ରାଜ୍ୟସଭା ପାଇଁ ପ୍ରାର୍ଥିପତ୍ର ଦାଖଲ

Advertisment
ରାଜ୍ୟସଭା ପାଇଁ ପ୍ରାର୍ଥିପତ୍ର ଦାଖଲ

ସସ୍ମିତ, ଅମରଙ୍କ ପାଇଁ ନବୀନ ଉପସ୍ଥିତ ରହିଲେ
ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ବରିଷ୍ଠ ବିଜେଡି ନତା
ଅଶ୍ବିନୀଙ୍କ ପାଇଁ କେବଳ ବିଜେପି ବିଧାୟକ ପ୍ରସ୍ତାବକ
ଅଚ୍ୟୁତଙ୍କ ସ୍ଥାନରେ ଅମର, ସୌମ୍ୟଙ୍କ ସ୍ଥାନରେ ଅଶ୍ବିନୀ
ପ୍ରତାପଙ୍କ ସ୍ଥାନରେ ସସ୍ମିତ ଯିବେ ରାଜ୍ୟସଭା

ଭୁବନେଶ୍ବର : ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ଓଡ଼ିଶାରୁ ତିନି ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବିଜେଡି ପକ୍ଷରୁ ପୂର୍ବତନ ପ୍ରଶାସକ ତଥା ଦଳର ଆଇଟି ମୁଖ୍ୟ ଅମର ପଟ୍ଟନାୟକ ଓ ମୁଖପାତ୍ର ସସ୍ମିତ ପାତ୍ର ଏବଂ ବିଜେପି ପକ୍ଷରୁ ପୂର୍ବତନ ପ୍ରଶାସକ ଅଶ୍ୱିନୀ ବୈଷ୍ଣବ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ବିଧାନସଭା ଅଭ୍ୟର୍ଥନା କକ୍ଷରେ ରିଟର୍ଣ୍ଣିଂ ଅଫିସର ବିଷ୍ଣୁପ୍ରସାଦ ମିଶ୍ରଙ୍କ ନିକଟରେ ଏହି ନାମାଙ୍କନପତ୍ର ଦାଖଲ କରାଯାଇଥିଲା। କୌତୂହଳର କଥା ହେଲା, ମୁଖ୍ୟମନ୍ତ୍ରୀ ତଥା ବିେଜଡି ସଭାପତି ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଦାଖଲ ବେଳେ ଉପସ୍ଥିତ ଥିଲେ। ହେଲେ ଅଶ୍ବିନୀଙ୍କ ନାମାଙ୍କନ ପତ୍ର ଦାଖଲ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ େହାଇଥିଲା। ମୁଖ୍ୟମନ୍ତ୍ରୀ ଯିବାର ପାଖାପାଖି ପାଞ୍ଚ ମିନିଟ୍ ପରେ ବରିଷ୍ଠ ବିେଜଡି ଓ ବିଜେପି ନେତାଙ୍କ ଗହଣରେ ଅଶ୍ବିନୀ ବୈଷ୍ଣବ ପ୍ରାର୍ଥିପତ୍ର ଦାଖଲ କରିଥିଲେ।

ଯଦିଓ ବିେଜଡି ସମର୍ଥନ ଉପରେ ଅଶ୍ବିନୀଙ୍କ ନିର୍ବାଚନ ନିର୍ଭର କରୁଛି, କିନ୍ତୁ ନାମାଙ୍କନ ପତ୍ରରେ ମଧ୍ୟ ବିଜେଡି େନତାମାନେ ପ୍ରସ୍ତାବକ ନାହାନ୍ତି। ସମ୍ଭବତଃ ଏହି କାରଣରୁ ବିେଜପି ପ୍ରାର୍ଥୀ ଦୁଇ ସେଟ୍ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ବିଜେଡି ପ୍ରାର୍ଥୀ ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର ୩ ସେଟ ଲେଖାଏଁ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ପୂର୍ବତନ ରାଜ୍ୟସଭା ସାଂସଦ ଅଚ୍ୟୁତାନନ୍ଦ ସାମନ୍ତଙ୍କ ସ୍ଥାନରେ ଅମର ପଟ୍ଟନାୟକ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ପ୍ରାର୍ଥିପତ୍ର ଦାଖଲ ପରେ ଶ୍ରୀ ପଟ୍ଟନାୟକ କହିଥିଲେ, ଓଡ଼ିଶାର ସ୍ବାର୍ଥକୁ ଦିଲ୍ଲୀ ଦରବାରରେ ଦୃଢ଼ ସ୍ବରରେ ଉଠାଯିବ। ଏହାସହିତ ବିଜୁ ଜନତା ଦଳରେ ସାଂଗଠନିକ ଶକ୍ତି ଆହୁରି ମଜବୁତ କରିବା ପାଇଁ ମଧ୍ୟ ସେ କାର୍ଯ୍ୟକରିବେ। ରାଜ୍ୟ ସ୍ବାର୍ଥ ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ପାଖରେ ଯେଉଁସବୁ ଦାବି କରିଆସିଛନ୍ତି ସେସବୁ କିପରି ପୂରଣ ହେବ ସେଥିପାଇଁ ସେ ଉଦ୍ୟମ ଜାରି ରଖିବେ। ସଂଖ୍ୟା ଦୃଷ୍ଟିରୁ ଅମର ପଟ୍ଟନାୟକ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହେବା ଏକ ପ୍ରକାର ନିଶ୍ଚିତ। ନିର୍ବାଚିତ ହେବା ପରେ ଶ୍ରୀ ପଟ୍ଟନାୟକଙ୍କ କାର୍ଯ୍ୟକାଳ ଆସନ୍ତା ୨୦୨୪ ମସିହା ଏପ୍ରିଲ ପର୍ଯ୍ୟନ୍ତ ରହିବ।

ବିଜେଡି ପ୍ରାର୍ଥୀ ସସ୍ମିତ ପାତ୍ର ପ୍ରାର୍ଥିପତ୍ର ଦାଖଲ କରିବା ପରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇ କହିଥିଲେ, ରାଜ୍ୟର ବିକାଶ ପାଇଁ ନିତି ଆୟୋଗ ଯେଉଁ ସବୁ ପ୍ରସ୍ତାବ ଦେଇଛନ୍ତି ସେସବୁକୁ ହାସଲ କରିବା ପାଇଁ ସଂସଦରେ ସେ ସ୍ବର ଉଠାଇବେ। ଓଡ଼ିଶା ସବୁବେଳେ ପ୍ରାକୃତିକ ଦୁର୍ବିପାକର ଶିକାର ହୋଇଆସୁଛି। ସେଥିପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ଦାବି କରିଆସିଛନ୍ତି। ରାଜ୍ୟକୁ ଯେପରି ଏହି ହକ୍ ମିଳିବ ସେଥିପାଇଁ ସେ ଦିଲ୍ଲୀରେ ସ୍ବର ଉଠାଇବେ। ରାଜ୍ୟବାସୀଙ୍କ ବିକାଶ କରିବା ବିଜେଡିର ମୂଳ ଲକ୍ଷ୍ୟ। ପୂର୍ବତନ ସାଂସଦ ପ୍ରତାପ ଦେବଙ୍କ ସ୍ଥାନରେ ମାତ୍ର ୩ ବର୍ଷ ପାଇଁ ସାଂସଦ ପଦ ମିଳିବା ନେଇ ମନରେ କୌଣସି ଦୁଃଖ ନଥିବା ସସ୍ମିତ କହିଥିଲେ। ନିର୍ବାଚିତ ହେବା ପରେ ଡଃ ପାତ୍ର ଆସନ୍ତା ୨୦୨୨ ଏପ୍ରିଲ ପର୍ଯ୍ୟନ୍ତ ସାଂସଦ ପଦରେ ରହିବେ।

ପୂର୍ବତନ ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସ୍ଥାନରେ ଶ୍ରୀ ବୈଷ୍ଣବ ପ୍ରାର୍ଥିପତ୍ର ଦାଖଲ କରିଥିବାରୁ ରାଜ୍ୟସଭା ସାଂସଦ ଭାବେ ତାଙ୍କ କାର୍ଯ୍ୟକାଳ ୨୦୨୪ ଏପ୍ରିଲ ପର୍ଯ୍ୟନ୍ତ ରହିବ। ପ୍ରାର୍ଥିପତ୍ର ଦାଖଲ କରିବା ପରେ ଶ୍ରୀ ବୈଷ୍ଣବ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତାଙ୍କୁ ଓଡ଼ିଶାର ସେବା କରିବାକୁ ସୁଯୋଗ ଦେଇଥିବାରୁ ସେ କୃତଜ୍ଞ। ଆଇଏଏସ ଚାକିରି କଲାବେଳେ ପ୍ରାଶାସନିକ ଅଧିକାରୀ ଭାବେ ଓଡ଼ିଶା ଲୋକଙ୍କ ସେବା କରିଛି। ଏବେ ଜଗନ୍ନାଥଙ୍କ ଭୂମି ପାଇଁ ନିଃସ୍ବାର୍ଥପର ଭାବେ ସେବା କରିବି।

ଉଲ୍ଲେଖଯୋଗ୍ୟ, ଓଡ଼ିଶାର ତିନିଟି ରାଜ୍ୟସଭା ଆସନ ଉପ ନିର୍ବାଚନ ପାଇଁ ବିେଜଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଦଳର ଆଇଟି େସଲ୍ ମୁଖ୍ୟ ଡ. ଅମର ପଟ୍ଟନାୟକ ଓ ମୁଖପାତ୍ର ତଥା ସଂଖ୍ୟାଲଘୁ ସେଲ୍ ସଚିବ ଡ. ସସ୍ମିତ ପାତ୍ର ଓ ପୂର୍ବତନ ଆଇଏଏସ୍ ଅଫିସର ଅଶ୍ବିନୀ ବୈଷ୍ଣବଙ୍କ ନାମ େଘାଷଣା କରିଥିଲେ। ବିଜେଡି ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଦଳ ଜଣାଇ ଦେଇଥିଲା େଯ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅନୁରୋଧ ପରେ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe