Times of India
ଦେବଗଡ଼: ପୁଣି ଚର୍ଚ୍ଚାରେ ସମ୍ବଲପୁର ସାଂସଦଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ। ହକି ବିଶ୍ବ କପ୍ ଟ୍ରଫି ଆସିବା ଦିନ ଅର୍ଥାତ୍ ଗତ ୫ ତାରିଖରେ ବିଜେପିର ବରିଷ୍ଠ କର୍ମୀ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ସମ୍ୱଲପୁର ସାଂସଦ ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ ଦେବଗଡ଼ ଥାନାରେ ୬ ତାରିଖରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପଟେ ବିଜେପି ଜିଲ୍ଲା ଉପସଭାପତି ସତ୍ୟନାରାୟଣ ପାଣି ମଧ୍ୟ ସାଂସଦଙ୍କ ପତ୍ନୀଙ୍କ ନାମରେ ଦେବଗଡ଼ ଥାନାରେ ପାଲଟା ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ହକି ବିଶ୍ୱ କପ୍ ଟ୍ରଫି ଦେବଗଡ଼ ସହରସ୍ଥିତ ରାଜା ସାର୍ ବାସୁଦେବ ସୁଢ଼ଳଦେବଙ୍କ ପ୍ରତିମୂର୍ତ୍ତି ଆଗରେ ନିର୍ମିତ ଷ୍ଟାଣ୍ଡରେ ରହିବାର ଥିଲା। ଟ୍ରଫିକୁ ସ୍ୱାଗତ କରିବାକୁ ଅରୁନ୍ଧତୀ କୁମାରୀ ଦେବୀ ଓ ତାଙ୍କ ସାଥୀଙ୍କ ସହିତ ଅନେକ ଲୋକ ସେଠାରେ ଏକତ୍ରିତ ହୋଇଥିଲେ। ନିର୍ଦ୍ଧାରିତ ସମୟରେ ଟ୍ରଫି ଆସିଥିଲା। ମାତ୍ର ଟ୍ରଫି ଥିବା ଗାଡ଼ି ଟିକିଏ ଆଗକୁ ପଳାଇ ଯାଇ ଅଟକିଥିଲା। ସାଂସଦଙ୍କ ପତ୍ନୀ ଓ ତାଙ୍କ ସହିତ ଥିବା ଅନ୍ୟ ମହିଳାମାନେ ଟ୍ରଫି ପାଖକୁ ଯିବା ବେଳେ କେତେକ ଲୋକ ସେଠାରେ ଠେଲାପେଲା କରି ଗାଡ଼ି ଉପରକୁ ଚଢ଼ି ଯାଇଥିଲେ। ତେଣୁ ମହିଳାମାନେ ଆଉ ଟ୍ରଫି ପାଖକୁ ଯାଇପାରିଲେ ନାହିଁ। ସେହି ସମୟରେ ବିଜେପି ନେତା ଶ୍ରୀ ପାଣି ସାଂସଦଙ୍କ ପତ୍ନୀଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିବା ସହିତ ଗାଳିଗୁଲଜ କରିଥିବା ନେଇ ଅରୁନ୍ଧତୀ ଦେବୀ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।
ଏଥିନେଇ ସେ ଦେବଗଡ଼ ଏସ୍ପିଙ୍କୁ ମଧ୍ୟ ଅବଗତ କରାଇଛନ୍ତି। ଅନ୍ୟପଟେ ଅରୁନ୍ଧତୀଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି ବିଜେପି ନେତା ଶ୍ରୀ ପାଣି। ଜିଲ୍ଲା ପ୍ରଶାସନର ପରାମର୍ଶକ୍ରମେ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଟ୍ରଫିକୁ ସ୍ୱାଗତ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଅରୁନ୍ଧତୀ ଦେବୀ କିନ୍ତୁ ଏହି ସ୍ବତନ୍ତ୍ର ସାଜସଜ୍ଜାକୁ ଭାଙ୍ଗି ପାର୍ଶ୍ୱରେ ଥିବା ରାଜା ସାର୍ ବାସୁଦେବ ସୁଢ଼ଳଦେବଙ୍କ ପ୍ରତିମୂର୍ତ୍ତି ନିକଟରେ ଟ୍ରଫିକୁ ସ୍ୱାଗତ କରିବାକୁ କହିଥିଲେ। ତେବେ ଘରୋଇ ବସ୍ ମାଲିକ ସଂଘ ଏଥିରେ ରାଜି ନ ହୋଇ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ସ୍ଥାନରେ ଟ୍ରଫି ରଖିବାକୁ କହିଥିଲା ଏବଂ ସେହି ସ୍ଥାନରେ ହିଁ ଗାଡ଼ି ଅଟକିଥିଲା। ଏଥିରେ କ୍ଷୁବ୍ଧ ହୋଇ ଅରୁନ୍ଧତୀ ସର୍ବସମ୍ମୁଖରେ ଧମକ ଦେଇଥିବା ଶ୍ରୀ ପାଣି ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
Follow Us