‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ଅନିୟମିତତା

Advertisment

ନିର୍ଦ୍ଦିଷ୍ଟ ସଂସ୍ଥାକୁ ଅନୁକମ୍ପା, ବଜାର ଦରଠାରୁ ଅଧିକ ମୂଲ୍ୟରେ ଖର୍ଦି

ନିର୍ଦ୍ଦିଷ୍ଟ ସଂସ୍ଥାକୁ ଅନୁକମ୍ପା, ବଜାର ଦରଠାରୁ ଅଧିକ ମୂଲ୍ୟରେ ଖର୍ଦି

‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ଅନିୟମିତତା

Seeklogo

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ରେ ‘ଆମ ଓଡ଼ିଶା-ନବୀନ ଓଡ଼ିଶା’ ଯୋଜନାରେ ଅନିୟମିତତା ନେଇ ଗୁରୁତର ଅଭିଯୋଗ ହୋଇଛି। ଏହି ଯୋଜନାରେ ୨୭ଟି ପଞ୍ଚାୟତ ପାଇଁ କ୍ରୀଡ଼ା ସାମଗ୍ରୀ କିଣାକୁ ନେଇ କୌଣସି ଟେଣ୍ଡର ହୋଇନାହିଁ। ବିନା ଟେଣ୍ଡରରେ ୬୩ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ପ୍ରତି ପଞ୍ଚାୟତକୁ ୨ ଲକ୍ଷ ୪୨ ହଜାର ଟଙ୍କାର କ୍ରୀଡ଼ା ଉପକରଣ ଯୋଗାଇ ଦିଆଯାଇଛି। ଏଥିରେ ସରପଞ୍ଚଙ୍କ ଭୂମିକାକୁ ଗୌଣ କରାଯାଇଛି। କେନ୍ଦୁଝରର ଏକ ନିର୍ଦିଷ୍ଟ ସଂସ୍ଥାକୁ କ୍ରୀଡ଼ା‌ ସାମଗ୍ରୀ ଯୋଗାଣ ଦାୟିତ୍ବ ଦିଆଯାଇଛି। ସଂପୃକ୍ତ ସଂସ୍ଥାକୁ ଅନୁକମ୍ପା ଦେଖାଇଥିବାରୁ ଏହାକୁ ନେଇ ସନ୍ଦେହ ଉପୁଜିଛି। ବଜାର ଦରଠାରୁ ଢେର ଅଧିକ ମୂଲ୍ୟରେ ସାମଗ୍ରୀ କିଣାଯାଇଥିବା ସରପଞ୍ଚମାନେ ଅଭିଯୋଗ କରିଛନ୍ତି। ଗତମାସରେ ଏସବୁ କ୍ରୀଡ଼ା ଉପକରଣ ବିଭିନ୍ନ ପଞ୍ଚାୟତକୁ ବଣ୍ଟନ କରାଯିବା ପରେ ଏ ପ୍ରକାର ଅଭିଯୋଗ ସାମ୍ନାକୁ ଆସିଛି।

ତଥ୍ୟ ମୁତାବକ, ‘ଆମ ଓଡ଼ିଶା-ନବୀନ ଓଡ଼ିଶା’ ଯୋଜନାରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଦିଆଯାଇଛି। ଏହି ଅର୍ଥରେ ଘଟଗାଁ ବ୍ଲକ୍‌ର ୨୭ଟି ପଞ୍ଚାୟତକୁ କ୍ରୀଡ଼ା ଉପକରଣ ବଣ୍ଟନ କରାଯାଇଛି। ସାମଗ୍ରୀ କିଣିବାକୁ ବିଡିଓ ପ୍ରତି ପଞ୍ଚାୟତ ପାଇଁ ଅଲଗା ଅଲଗା କୋଟେସନ୍‌ କଲ୍‌ କରିଥିଲେ। ଏଥିରେ ତିନିଟି ସଂସ୍ଥା ଅଂଶଗ୍ରହଣ କରିଥିଲେ। ମାତ୍ର କେନ୍ଦୁଝରର ଖେଳ ପ୍ରତିଭା ସଂସ୍ଥାକୁ ସାମଗ୍ରୀ ଯୋଗାଣ ନିର୍ଦେଶ ଦିଆଯାଇଛି। ଯାହାର ଅର୍ଡର ନମ୍ବର ହେଉଛି ୧୧୩/୯.୧.୨୦୨୪। ସରପଞ୍ଚମାନଙ୍କୁ ଅନ୍ଧାରରେ ରଖି ଏହି କୋଟେସନ୍‌ କଲ୍‌ କରାଯାଇଥିଲା। କ୍ରୀଡ଼ା ସାମଗ୍ରୀ କିଣିବା ପାଇଁ ଗଠନ ହୋଇଥିବା ବ୍ଲକ୍‌ସ୍ତରୀୟ ପରଚେଜ୍‌ କମିଟି ଗଠନର ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠିଛି। କମିଟିର ମୁଖ୍ୟ ନିଜେ ବିଡିଓ ଥିବା ବେଳେ ଜଣେ ସହକାରୀ ଯନ୍ତ୍ରୀ, ଜଣେ ଆକାଉଣ୍ଟସ୍‌ ଅଫିସର, ଜଣେ କ୍ୟାସିଅର ଓ ଜଣେ କନିଷ୍ଠ କିରାଣି ଅଛନ୍ତି। ଫାଇଲ୍‌ ପ୍ରସ୍ତୁତ କରିବା, ଏହାର ଯାଞ୍ଚ, ଅନୁମୋଦନ ଓ ବିଲ୍‌ ପୈଠ ଦାୟିତ୍ବ ଏସବୁ ଅଧିକାରୀ ଓ କର୍ମଚାରୀଙ୍କର ହୋଇଥିବାରୁ ଏହାକୁ ନେଇ ସନ୍ଦେହ ଉପୁଜିଛି। ବାଲିପୋଖରୀ ପଞ୍ଚାୟତ ଛୋଟରାୟପୁର କ୍ଲବ୍‌କୁ ଯେଉଁ ଫୁଟ୍‌ବଲ୍‌ ଦିଆଯାଇଛି ତାହା ନିମ୍ନମାନର। ଅନ୍ୟପକ୍ଷରେ କ୍ରୀଡ଼ା ଉପକରଣ ପାଇବା ପରେ ସଂପୃକ୍ତ ପଞ୍ଚାୟତ ଦାୟିତ୍ବରେ ଥିବା କନିଷ୍ଠ ଯନ୍ତ୍ରୀମାନେ ବିଲ୍‌ ପ୍ରସ୍ତୁତ କରୁଥିବାବେଳେ ବ୍ଲକ୍‌ ପକ୍ଷରୁ ସଂପୃକ୍ତ ସଂସ୍ଥାକୁ ଆଗୁଆ ବିଲ୍‌ ପୈଠ କରାଯାଇଛି। ବିଲ୍‌ ପାସ୍‌ କରିଥିବା ସହକାରୀ ଯନ୍ତ୍ରୀ କିଛିଦିନ ତଳେ ଅବସର ଗ୍ରହଣ କରିଛନ୍ତି। ଏସବୁ ପଛରେ ମୋଟା ଅଙ୍କର ଅର୍ଥ କାରବାର ହୋଇଥିବା ଅଭିଯୋଗ କରି ଏହାର ତଦନ୍ତ କରିବାକୁ ସରପଞ୍ଚମାନେ ଦାବି କରିଛନ୍ତି।

ଏ ସମ୍ପର୍କରେ ସୁନାଟାଙ୍ଗିରି ସରପଞ୍ଚ ଦେବେ‌ନ୍ଦ୍ରନାଥ ନାଏକ କହିଛନ୍ତି, କ୍ରୀଡ଼ା ସାମଗ୍ରୀ ଯୋଗାଣ ସମ୍ପର୍କରେ କୌଣସି ଚିଠି କିମ୍ବା କୋଟେସନ କଲ୍‌ ସେମାନଙ୍କ ଜ୍ଞାତସାରରେ କରାଯାଇନାହିଁ। ବିଲ୍‌ରେ ସାମଗ୍ରୀ ଦର ଯାହା ଉଲ୍ଲେଖ ଅଛି, ତାହା ବଜାର ଦରଠାରୁ ଅଧିକ। କ୍ରୀଡ଼ା ସାମଗ୍ରୀ କିଣାରେ ବଡ଼ଧରଣର ଦୁର୍ନୀତି ହୋଇଥିବା ଶ୍ରୀ ନାଏକ କହିଛନ୍ତି। ଉପରଡିହା ସରପଞ୍ଚ ରିମାଲତା ନାଏକ ଓ ପଇଦାପାଟଣା ସରପଞ୍ଚ ମୁକୁନ୍ଦ ମୁଣ୍ଡା ମଧ୍ୟ ସମାନ କଥା କହିଛନ୍ତି। କୋଟେସନ୍‌ କଲ୍‌ ନୋଟିସ୍‌ ପଞ୍ଚାୟତରେ ମରାଯାଇ ନ ଥିବା କହିଛନ୍ତି। ଅନ୍ୟପକ୍ଷରେ ଘଟଗାଁ ବିଡିଓ ଭାଗବତ ପ୍ରସାଦ ମହାପାତ୍ର କ୍ରୀଡ଼ା ସାମଗ୍ରୀ କିଣା ଦୁର୍ନୀତି ଅଭିଯୋଗକୁ ଅସ୍ବୀକାର କରିଛନ୍ତି। କୋଟେସନ୍‌ କଲ୍‌କୁ କାହିଁକି ସାର୍ବଜନୀନ କରାଗଲାନାହିଁ ‌ବୋଲି ପଚାରିବାରୁ ସେ ମୁହଁ ଖୋଲି ନାହାନ୍ତି। ସେହିପରି ଯେଉଁ ପର୍‌ଚେଜ୍‌ କମିଟି ଗଠନ କରାଯାଇଥିଲା ତାହା ତ୍ରୁଟିପୂର୍ଣ୍ଣ ଥିଲା ବୋଲି ନିଜେ ବିଡିଓ ସ୍ବୀକାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe