ବସ୍ତା-୨/ଗାନ୍ଧିଛକ: ବସ୍ତା ଥାନା ୬୦ ନମ୍ୱର ଜାତୀୟ ରାଜପଥ ହଳଦୀପଦାଠାରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ରୋଗୀଙ୍କୁ ନେଇ ଆସୁଥିବା ଏକ ୧୦୮ ଆମୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ଭୋର ୪ଟା ବେଳେ ଏକ ଟ୍ରକ୍ ସହ ଆମ୍ବୁଲାନସର ଧକ୍କା ହେବାରୁ ରୋଗୀଙ୍କ ସମେତ ଆମ୍ବୁଲାନ୍ସ ଡ୍ରାଇଭର, ହେଲ୍ପର ଓ ଫାର୍ମାସିଷ୍ଟ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ଭୋଗରାଇ ବ୍ଲକ ଦାରୁହା ଗ୍ରାମରେ ପ୍ରସାଦ ଖାଇ ଶତାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ଗ୍ରାମବାସୀ ଜଳେଶ୍ୱରପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ତେବେ ଗତ ବିଳମ୍ବିତ ରାତିରେ ଦୁଇଜଣ ଆକ୍ରାନ୍ତ ହୃଷୀକାନ୍ତ ମଞ୍ଜ ଓ ଜ୍ୟୋତ୍ସ୍ନାରାଣୀ ମଞ୍ଜଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ରାତି ୨ଟାରେ ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ଦୁଇଜଣ ରୋଗୀଙ୍କ ସମେତ ଆମ୍ବୁଲାନ୍ସ ଡ୍ରାଇଭର ବଳରାମ ନାୟକ, ହେଲପର ସନ୍ତୋଷ କୁମାର ମହାନ୍ତି ଓ ଫାର୍ମାସିଷ୍ଟ ଗଣେଶ ଚନ୍ଦ୍ର ପ୍ରଧାନ ଗୁରୁତର ଆହତ ହୋଇ ବାଲେଶ୍ବର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।
Follow Us