ ଉଲ୍ଲଂଘନ କରାଯାଇଛି। ଏହି ଅଭିଯୋଗ ଆଣିଛନ୍ତି ପୂର୍ବତନ ସିଣ୍ଡିକେଟ୍‌ ଓ ସିନେଟ୍‌ ସଦସ୍ୟ ପ୍ରବୋଧ ଚନ୍ଦ୍ର ମହାନ୍ତି, ଡ.ଉମାକାନ୍ତ ଦାଶ, ଡ.ସେକ୍‌ ଗିୟାସୁଦ୍ଦିନ, ଡ. କମଳାକାନ୍ତ ଆଚାର୍ଯ୍ୟ, ଡ.ନଗେନ୍ଦ୍ର କୁମାର ପାଢୀ ଓ ଡ. କମଳାକାନ୍ତ ବିଶ୍ବାଳ। ଏ ସଂକ୍ରାନ୍ତରେ ସେମାନେ ମହାମହିମ୍‌ ରାଜ୍ୟପାଳଙ୍କ ନିକଟକୁ ଏକ ସ୍ମାରକପତ୍ର ପଠାଇ ତାଙ୍କର ହସ୍ତକ୍ଷେପ ଲୋଡିଛନ୍ତି।

ବିଶ୍ୱବିଦ୍ୟାଳୟ ସିନେଟ୍‌ରେ ପାଖାପାଖି ୪୦ରୁ ଅଧିକ ସଦସ୍ୟ ରହୁଥିବାବେଳେ ସିଣ୍ଡିକେଟ୍‌ରେ ପାଖାପାଖି ୧୦ ଜଣ ସଦସ୍ୟ ରହିଥାନ୍ତି। ସିନେଟ୍‌ରେ ପ୍ରଫେସର, କଲେଜ ଅଧ୍ୟକ୍ଷ, ରେଜିଷ୍ଟର, ପିଜି କାଉଲସିଲ ଚେୟାରମ୍ୟାନ, କଲେଜ ଅଧ୍ୟାପକମାନେ ସଦସ୍ୟ ହୋଇଥାନ୍ତି। ସେହିପରି ସିଣ୍ଡିକେଟ୍‌ରେ କୁଳାଧିପତିଙ୍କ ଦ୍ବାରା ମନୋନୀତ ଦୁଇଜଣ ବରିଷ୍ଠ କଲେଜ ଅଧ୍ୟକ୍ଷ, ବିଶ୍ବବିଦ୍ୟାଳୟର ଦୁଇଜଣ ବରିଷ୍ଠ ପ୍ରଫେସର, ପିଜି କାଉନ୍‌ସିଲର ସଦସ୍ୟ, ଜିଲ୍ଲାର ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସମେତ ସିନେଟ୍‌ରୁ ଦୁଇଜଣ ନିର୍ବାଚିତ ସଦସ୍ୟ ରହିଥାନ୍ତି। ଉଭୟ ବଡିର କାର୍ଯ୍ୟକାଳ ୩ ବର୍ଷ। ସିଣ୍ଡିକେଟ୍‌ ସଦସ୍ୟ ପାଇଁ ଏଥର ଜଳେଶ୍ବର ଜଗନ୍ନାଥ କଲେଜର ଅଧ୍ୟକ୍ଷ ଜ୍ୟୋତ୍ସ୍ନା ଘୋଷ ଓ ଭଦ୍ରକ ଜିଲ୍ଲା ମତୋ ଯୁକ୍ତ ତିନି କଲେଜର ଅଧ୍ୟକ୍ଷ ବିଭୂତି ଭୂଷଣ ଜୟଦେବ ବିଶ୍ବାଳଙ୍କୁ ମନୋନୀତ କରାଯାଇଛି। ପୂର୍ବତନ ସିନେଟ୍‌ ଓ ସିଣ୍ଡିକେଟ୍‌ ସଦସ୍ୟଙ୍କ ଅଭିଯୋଗ ଅନୁସାରେ, ବିଶ୍ବବିଦ୍ୟାଳୟ ଅଧୀନରେ ଆସୁଥିବା କଲେଜଗୁଡ଼ିକରେ ବରିଷ୍ଠ ଅଧ୍ୟକ୍ଷଙ୍କୁ ରୋ‌ଟେସନ୍‌ ଭିତ୍ତିରେ ସିଣ୍ଡିକେଟ୍‌ ପାଇଁ ମନୋନୀତ କରାଯିବା କଥା। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସୁପାରିଶ ଆଧାରରେ କୁଳାଧିପତି ଦୁଇଜଣ ବରିଷ୍ଠ ଅଧ୍ୟକ୍ଷଙ୍କୁ ମନୋନୀତ କରିଥାନ୍ତି। ହେଲେ ବରିଷ୍ଠଙ୍କୁ ଉପେକ୍ଷା କରି କନିଷ୍ଠଙ୍କୁ ସିଣ୍ଡିକେଟ୍‌ ସଦସ୍ୟ ଭାବେ ମନୋନୀତ କରାଯାଇଛି। ଏଭଳି ପରିସ୍ଥିତିରେ ଅନେକ ପ୍ରତିଷ୍ଠିତ କଲେଜର ବରିଷ୍ଠ ଅଧ୍ୟକ୍ଷ ଥାଉଥାଉ କନିଷ୍ଠମାନଙ୍କୁ କାହିଁକି ଗୁରୁତ୍ବ ଦିଆଗଲା ବୋଲି ପୂର୍ବତନ ସଦସ୍ୟମାନେ ପ୍ରଶ୍ନ କରିବା ସହ ଏହା ବରିଷ୍ଠ ଅଧ୍ୟକ୍ଷଙ୍କ ପାଇଁ ଅପମାନ ବୋଲି କହିଛନ୍ତି। ୨୦୧୫ରୁ ସିନେଟ୍‌ର ନିର୍ବାଚନ ହୋଇନାହିଁ। କେବଳ ମନୋନୀତ ସଦସ୍ୟଙ୍କ ଦ୍ବାରା ବିଶ୍ବବିଦ୍ୟାଳୟ ଚାଲିଥିବା ସେମାନେ ଅଭିଯୋଗ କରିଛନ୍ତି।

ଏ ସଂପର୍କିତ ଅଭିଯୋଗକୁ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ମଧୁମିତା ଦାସ ଖଣ୍ଡନ କରିବା ସହ ଏଥିରେ କୌଣସି ସତ୍ୟତା ନଥିବା କହିଛନ୍ତି। ସେ କହିଛନ୍ତି, ନିୟମ ଅନୁସାରେ କୁଳାଧିପତିଙ୍କ କାର୍ଯ୍ୟାଳୟକୁ ସମସ୍ତ କଲେଜ ଅଧ୍ୟକ୍ଷଙ୍କ ଚାକିରିର ନିଯୁକ୍ତି ତାରିଖ ଏବଂ ଅବସର ତାରିଖ ଲେଖି ପଠାଇଥିଲୁ। କୁଳାଧିପତି ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେଇ ସଦସ୍ୟ ମନୋନୀତ କରିଛନ୍ତି। ସେହିପରି ସିନେଟ୍‌ର ବିଭିନ୍ନ ବିଭାଗରେ ଅଧିକାରୀ ରହିବାର ନିୟମ ରହିଛି। ସିନେଟ୍‌ ଓ ଏକାଡେମିକ କାଉନସିଲ ମେମ୍ବର ମଧ୍ୟ କୁଳାଧିପତି ମନୋନୀତ କରିଥାନ୍ତି। ତେଣୁ ସିନେଟ୍‌ରେ ସବୁ ବିଭାଗରେ ସଦସ୍ୟ ସଂଖ୍ୟା ପୂରଣ ହେଲେ ଯାଇ ନିର୍ବାଚନ ହୋଇପାରିବ। ଯେତିକି ସିନେଟ୍‌ ସଦସ୍ୟ ରହିଛନ୍ତି ସେମାନଙ୍କୁ ନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବୈଠକ କରୁଛନ୍ତି ବୋଲି ପ୍ରଫେସର ଦାସ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe