ନଈ ମଝିରେ ବୋଟ୍‌ ଆମ୍ବୁଲାନ୍ସ ଅଚଳ: ୪ କର୍ମଚାରୀଙ୍କୁ ଉଦ୍ଧାର କଲା ଆଉ ଏକ ବୋଟ୍‌

ନଈ ମଝିରେ ବୋଟ୍‌ ଆମ୍ବୁଲାନ୍ସ ଅଚଳ: ୪ କର୍ମଚାରୀଙ୍କୁ ଉଦ୍ଧାର କଲା ଆଉ ଏକ ବୋଟ୍‌

ଯାଜପୁର: ଆଜି ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ୍ ବେଣାପୁର ଠାରେ ଗେଙ୍ଗୁଟି ନଦୀରେ ଏକ ବୋଟ୍‌ ଆମ୍ବୁଲାନ୍ସ ଅଚଳ ହୋଇପଡ଼ିଥିଲା। ଏହି ବୋଟ୍‌ ଆମ୍ବୁଲାନ୍ସଟି ୧୫ ଦିନ ପୂର୍ବରୁ ମରାମତି ହୋଇଥିଲା। ଏଥିରେ ୪ଜଣ କର୍ମଚାରୀ ଥିଲେ। ବୋଟ୍‌ଟି ବନ୍ୟା ସ୍ରୋତରେ ଭାସିଯାଉଥିବା ବେଳେ ନଦୀକୂଳରେ ଥିବା ଫାଇବର୍ ବୋଟ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା। ଏହାସହ ଅଚଳ ବୋଟ୍‌କୁ ମଧ୍ୟ କୂଳକୁ ଆଣିଥିଲେ। ସେହିପରି ବରୀରେ ଥିବା ବୋଟ୍‌ ଖରାପ ହୋଇପଡ଼ିଛି ବୋଲି ଅଭିଯୋଗ ହେଉଛି।

ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ରିଲିଫ କମିସନ(ଏସଆରସି) ଅଧୀନରେ ରାଜ୍ୟ ବନ୍ଦର ଯନ୍ତ୍ରୀଙ୍କ କାର୍ଯ୍ୟାଳୟ କାମ କରୁଛି। ଏହି ବିଭାଗ ଜରିଆରେ ବନ୍ୟା ବିପନ୍ନଙ୍କୁ ଅତ୍ୟାବଶ୍ୟକ ସେବା ଯୋଗାଇ ଦେବା ଲାଗି ବୋଟ୍‌ ବ୍ୟବସ୍ଥା ରହିଛି। ମାତ୍ର ଅବ୍ୟବସ୍ଥା ଓ ଅନିୟମିତତା ପାଇଁ ବୋଟ୍ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି କାରଣରୁ ଆଜି ଏକ ବୋଟ ବନ୍ୟାପାଣିରେ ଅଚଳ ହୋଇଥିଲା। ତୁରନ୍ତ ଆଉ ଏକ ବୋଟ୍‌ ପହଞ୍ଚିବାରୁ ବଡ଼ ଅଘଟଣ ଟଳିଯାଇଛି।
ଅନେକ ବୋଟ୍‌ ନାମକୁ ମାତ୍ର କାମରେ ଲାଗୁଥିବା ବେଳେ ଅଚଳ ବୋଟ୍‌କୁ ମରାମତି ଆଳରେ ମିଛ ବିଲ୍‌ କରାଯାଉଥିବା ଅଭିଯୋଗ ହେଉଛି। ଅନେକ ସରକାରୀ ବୋଟ୍ ବିଭିନ୍ନ ସ୍ଥାନରେ ପଡ଼ି ଖତ ଖାଉଥିବା ବେଳେ ଘରୋଇ ବୋଟ୍‌ରେ ସରକାରୀ କାର୍ଯ୍ୟ ହେଉଛି।

ଦିନକୁ ଦିନ ସ୍ଥାୟୀ କର୍ମଚାରୀଙ୍କ ସଂଖ୍ୟା କମୁଥିବା ବେଳେ ୬ମାସିଆ ଅସ୍ଥାୟୀ କର୍ମଚାରୀଙ୍କ ଦ୍ବାରା ବନ୍ୟା ପୀଡ଼ିତଙ୍କୁ ସେବା ଯୋଗାଇ ଦିଆଯାଉଛି। କର୍ମଚାରୀ ଅଭାବରୁ ନଈକୂଳରେ ପଡ଼ିରହି ବୋଟ୍‌ଗୁଡ଼ିକ ନଷ୍ଟ ହେଉଛି। ଯାଜପୁର ଜିଲ୍ଲାରେ ପ୍ରାୟ ୩୫ଟି ବୋଟ୍ ରହିଛି। ଏଥି ପାଇଁ ୩୫ଜଣ ଅସ୍ଥାୟୀ ନାବିକ, ୩୧ଜଣ ଖଲାସୀ ନିଯୁକ୍ତ ହୋଇଛନ୍ତି। ସମଗ୍ର ରାଜ୍ୟରେ ୨୬୬ନାବିକ ଓ ୨୪୧ଖଲାସୀଙ୍କୁ ୬ମାସିଆ ନିଯୁକ୍ତି ଦିଆଯାଇଛି। ସେଥିରେ ମଧ୍ୟ ୨୦ କର୍ମଚାରୀ ପଦ ଖାଲି ପଡ଼ିଛି। ବନ୍ୟା ସମୟରେ ବିପନ୍ନଙ୍କୁ ସହାୟତା ପାଇଁ ଅସ୍ଥାୟୀ ବ୍ୟବସ୍ଥା ବଦଳରେ ସ୍ଥାୟୀ ନିଯୁକ୍ତି ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe