ଭୁବନେଶ୍ବର: ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ବିଜେଡି ଛାଡ଼ି ବିଜେପିରେ ମିଶିଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ପ୍ରଭାରୀ ବିଜୟପାଲ ସିଂହ ତୋମାରଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଥିଲେ। ନୂଆପଡ଼ାରେ ବିଜେଡି ମୁଖିଆ ଉଦ୍ବୋଧନ ଦେଉଥିବା ବେଳେ ଏପଟେ ଅମରଙ୍କ ବିଜେପିରେ ଯୋଗଦାନ ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଭାରତୀୟ ଅଡିଟ୍ ଓ ଆକାଉଣ୍ଟ୍ସ ସେବାର ଅଧିକାରୀ ଅମର ପଟ୍ଟନାୟକ ୨୦୧୮ ମସିହାରେ ଚାକିରି ଛାଡ଼ି ହଠାତ୍ ବିଜେଡିରେ ଯୋଗ ଦେଇଥିଲେ। ଆରମ୍ଭରୁ ତାଙ୍କୁ ବିଜେଡିରେ ବେଶ୍ ଗୁରୁତ୍ବ ମିଳିଲା। ଦଳୀୟ ପଦପଦବି ସହ ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତ କରାଗଲା। ତତ୍କାଳୀନ ଦ୍ବିତୀୟ କ୍ଷମତା କେନ୍ଦ୍ର ଭି କେ ପାଣ୍ଡିଆନଙ୍କର ସେ ଥିଲେ ଅତ୍ୟନ୍ତ ବିଶ୍ବସ୍ତ। ବିଜେଡିରେ ଯୋଗ ଦେବାର କିଛି ମାସ ମଧ୍ୟରେ ଅର୍ଥାତ୍ ୨୦୧୯ ଜୁନ୍ରେ ତାଙ୍କୁ ରାଜ୍ୟସଭା ପଠାଗଲା। ୨୦୨୪ରେ ତାଙ୍କର ରାଜ୍ୟସଭା କାର୍ଯ୍ୟକାଳ ଶେଷ ହୋଇଥିଲା।  ବିଜେଡିର ଅନେକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ସେ ରହୁଥିଲେ। ତାଙ୍କୁ ଆଇଟି ସେଲ୍ ଆବାହକ ଭାବେ ନିଯୁକ୍ତି ଦିଆଯାଇଥିଲା। ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ଉପରେ ଭୋଟ ଚୋରିର ଆରୋପ ଲଗାଇ ବିଜେଡି ନିର୍ବାଚନ କମିସନଙ୍କ ନିକଟରେ ଯେଉଁ ଅଭିଯୋଗ କରିଛି, ତାହାର ନେତୃତ୍ବ ଅମର ନେଉଥିଲେ। ବିଜେପି କିପରି ଭୋଟ ଚୋରି କରି ଜିତିଛି, ତାହାକୁ ସେ ଲଗାତାର ଭାବେ ପ୍ରଚାର କରୁଥିଲେ। 
ଗତକାଲି ବିଜେଡି ଆଇଟି ସେଲ୍କୁ ଉଦ୍ବୋଧନ ଦେଇଥିଲେ
ଆଜିର ମିଶ୍ରଣ ସଭାରେ ମୁଖ୍ୟମନ୍ତ୍ରୀ କହିଥିଲେ, ଅମର ବାବୁ ବିଜେଡିରେ ଅଣନିଃଶ୍ବାସୀ ହୋଇପଡ଼ୁଥିଲେ। ବିଜେଡିରେ ବାକ୍ ସ୍ବାଧୀନତା ନାହିଁ ବୋଲି ଅନ୍ୟ ନେତାମାନେ ବି କୁହନ୍ତି। ମାତ୍ର ବିଜେପିରେ ଯୋଗ ଦେବା ପରେ ସେ ସ୍ବାଧୀନ ଭାବେ କାର୍ଯ୍ୟ କରିପାରିବେ। ଆଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ସେତିକିବେଳେ ତାଙ୍କ ଦଳର ବରିଷ୍ଠ ନେତା ଅମର ବାବୁ ବିଜେପିରେ ସାମିଲ ହୋଇଛନ୍ତି। ସେ ଯେତେବେଳେ ନୂଆପଡ଼ା ଯାଇ ପ୍ରଚାର କରିବେ, ସେତେବେଳେ ନବୀନ ବାବୁ ତାଙ୍କ ସ୍ଥିତି ବିଷୟରେ ଅବଗତ ହୋଇପାରିବେ। ବିଜେପି ରାଜ୍ୟ ସଭାପତି ଶ୍ରୀ ସାମଲ ଓ ପ୍ରଭାରୀ ଶ୍ରୀ ତୋମାର ବିଜେପିକୁ ଅମରଙ୍କୁ ସ୍ବାଗତ କରିବା ସହ ତାଙ୍କ ଦୀର୍ଘ ଅନୁଭବର ଲାଭ ବିଜେପିକୁ ମିଳିବ ବୋଲି କହିଥିଲେ। 
 ଅମର ପଟ୍ଟନାୟକ କହିଥିଲେ, ଲୋକଙ୍କ ସହ ମିଶି ଜନସେବା କରିବା ପାଇଁ ଚାକିରି ଛାଡ଼ିଥିଲି। ଯେତେବେଳେ ରାଷ୍ଟ୍ର ନିର୍ମାଣର କଥା ମୁଁ ଚିନ୍ତା କଲି, ସେତେବେଳେ ବିଜେପି ଛଡ଼ା ଅନ୍ୟ କୌଶସି ଦଳ ମୋ ନଜରକୁ ଆସୁ ନଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶ ଓ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଲି। ଦଳ ମୋତେ ଯେଉଁ ଦାୟିତ୍ବ ଦେବ, ମୁଁ ତାହାକୁ ନିଷ୍ଠାର ସହ ତୁଲାଇବି।  ସବୁଠାରୁ ରୋଚକ କଥା ହେଲା, ଗତକାଲି ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡିର ଆଇଟି ସେଲ୍ର ଏକ ବୈଠକ ହୋଇଥିଲା। ନୂଆପଡ଼ାରେ ହୋଇଥିବା ଏହି ବୈଠକରେ ଆଇଟି ସେଲ୍ ଓ ସୋସିଆଲ୍ ମିଡିଆ ସେଲ୍ର ସବୁ ଜିଲ୍ଲା ଆବାହକମାନେ ଉପସ୍ଥିତ ଥିଲେ। ଭୁବନେଶ୍ବରରେ ଥିବା ଅମର ପଟ୍ଟନାୟକ ଆଇଟି ସେଲ୍ର ରାଜ୍ୟ ଆବାହକ ଭାବେ ଆଭାସୀ ମାଧ୍ୟମରେ ଏଥିରେ ସାମିଲ ହୋଇଥିଲେ। ସେ ଉଦ୍ବୋଧନ ଦେଇ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବାକୁ ଆହ୍ବାନ ଦେଇଥିଲେ। ଗାଁ ଗାଁ ବୁଲି ସରକାରଙ୍କ ବିଫଳତା ଓ ପୂର୍ବ ସରକାରଙ୍କ ସଫଳତାର ଭିଡିଓ କରି ସୋସିଆଲ୍ ମିଡିଆରେ ଛାଡ଼ିବା ପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ ତାହାର ୨୪ ଘଣ୍ଟା ନ ପୂରୁଣୁ ଆଜି ସେ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ଆଉ ବିଜେପି ପ୍ରାର୍ଥୀଙ୍କ ପାଇଁ ନୂଆପଡ଼ା ଯାଇ ପ୍ରଚାର କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଏହି ମିଶ୍ରଣ ପର୍ବରେ ଦଳର ପୂର୍ବତନ ସଭାପତି ସମୀର ମହାନ୍ତି, ରାଜ୍ୟ ସମ୍ପାଦିକା ପିଙ୍କି ପ୍ରଧାନ, ଭୁବନେଶ୍ବର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର, ମୁଖପାତ୍ର ଦିଲ୍ଲୀପ ମଲ୍ଲିକ, ରାଜେନ୍ଦ୍ର ପଣ୍ଡା ଓ ଜୟନ୍ତ ଜେନା ଉପସ୍ଥିତ ଥିଲେ। 
                            
                        
                        
                        
                    
  
 Follow Us