ମୋହନା: ଗଜପତି ଜିଲ୍ଲାରେ ଗ୍ରାମାଞ୍ଚଳକୁ ଗମନାଗମନ ସମସ୍ୟା ସୁଧୁରି ପାରୁନାହିଁ। ଆମ୍ବୁଲାନସ୍ ଯାଇପାରୁ ନଥିବାରୁ ଅନେକ ସମୟରେ ମେଡିକାଲ ପହଞ୍ଚି ପାରୁନାହାନ୍ତି ରୋଗୀ। ଦୋଳା ହିଁ ଏକମାତ୍ର ଭରସା। ଜିଲ୍ଲାର ମୋହନା ଅଞ୍ଚଳରେ ଜନନୀ ଯନ୍ତ୍ରଣାର ଏଭଳି ଆଉ ଏକ ନଜିର ଦେଖିବାକୁ ମିଳିଛି। ରାସ୍ତା ସମସ୍ୟା ଯୋଗୁଁ ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ନପାରିବାରୁ ପ୍ରସୂତିଙ୍କୁ ଦୋଳାରେ ଆମ୍ବୁଲାନସ୍ ପାଖକୁ ଅଣାଯାଉଥିଲା। ହେଲେ ତାଙ୍କର ଅଧାରାସ୍ତାରେ ଦୋଳାରେ ହିଁ ପ୍ରସବ ହୋଇଯାଇଛି।
ସୂଚନା ମୁତାବକ, ମୋହନା ବ୍ଲକ୍ ମାଣ୍ଡିମେରା ପଞ୍ଚାୟତର ଗୁବେଲ ଗାଁର ରାଜୁ ମଲିକଙ୍କ ପତ୍ନୀ ସୁକୁମାରୀ ମଲିକଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ତେବେ ଗାଁକୁ ରାସ୍ତା ନଥିବାରୁ ୫ କିମି ଦୂରରେ ଆମ୍ବୁଲାନ୍ସ ରହିଯାଇଥିଲା। ବାଧ୍ୟ ହୋଇ ପରିବାର ଓ ଗାଁ ଲୋକେ କାଠରେ ଦୋଳା କରି ସୁକୁମାରୀଙ୍କୁ ପାହାଡ଼ିଆ ରାସ୍ତାରେ ବୋହି ଆଣିବା ବେଳେ ଅଧା ରାସ୍ତାରେ ଦୋଳାରେ ହିଁ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଏହି ସମୟରେ ସାଙ୍ଗରେ ଆସିଥିବା ମହିଳାମାନେ ଲୁଗାରେ ଘେର କରି ପ୍ରସବ କରାଇଥିଲେ। ରାସ୍ତାରେ ଆଶାକର୍ମୀ ମେରୀ ମାଝୀ ସୁକୁମାରୀଙ୍କ ସୁରକ୍ଷିତ ପ୍ରସବ କରାଇବାରେ ମୁଖ୍ୟ ଭୂମିକା ନେଇଥିଲେ। ପରେ ଆମ୍ବୁଲାନ୍ସ ସହାୟତରେ ମାଆ ଓ ନବଜାତ ଶିଶୁକୁ ବିରିକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିଛି ସମୟ ମେଡିକାଲରେ ଚିକିତ୍ସା ପରେ ସୁସ୍ଥ ହୋଇ ମା’ ଓ ଶିଶୁ ଘରକୁ ଫେରିଥିବା ସୂଚନା ମିଳିଛି।
Follow Us