ଚିକିତ୍ସାରେ ଅବହେଳା ଅଭିଯୋଗ: ମା’ ସମେତ ଚାଲିଗଲା ସଦ୍ୟଜାତ ଶିଶୁର ଜୀବନ

ମଦ, ଅନ୍ଧବିଶ୍ୱାସ ନେଲା ଦୁଇ ଜୀବନ

bbc

ନୂଆଗାଁ : ନୂଆଗାଁ ବ୍ଲକ୍‌ କାପ୍ତାପଲ୍ଲୀ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ବାସ୍ଥ୍ୟସେବାରେ ଅବହେଳା ପାଇଁ ସଦ୍ୟଜାତ ଶିଶୁ ଓ ମା’ର ମୃତ୍ୟୁ ଘଟିଥିବା ଅଭିଯୋଗ ଆସିଛି।

ମିଳିଥିବା ସୂଚନା ଅନୁଯାୟୀ, କାପ୍ତାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ସୀମା ଗ୍ରାମର ସୁଶାନ୍ତ ପ୍ରଧାନଙ୍କ ସ୍ତ୍ରୀ ରମା ପ୍ରଧାନ (୨୨) ଗର୍ଭବତୀ ଥିଲେ। ତାଙ୍କର ଯନ୍ତ୍ରଣା ହେବାରୁ ଗତ ସୋମବାର ଦିନ ସକାଳ ୮ ଘଟିକା ସମୟରେ ସ୍ବାମୀ ବାହାଡ଼ାଝୋଲା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ତେବେ ସେଠାରେ ଡାକ୍ତରଙ୍କ ବଦଳରେ ଏଏନ୍‌ଏମ୍‌ ଗୀତାଞ୍ଜଳି ଦାସ ଚିକିତ୍ସା କରିଥିଲେ। ଉକ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଦାୟିତ୍ବରେ ଜଣେ ଆୟୁଷ ଡାକ୍ତର ରିତେଶ ବଳିଆରସିଂହ ଥିଲେ ମଧ୍ୟ ତାଙ୍କର ଦେଖାମିଳିନଥିଲା। ରମାଙ୍କୁ ସ୍ବାସ୍ଥ୍ୟକର୍ମୀ ଜଣକ ଦେଖିବା ପରେ ଇଞ୍ଜେକ୍‌ସନ ଓ କିଛି ଔଷଧ ଦେଇ ଘରକୁ ଯିବା ପାଇଁ କହିଥିଲେ। ତେବେ ଅପରାହ୍ଣ ୩ ଘଟିକା ସମୟରେ ରମାଙ୍କର ସ୍ବାସ୍ଥ୍ୟାବସ୍ଥା ପୁନର୍ବାର ବିଗିଡ଼ିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ସ୍ବାସ୍ଥ୍ୟକେନ୍ଦ୍ର ଅଣାଯାଇଥିଲା। ତେବେ ଏହି ସମୟରେ ଆମ୍ବୁଲାନ୍‌ସ ମଧ୍ୟରେ ବାଟରେ ତାଙ୍କର ପ୍ରସବ ହୋଇଯାଇଥିଲା। ସ୍ବାସ୍ଥ୍ୟକେନ୍ଦ୍ରରେ ଆସି ପହଞ୍ଚିବା ପରେ ଡାକ୍ତର କିମ୍ବା ସ୍ବାସ୍ଥ୍ୟକର୍ମୀ କାହାର ଦେଖାମିଳିନଥିଲା।

ସ୍ବାସ୍ଥ୍ୟକର୍ମୀ ଗୀତାଞ୍ଜଳିଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେ ପୂଜା କାର୍ଯ୍ୟରେ ବ୍ୟସ୍ତତା ଆଳ ଦେଖାଇ ବିଳମ୍ବରେ ଆସିଥିଲେ। ଖବର ପାଇ ଡାକ୍ତର ଶ୍ରୀ ବଳିଆରସିଂହ ମଧ୍ୟ ପହଞ୍ଚିଥିଲେ। ଏଭଳି ସ୍ଥିତିରେ ନବଜାତକର ମୃତ୍ୟୁ ‌ହୋଇଯାଇଥିବା ବେ‌ଳେ ମା’ର ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ରାତି ପ୍ରାୟ ୯ଟା ପାଖାପାଖି ରମାଙ୍କୁ ଡାକ୍ତର ଶ୍ରୀ ବଳିଆରସିଂହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ବେଳେ ରମାଙ୍କର ମୃତ୍ୟୁ ହୋଇଯାଇଥିବା ଡାକ୍ତର ଘୋଷଣା କରିଥିଲେ। ତେବେ ଏନେଇ ଡାକ୍ତର ଶ୍ରୀ ବଳିଆରସିଂହଙ୍କୁ ପଚାରିବାରୁ, ସେ ଅଜବ ଉତ୍ତର ଦେଇଛନ୍ତି, ‘‘ମହିଳା ରୋଗୀଙ୍କୁ ଜଣେ ମହିଳା ସ୍ବାସ୍ଥ୍ୟକର୍ମୀ ଦେଖିବା ସୁବିଧା ହେବ ବୋଲି ଏଏନ୍‌ଏମ୍‌ ସଂପୃକ୍ତ ଗର୍ଭବତୀ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଥିଲେ। ଏହା ଛଡ଼ା ଉକ୍ତ ମହିଳାଙ୍କର ୭ ମାସରେ ପ୍ରସବ ହୋଇଥିବାରୁ ପିଲାର ମୃତ୍ୟୁ ଘଟିଥାଇପାରେ। ମହିଳାଙ୍କ ମୃତ୍ୟୁର କାରଣ ଶବ ବ୍ୟବ‌‌ଚ୍ଛେଦ ରିପୋର୍ଟ ଆସିଲେ ସ୍ପଷ୍ଟ ହେବ।’’ ଚିକିତ୍ସା ଅବହେଳା କାରଣରୁ ତାଙ୍କ ପତ୍ନୀ ଓ ପିଲାର ମୃତ୍ୟୁ ଘଟିଥିବା ସୁଶାନ୍ତ ଅଭିଯୋଗ କରିଛନ୍ତି। ଏ ବାବଦରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଶକ୍ତିପ୍ରସାଦ ମିଶ୍ର କହିଛନ୍ତି, ଘଟଣାର ଅନୁଧ୍ୟାନ କରିବେ, ଅଭି‌ଯୋଗ ସତ ହୋଇଥିଲେ ଏହା ନିନ୍ଦନୀୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe