Ambulance stuck on the road: Tractor pulled it to the village Photograph: (sambad.in)
ମାଲକାନଗିରି: ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଞ୍ଚଳର ରାସ୍ତା ଲଗାଣ ବର୍ଷା ଯୋଗୁ ଶୋଚନୀୟ ହୋଇପଡିଛି। ସେହି ରାସ୍ତାଗୁଡିକରେ ପାଦରେ ଚାଲି ଯିବା ବି କଷ୍ଟକର ହୋଇପଡୁଛି। ଏଭଳି ଏକ ଘଟଣା ସୋମବାର କୋରକୋଣ୍ଡା ବ୍ଲକର ନାକାମାମୁଡି ପଞ୍ଚାୟତରେ ଦେଖିବାକୁ ମିଳିଥିଲା।
ଏହି ପଞ୍ଚାୟତର କାକରଗୁଡା ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କୁ କୁଡୁମୁଲୁଗୁମ୍ମା ଡ଼ାକ୍ତରଖାନାକୁ ନେବା ପାଇଁ ସ୍ଥାନୀୟ ଆଶା ଦିଦି ଆମ୍ବୁଲାନ୍ସକୁ ଫୋନ କରିଥିଲେ। ଆମ୍ବୁଲାନ୍ସ ମଧ୍ୟ ତୁରନ୍ତ ବାହାରିଥିଲା। ତେବେ ଆମ୍ବୁଲାନ୍ସ କାକରଗୁଡାକୁ ଯିବାକୁ ହେଲେ ହାତୀଆମ୍ବ ଓ ଗନ୍ଧିଗୁଡା ଦେଇ ଯିବାକୁ ଥିଲା।
ଏହି ରାସ୍ତା ପାଖ ପଡୁଥିବାରୁ ଆମ୍ବୁଲାନ୍ସ ଯାଇଥିଲା। କିନ୍ତୁ ଗନ୍ଧିଗୁଡାରୁ କାକରଗୁଡା ପର୍ଯ୍ୟନ୍ତ ପ୍ରାୟ ୭ କିଲୋମିଟର ରାସ୍ତା ଘାଟ କଟିଂ ହୋଇଥିବାରୁ ରାସ୍ତା କାଦୁଅରେ ପଚ ପଚ ହୋଇଥିଲା। ଆମ୍ବୁଲାନ୍ସଟି କାଦୁଅରେ ଫସି ଅଟକି ରହିଥିଲା। ସେଠାରେ କୌଣସି ନେଟୱାର୍କର ବ୍ୟବସ୍ଥା ନଥିବାରୁ ଆମ୍ବୁଲାନ୍ସ ଡ୍ରାଇଭର ପ୍ରାୟ ଦୁଇ ଘଣ୍ଟା ଅଟକି ରହିଥିଲେ । ପରେ ଆଶା କର୍ମୀ ଏହି ଖବର ପାଇବା ପରେ ସ୍ଥାନୀୟ ରଘୁ ମୁଦୁଲିଙ୍କୁ ସହଯୋଗ କରିବାକୁ ନେହୁରା ହୋଇଥିଲେ।
ରଘୁ ନିଜ ସଂପର୍କୀୟ ପାଣ୍ଡରୁ ମୁଦୁଲିଙ୍କ ଟ୍ରାକ୍ଟରକୁ ଆଣି ଆମ୍ବୁଲାନ୍ସକୁ କାଦୁଅରୁ ବାହାର କରିଥିଲେ ଏବଂ କାକରଗୁଡା ପର୍ଯ୍ୟନ୍ତ ପହଞ୍ଚାଇଥିଲେ। ତେବେ ଆମ୍ବୁଲାନ୍ସ ଗର୍ଭବତୀ ମହିଳାଙ୍କୁ ନେଇ ପୁଣି ଏହି ରାସ୍ତାରେ ଆସି ନଥିଲା। ଆମ୍ବୁଲାନ୍ସ ଡାଇକ-୩ ରାସ୍ତା ଦେଇ ବାଲିମେଳା ହୋଇ ପ୍ରାୟ ୬୦ କିଲୋମିଟର କୁଡୁମୁଲୁଗୁମ୍ମାରେ ପହଞ୍ଚିଥିଲା। ତେବେ ରାସ୍ତାର ଅବସ୍ଥା ଯୋଗୁ ଗର୍ଭବତୀ ଜଣଙ୍କ ବହୁ ସମୟ ଧରି ଯନ୍ତ୍ରଣାରେ ଛଟପଟ ହୋଇଥିଲେ।
ସ୍ଥାନୀୟ ଅଞ୍ଚଳବାସୀ ବାରମ୍ବାର ଏହି ରାସ୍ତାକୁ ମରାମତି କରିବା ପାଇଁ ଦାବି କରିଆସୁଥିଲେ ମଧ୍ୟ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଲଗାଣ ବର୍ଷାରେ ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଆଣ୍ଠୁଏ କାଦୁଅରେ ଲୋକେ ଯିବା ଆସିବା କରୁଥିବା କହିଛନ୍ତି। ତୁରନ୍ତ ଏହି ରାସ୍ତା ନିର୍ମାଣ କରିବା ପାଇଁ ଦାବି ହୋଇଛି।
Malkangiri | ambulance
Follow Us