ଓଡ଼ିଶାର ତେଲୁଗୁ ପିଲାଙ୍କୁ ଟାଣୁଛି ‘ଆମ୍ମାବାଡ଼ି’: ଆନ୍ଧ୍ରର ଯୋଜନାରେ ଆଗ୍ରହ ଦେଖାଇଲେଣି ଛାତ୍ରଛାତ୍ରୀ

Advertisment
ଓଡ଼ିଶାର ତେଲୁଗୁ ପିଲାଙ୍କୁ ଟାଣୁଛି ‘ଆମ୍ମାବାଡ଼ି’: ଆନ୍ଧ୍ରର ଯୋଜନାରେ ଆଗ୍ରହ ଦେଖାଇଲେଣି ଛାତ୍ରଛାତ୍ରୀ

Image Courtesy of The Indian Express

ପାରଳାଖେମୁଣ୍ଡି: ଏବେ ନୂଆ ସମସ୍ୟା ଭାବେ ଉଭାହେବାକୁ ଯାଉଛି ଆନ୍ଧ୍ରପ୍ରଦେଶର ‘ଆମ୍ମାବାଡ଼ି ଶିକ୍ଷାଦାନ ଯୋଜନା’। ପଡ଼ୋଶୀ ରାଜ୍ୟ ଏହି ନୂଆ ଯୋଜନାରେ ସରକାରୀ ସ୍କୁଲ୍‌ର ଛାତ୍ରଛାତ୍ରୀଙ୍କ ପାଇଁ ଯେଉଁସବୁ ସୁବିଧା ରଖିଛନ୍ତି, ସେଥିପ୍ରତି ସୀମାନ୍ତ ଅଞ୍ଚଳର ତେଲୁଗୁ ଭାଷାଭାଷୀ ପିଲାମାନେ ଆଗ୍ରହ ପ୍ରକାଶ କରିସାରିଲେଣି। ଯଦି ଏଥିପ୍ରତି କୌଣସି ପଦକ୍ଷେପ ଗ୍ରହଣ କରାନଯାଏ , ଆଗାମୀଦିନରେ ଆମ ରାଜ୍ୟର ଶିକ୍ଷାବ୍ୟବସ୍ଥା ପାଇଁ ଏହା ଏକ ଆହ୍ବାନ ହେବ ବୋଲି କୁହାଯାଉଛି।

ଓଡ଼ିଶା ସୀମାନ୍ତ ଅବିଭକ୍ତ ଗଞ୍ଜାମ ଓ କୋରାପୁଟରେ ଆନ୍ଧ୍ରର ଅନୁପ୍ରବେଶ ଓଡ଼ିଶା ସରକାରଙ୍କ ପାଇଁ ଏକ ଚିନ୍ତାଜନକ ପ୍ରସଙ୍ଗ ଭାବେ ଉଭା ହୋଇଛି। ଏହାର ସମାଧାନ ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ହେଉଥିଲେ ବି, ଏଯାଏ କୌଣସି ନିର୍ଯ୍ୟାସ ବାହାରିପାରୁନି। ଏଭଳି ଏକ ଘଡ଼ିସନ୍ଧି ପରିସ୍ଥିତିରେ ଆନ୍ଧ୍ରପ୍ରଦେଶ ସରକାର ପ୍ରତି ସରକାରୀ ବିଦ୍ୟାଳୟରେ ସିବିଏସ୍‌ଇ ଢାଞ୍ଚାରେ ‘ଆମ୍ମାବାଡ଼ି ଶିକ୍ଷାଦାନ’ ଯୋଜନା ହାତକୁ ନେଇଛନ୍ତି। ଗତ ସୋମବାର ମୁଖ୍ୟମନ୍ତ୍ରୀ ୱାଇ.ଏସ୍‌ ଜଗନମୋହନ ରେଡ୍ଡୀ ‘ଆମ୍ମାବାଡ଼ି ଯୋଜନା’ କାର୍ଯ୍ୟକାରୀ ନେଇ ଘୋଷଣା କରିଛନ୍ତି। ଯାହାର ରୂପରେଖ ଅନୁସାରେ, ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ପରିବାରକୁ ମାଗଣା ଶିକ୍ଷା ଓ ହଷ୍ଟେଲ୍‌ ସୁବିଧା ସହିତ ପ୍ରତି ପିଲାଙ୍କୁ ବାର୍ଷିକ ୧୫ ହଜାର ଟଙ୍କା ଷ୍ଟାଇପେଣ୍ଡ୍‌ ବ୍ୟବସ୍ଥା ରହିଛି। ଏଥିସହ ସ୍କୁଲ ପୋଷାକ, ସ୍କୁଲ୍‌ ବ୍ୟାଗ, ଜୋତା ଏବଂ ପାଠ୍ୟ ପୁସ୍ତକ ସବୁ ମାଗଣାରେ ‌ଯୋଗାଇ ଦିଆଯିବ। ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟକୁ ମିଶାଇ ଆନ୍ଧ୍ର ସରକାରଙ୍କ ଏହି ଯୋଜନା ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଥିବା ବିଭିନ୍ନ ଗ୍ରାମ ଓ ସହରରେ ଓଡ଼ିଆ ସ୍କୁଲରେ ପଢୁଥିବା ଅଭିଭାବକଙ୍କ ଉପରେ ବିଶେଷ ପ୍ରଭାବ ପକାଇଛି। ସେମାନଙ୍କ ପିଲାଙ୍କୁ ଆନ୍ଧ୍ର ସ୍କୁଲରେ ନାମ ଲେଖାଇବା ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି।

ସୂଚନା ଅନୁସାରେ, ବର୍ତ୍ତମାନ ଆନ୍ଧ୍ରର ପୁରୁଣାପାଟଣା ଏବଂ ଚାପରାରେ ପାରଳାଖେମୁଣ୍ଡି ସହରରୁ ଯାଇ ଅନେକ ଛାତ୍ରଛାତ୍ରୀ ତେଲୁଗୁ ବିଦ୍ୟାଳୟରେ ନାମ ଲେଖାଇ ସରିଲେଣି। ଫଳରେ ‘ଆମ୍ମାବାଡ଼ି ଯୋଜନା’ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥା ପାଇଁ ଏକ ସତର୍କ ଘଣ୍ଟି ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ବିଶେଷକରି ଅବିଭକ୍ତ ଗଞ୍ଜାମ ଓ କୋରାପୁଟ ଜିଲ୍ଲାର ଓଡ଼ିଆ ସ୍କୁଲ ଶିକ୍ଷାଦାନ ବ୍ୟବସ୍ଥାକୁ ଏହା ପ୍ରଭାବିତ କରିପା‌ରେ ବୋଲି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି। ଓଡ଼ିଶା ସରକାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷାଦାନ କ୍ଷେତ୍ରରେ ଅନେକ ସଂସ୍କାରମୂଳକ ପଦକ୍ଷେପ ହାତକୁ ନେଇଛନ୍ତି। ସ୍ମାର୍ଟ ସ୍କୁଲ୍‌ ଓ ର୍ସ୍ମାର୍ଟକ୍ଲାସ୍‌ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହାସହ ସିବିଏସ୍‌ଇ ଢାଞ୍ଚାରେ ଗ୍ରାମାଞ୍ଚଳ ପିଲାଙ୍କ ପାଇଁ ଆଦର୍ଶ ବିଦ୍ୟାଳୟ ଖୋଲା ଯାଇଥିବା ସହ ସରକାରୀ ବିଦ୍ୟାଳୟରେ ପିଲାଙ୍କୁ ମାଗଣା ପୋଷାକ ଓ ଜୋତା ଆଦି ବଣ୍ଟନ କରାଯାଉଛି।‌ କିନ୍ତୁ ଆନ୍ଧ୍ର ସୀମାନ୍ତରେ ଓଡ଼ିଆ ସ୍କୁଲରେ ପଢୁଥିବା ତେଲୁଗୁ ଭାଷାଭାଷୀ ପିଲାମାନେ ଶିକ୍ଷାଦାନ କ୍ଷେତ୍ରରେ ଅନେକ ସମସ୍ୟାରେ ପଡ଼ୁଥିବାର ନଜିର୍ ରହିଛି।

ତାହା ପାଠ୍ୟପୁସ୍ତକର ଅଭାବ ହେଉ ବା ବିଦ୍ୟାଳୟରେ ଶିକ୍ଷକ ସଂକଟ। ଏ ନେଇ ବହୁ ସଂଗଠନ ବି ସେମାନଙ୍କ ସ୍ବ‌ରୋତ୍ତୋଳନ କରି ଆସୁଛନ୍ତି। ଏଭଳି ଘଡ଼ିସନ୍ଧି ସମୟରେ ଆନ୍ଧ୍ର ସରକାରଙ୍କ ‘ଆମ୍ମାବାଡ଼ି ଯୋଜନା’ ଏବଂ ଏଥିରେ ବାର୍ଷିକ ୧୫ ହଜାର ଟଙ୍କା ଷ୍ଟାଇପେଣ୍ଡ୍ ସୁବିଧା ସୀମାନ୍ତ ତେଲୁଗୁ ଭାଷାଭାଷୀ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ସବୁଠାରୁ ବେଶି ଆକର୍ଷିତ କରିଛି। ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବାପାଇଁ ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟରେ ୭୫ ପ୍ରତିଶତ ଉପସ୍ଥାପନ ବାଧ୍ୟତାମୂଳକ। ଷ୍ଟାଇପେଣ୍ଡ୍‌ ସହ ମାଗଣାରେ ପିଲାଙ୍କୁ ସବୁ ସୁବିଧା ମିଳିବ। ଫଳରେ ଏହି ଯୋଜନା ପ୍ରତି ଏବେଠାରୁ ଆନ୍ଧ୍ର ସୀମାନ୍ତରେ ରହୁଥିବା ଗଜପତି ଜିଲ୍ଲାର ତେଲୁଗୁ ପରିବାରଙ୍କୁ ପ୍ରଲୋଭିତ କରିସାରିଛି। ଆସନ୍ତା ଦୁଇବର୍ଷ ମଧ୍ୟରେ ଯଦି ଆନ୍ଧ୍ରର ସରକାରୀ ବିଦ୍ୟାଳୟ ଗୁଡ଼ିକ ସିବିଏସ୍‌ଇ ପାଠ୍ୟକ୍ରମ ପଢ଼ାଇବେ, ତା’ହେଲେ ଗଜପତି ଜିଲ୍ଲାର ଗୋଷାଣୀ, କାଶୀନଗର ବ୍ଲକ ଏବଂ ପାରଳାଖେମୁଣ୍ଡି ସହରରୁ ଛାତ୍ରଛାତ୍ରୀ ଆନ୍ଧ୍ରପ୍ରଦେଶ ଯାଇ ପାଠପଢ଼ିବେ ବୋଲି ଅଧିକାଂଶ ଅଭିଭାବକ ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe