Argus News
ଟମକା: ଟମକା ଥାନା ଅନ୍ତର୍ଗତ ଦେଉଳକରଣ ପଞ୍ଚାୟତ ନୟାବଗପଟିଆ ଗାଁର ଶତ୍ରୁଘ୍ନ ଜେନାଙ୍କ ୟୁକୋ ବ୍ୟାଙ୍କ୍ ଚେକ୍ରେ ଜାଲିଆତି କରି ରଞ୍ଜନ ଜେନା ନାମକ ଜଣେ ବ୍ୟକ୍ତି ୨୧ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଗତକାଲି ସମ୍ପୃକ୍ତ ବ୍ୟକ୍ତି ରଞ୍ଜନ ଜେନା ନିଜକୁ କୃଷି ବିଭାଗ କର୍ମଚାରୀ ବୋଲି ପରିଚୟ ଦେଇ କୃଷି ଯନ୍ତ୍ରପାତି କିଣିବା ପାଇଁ ଶତ୍ରୁଘ୍ନଙ୍କୁ ପ୍ରବର୍ତ୍ତାଇ ଥିଲେ। ଏଥିପାଇଁ ଶତ୍ରୁଘ୍ନ ତାଙ୍କୁ କିଆଝର (ଟମକା) ଠାରେ ଥିବା ୟୁକୋ ବ୍ୟାଙ୍କ୍ ଶାଖାର ଗୋଟିଏ ୧ ହଜାର ଟଙ୍କାର ଚେକ୍ ଦେଇଥିଲେ।
ହେଲେ ସେ ଟଙ୍କାର ପରିମାଣ ଅକ୍ଷରରେ ଲେଖି ନଥିଲେ। ଏହାର ସୁଯୋଗରେ ରଞ୍ଜନ ୧୦୦୦ ଲେଖା ଥିବା ସ୍ଥାନର ବାମ ପାର୍ଶ୍ୱରେ ୨ ସଂଯୋଗ କରି ୨୧୦୦୦ କରିଦେଇଥିଲେ। ପରେ ସମ୍ପୃକ୍ତ ବ୍ୟକ୍ତି ଏହି ଚେକ୍ରେ ୟୁକୋ ବ୍ୟାଙ୍କ କିଆଝର ଶାଖାରେ ପଇସା ନ ଉଠାଇ ଦାନଗଦୀ ଶାଖାରୁ ଉଠାଇ ଚମ୍ପଟ ମାରିଥିଲେ। ଟଙ୍କା ଉଠାଣ ହେବା ପରେ ଶତ୍ରୁଘ୍ନଙ୍କ ମୋବାଇଲ୍କୁ ମେସେଜ ଆସିଥିଲା। ପରେ ସେ ଠକିଯାଇଥିବା ଜାଣିବାକୁ ପାଇଥିଲେ। ଏନେଇ ଅଭିଯୋଗ ପରେ ଟମକା ଥାନା କେସ ନମ୍ବର ୮୯/୨୨ ରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ସୁକାନ୍ତ ପାତ୍ର ସୂଚନା ଦେଇଛନ୍ତି।
Follow Us