ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୪ ପଞ୍ଚାୟତର ୪୩ ପ୍ରକଳ୍ପକୁ ମଞ୍ଜୁରି

Advertisment
ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୪ ପଞ୍ଚାୟତର ୪୩ ପ୍ରକଳ୍ପକୁ ମଞ୍ଜୁରି

ଭୁବନେଶ୍ୱର : ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ଆଜି ଚାରିଟି ପଞ୍ଚାୟତର ୪୩ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରି ଦେଇଛନ୍ତି। ଏହି ପଞ୍ଚାୟତଗୁଡ଼ିକ ହେଲା ବାଲେଶ୍ୱର ଜିଲ୍ଲାର ଅଡ଼ା ଗ୍ରାମପଞ୍ଚାୟତ, ମାଲକାନଗିରି ଜିଲ୍ଲାର ଗୋବିନ୍ଦପାଲୀ ଗ୍ରାମପଞ୍ଚାୟତ, ବୌଦ୍ଧ ଜିଲ୍ଲାର ବାଉଁଶୁଣୀ ଏବଂ ପୁରୀ ଜିଲ୍ଲାର ବଳଙ୍ଗା। ପ୍ରକଳ୍ପଗୁଡ଼ିକର ମୋଟ୍‌ ବ୍ୟୟ ଅଟକଳ ରହିଛି ୧ କୋଟି ୫୭ ଲକ୍ଷ ଟଙ୍କା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗ୍ରାମ ବିକାଶ କାର୍ଯ୍ୟକ୍ରମର ସଫଳତା ପାଇଁ ଲୋକଙ୍କ ସହଯୋଗ ଲୋଡ଼ିବା ସହ ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟକୁ ଶୀଘ୍ର ଏବଂ ଭଲ ଭାବେ କରିବା ପାଇଁ ପରାମର୍ଶ ଦେଇଥିଲେ।

ଭିଡିଓ କନ୍‌ଫରେନ୍ସିଂ ଦ୍ୱାରା ପ୍ରଥମେ ମୁଖ୍ୟମନ୍ତ୍ରୀ ଏହି ଗ୍ରାମ ପଞ୍ଚାୟତଗୁଡ଼ିକର ସରପଞ୍ଚମାନଙ୍କୁ ସେମାନଙ୍କ ଗାଁର ବିକାଶ ଯୋଜନା ସମ୍ପର୍କରେ ଉପସ୍ଥାପନା କରିବା ପାଇଁ କହିଥିଲେ। ସେମାନଙ୍କଠାରୁ ପଞ୍ଚାୟତ ଭିତ୍ତିଭୂମି ବିକାଶ ପାଇଁ ଆସିଥିବା ପ୍ରସ୍ତାବଗୁଡ଼ିକୁ ବିଚାର କରି ତୁରନ୍ତ ମଞ୍ଜୁରି ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ ଯେ ମାର୍ଚ୍ଚ ୫ ତାରିଖରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସପ୍ତାହକୁ ଦୁଇ ଦିନ ବିଭିନ୍ନ ପଞ୍ଚାୟତର ଜନସାଧାରଣଙ୍କୁ ଭେଟି ସେମାନଙ୍କ ଗାଁର ବିକାଶ ସମ୍ପର୍କରେ ଆଲୋଚନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe