iStock
ଛତିଆ : ଟଙ୍କା କେଇଟା ପାଇଁ ମାନବିକତା ଭୁଲିଗଲା ଆମ୍ବୁଲାନ୍ସ ଚାଳକ। ପରିବାର ଲୋକେ ଦାବି ମୁତାବକ ଟଙ୍କା ଦେଇନପାରିବାରୁ ମହିଳାଙ୍କ ଶବକୁ ଯାଜପୁର ଜିଲ୍ଲା ଛତିଆ ନେଳିଆ ବ୍ରିଜ୍ ନିକଟରେ ରାସ୍ତାକଡ଼ରେ ଫିଙ୍ଗି ଚାଲିଗଲା ଆମ୍ବୁଲାନ୍ସ ଚାଳକ। ଏଭଳି ଘଟଣା ଏଠାରେ ଆଲୋଡ଼ନ ସୃଷ୍ଟି କରିଛି।
ମୃତ ମହିଳା ଢେ଼ଙ୍କାନାଳ ଜିଲା ଭୁବନ ଥାନା ଅଞ୍ଚଳର ହେମନ୍ତ ମିଶ୍ରଙ୍କ ପତ୍ନୀ ଛବି ମିଶ୍ର (୪୦)। ହେମନ୍ତ ଜଣେ ଦିନ ମଜୁରିଆ। ଗତକାଲି ଛବି ମିଶ୍ର ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ହେମନ୍ତ ତାଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ତାଙ୍କର ଅବସ୍ଥା ଗୁରୁତର ହୋଇ ପଡ଼ିବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ କଟକରେ ତାଙ୍କର ମୃତ୍ୟୁ ଘଟିଥିଲା।
ସ୍ବାମୀ ହେମନ୍ତ ଓ ଶ୍ବଶୁର ଏକ ଆମ୍ବୁଲାନ୍ସ ଯୋଗେ ବିଳମ୍ବିତ ରାତିରେ ଶବ ନେଇ ଛତିଆ ଫେରିଥିଲେ। ଛତିଆରେ ପହଞ୍ଚିବା ପୂର୍ବରୁ ଆମ୍ବୁଲାନ୍ସ ଚାଳକ ୫ ହଜାର ଟଙ୍କା ଭଡ଼ା ମାଗିଥିଲା। ହେମନ୍ତଙ୍କ ପାଖରେ ଏତେ ଟଙ୍କା ନଥିବାରୁ ୩ ହଜାର ଟଙ୍କା ଦେଇଥିଲେ। କିନ୍ତୁ ଏତିକିରେ ସନ୍ତୁଷ୍ଟ ହୋଇନଥିଲା ଡ୍ରାଇଭର। ମାନବିକତାକୁ ଭୁଲିଯାଇ ସେମାନଙ୍କ ସହ ଯୁକ୍ତିତର୍କ କରି ଭୋର ସମୟରେ ଛତିଆ ନେଳିଆ ବ୍ରିଜ୍ ପୂର୍ବରୁ ଶବଟିକୁ ଜବରଦସ୍ତ ରାସ୍ତା ତଳକୁ ଗଡ଼ାଇ ଦେଇ ଗାଡ଼ି ନେଇ ପଳାଇଥିଲା। ରାତି ଥିବାରୁ ହେମନ୍ତ ଓ ତାଙ୍କ ଶ୍ବଶୁର ଅସହାୟ ଅବସ୍ଥାରେ ଶବ ନିକଟରେ ବସି ରହିଥିଲେ। ସକାଳ ହୋଇଯିବାରୁ ମୃତଦେହ ଦେଖି ସ୍ଥାନୀୟ ଲୋକେ ଛତିଆ ପୁଲିସ୍ ବିଟ୍ ହାଉସକୁ ଖବର ଦେଇଥିଲେ।
Follow Us