୫-ଟି ସ୍କୁଲ ରୂପାନ୍ତରଣ କାମରେ ଅନିୟମିତତା ଅଭିଯୋଗ

Advertisment

ସରକାରୀ ନିୟମ ଉଲ୍ଲଂଘନ କରି ହୋଇଛି କୋଟି କୋଟି ଟଙ୍କାର କାମ

ସରକାରୀ ନିୟମ ଉଲ୍ଲଂଘନ କରି ହୋଇଛି କୋଟି କୋଟି ଟଙ୍କାର କାମ

୫-ଟି ସ୍କୁଲ ରୂପାନ୍ତରଣ କାମରେ ଅନିୟମିତତା ଅଭିଯୋଗ

ଜଳେଶ୍ବର : ଜଳେଶ୍ବର ବ୍ଲକରେ ୫-ଟି ବିଦ୍ୟାଳୟ ରୂପାନ୍ତରଣ କାମରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଦୁଇଟି ପର୍ଯ୍ୟାୟରେ ବ୍ଲକର ୨୦ଟି ବିଦ୍ୟାଳୟର ରୂପାନ୍ତରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ଏଥିରେ ବ୍ୟାପକ ପିସି କାରବାର ହୋଇଥିବା ସୂଚନା ମିଳିଛି। ଆଉ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବିଭିନ୍ନ ମହଲରୁ ଦାବି କରାଯାଇଛି।

ଜଳେଶ୍ବର ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ୨ଟି ଓ ଦ୍ବିତୀୟ ପର୍ଯ୍ୟାୟରେ ୧୮ଟି ହାଇସ୍କୁଲକୁ ୫-ଟିରେ ରୂପାନ୍ତରଣ କରାଯାଇଛି। ପ୍ରତି ସ୍କୁଲ ପାଇଁ ସରକାର ୪୫ ଲକ୍ଷ ଟଙ୍କା ଯୋଗାଉଥିବା ବେଳେ ସେଥିରୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ୭ ଲକ୍ଷ ୨୫ ହଜାର ଓ ଅବଶିଷ୍ଟ ଟଙ୍କା ବ୍ଲକ୍ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଛି। ଏହି ଟଙ୍କାରେ ଭିତ୍ତିଭୂମି ବିକାଶ ସହ ସୌନ୍ଦର୍ଯ୍ୟକରଣ, ବେଞ୍ଚ, ଡେସ୍କ, ଚେୟାର ଟେବୁଲ, ବିଜ୍ଞାନ ଉପକରଣ, ପାଠାଗାର ଓ ଅନ୍ୟ ବିକାଶମୂଳକ କାର୍ଯ୍ୟ ହେବା କଥା। ତେବେ ବ୍ଲକ ପ୍ରଶାସନକୁ ଆସିଥିବା ଟଙ୍କା ପାଣି ଭଳି ଖର୍ଚ୍ଚ କରାଯାଇଥିବା ବେଳେ ଟଙ୍କା ଖର୍ଚ୍ଚ ପାଇଁ ଥିବା ସରକାରୀ ନିୟମର ଖୋଲାଖୋଲି ଉଲ୍ଲଂଘନ କରାଯାଇଛି। ଯେକୌଣସି ସରକାରୀ କାର୍ଯ୍ୟରେ ୧୦ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହେଉଥିଲେ ଟେଣ୍ଡର ଆହ୍ବାନ କରିବା ସରକାରୀ ନିୟମ ରହିଛି। ତେବେ ଜଳେଶ୍ବରର ଅଧିକାଂଶ ୫-ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟ ସମୟରେ ଅତି ଚତୁରତାର ସହ ଏକକାଳୀନ ୧୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟକାରୀ କରା ନଯାଇ ୫ ଲକ୍ଷ ଟଙ୍କା କିମ୍ବା ତା ଠାରୁ  କମ୍ ଟଙ୍କାର ଛୋଟ ଛୋଟ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି। ଏହିସବୁ କାର୍ଯ୍ୟ ଜେଇଙ୍କ ନାମରେ ରଖାଯାଇଥିବା ବେଳେ କାମଗୁଡ଼ିକୁ ଆଖିବୁଜି ବାଲେଶ୍ବର ଓ କେନ୍ଦ୍ରାପଡ଼ା ଅଞ୍ଚଳର ଠିକାସଂସ୍ଥା ବା ଏଜେନ୍ସିକୁ ଦିଆଯାଇଛି। ଏସବୁ ଠିକାସଂସ୍ଥା ସହ କାମ ପାଇଁ ଫିକ୍ସିଂ ହୋଇଥିବା ସନ୍ଦେହ ଘନୀଭୂତ ହୋଇଛି।

ମାର୍ବଲ, ଟାଇଲ୍ କିଣାରେ ଦୁର୍ନୀତିର ଗନ୍ଧ
ଇଣ୍ଟେରିୟର, ପ୍ଲାଇ କାମ ଓ ବ୍ୟାଡମିଣ୍ଟନ କୋର୍ଟ ପାଇଁ ପାଣି ପରି ଖର୍ଚ୍ଚ ହୋଇଛି ଅର୍ଥ

ଅନ୍ୟପକ୍ଷରେ ସରକାରଙ୍କ ଯେ କୌଣସି ଉନ୍ନୟନ କାର୍ଯ୍ୟରେ ଠିକାସଂସ୍ଥା କିମ୍ବା ଏଜେନ୍ସିଠାରୁ ଆବେଦନପତ୍ର ପାଇବା ପାଇଁ ଜିଲ୍ଲା ଓ୍ବେବସାଇଟ କୁହାଯାଉଥିବା ବାଲେଶ୍ବରଡଟଏନଆଇସିଡଟଇନରେ ଏହି ସଂକ୍ରାନ୍ତୀୟ ବିଜ୍ଞପ୍ତି ଅପଲୋଡ୍ କରିବା ନିୟମ ଥିଲେ ବି ତାହା ହୋଇନାହିଁ। ଜିଲ୍ଲାର ଅନ୍ୟ ସବୁ ବ୍ଲକରେ ସରକାରଙ୍କ ଏସବୁ ନିୟମକୁ ଅନୁପାଳନ କରାଯାଇଥିବା ବେଳେ ଜଳେଶ୍ବରରେ ଏହାର ଖୋଲାଖୋଲି ଉଲ୍ଲଂଘନ କରାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ପ୍ରତି ୫-ଟି ସ୍କୁଲରେ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ଆଲୁମନି ଏପରିକି ବିଦ୍ୟାଳୟର ପ୍ରଧାନଶିକ୍ଷକ ମଧ୍ୟ ବିଦ୍ୟାଳୟରେ କେତେ ଟଙ୍କା କେଉଁ କେଉଁ କାର୍ଯ୍ୟ ପାଇଁ ଖର୍ଚ୍ଚ ହୋଇଛି ତାହା ଜାଣି ନାହାନ୍ତି। ସ୍କୁଲରେ ଏ ସଂକ୍ରାନ୍ତୀୟ କୌଣସି ସୂଚନାଫଳକ ମଧ୍ୟ ଲାଗିନାହିଁ। କୁହାଯାଇଛି ୫-ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟରେ ଚେୟାର, ଟେବୁଲ, ବେଞ୍ଚ ଡେସ୍କ, ମାର୍ବଲ, ଟାଇଲ, ଇଣ୍ଟେରିୟର ଓ ପ୍ଲାଇ କାମ ପାଇଁ ଆବଶ୍ୟକ ସାମଗ୍ରୀ କିଣାରେ ବ୍ୟାପକ ପିସି କାରବାର ହୋଇଛି। ପ୍ରାୟ ପ୍ରତି ବିଦ୍ୟାଳୟରେ ବ୍ୟାଡମିଣ୍ଟନ କୋର୍ଟ ତିଆରି ହୋଇଥିବା ବେଳେ ଏଥିପାଇଁ ମନଇଚ୍ଛା ବିଲ ପ୍ରଦାନ କରାଯାଇଛି।

ଗତ ଫେବ୍ରୁଆରି ମାସ ଶେଷ ସପ୍ତାହରୁ ଜୁନ୍ ଦ୍ବିତୀୟ ସପ୍ତାହ ମଧ୍ୟରେ ଜଳେଶ୍ବରର ପାଖାପାଖି ୨୦ଟି ୫-ଟି ସ୍କୁଲ ପାଇଁ ୪ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବିଲ ପ୍ରଦାନ କରାଯାଇଛି। ମାତ୍ର ବିଲ ପ୍ରଦାନ ସମୟରେ ମଧ୍ୟ ସରକାରଙ୍କ ନିୟମ ଉଲ୍ଲଂଘନ କରାଯାଇଛି। ଏସବୁ ଅନିୟମିତତା ପଛରେ ବ୍ଲକ ପ୍ରଶାସନର ମୁଖିଆଙ୍କ ପ୍ରଚ୍ଛନ୍ନ ହାତ ରହିଥିବା ବେଳେ ଭିଜିଲାନ୍ସ ମାମଲା ପରେ ସେ ସବୁ ଅନିୟମିତତା ଧୀରେ ଧୀରେ ପଦାକୁ ଆସୁଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe