ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାସ୍ଥିତ ବନବାସୀ ସେବା ସମିତିରେ ରହୁଥିବା ଜଣେ ୩ ବର୍ଷ ୪ ମାସର ଅନାଥ ଦୃଷ୍ଟିବାଧିତ ଶିଶୁକନ୍ୟାକୁ କୋଳେଇ ନେଇଛନ୍ତି ଏକ ଆମେରିକୀୟ ଦମ୍ପତି। ହେନ୍ରିକୋ କାଉଣ୍ଟିରୁ ଆସିଥିବା ମିଚେଲ୍ ୱିଲସନ୍ ଓ ପତ୍ନୀ ଡାନିଲେରିକିଆ ୱିଲସନ୍ ଶିଶୁକନ୍ୟା ଇତିକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି। ଆରୋନ୍ ଏକ ପଞ୍ଚତାରକା ହୋଟେଲ୍ରେ କାମ କରୁଥିବା ବେଳେ ପତ୍ନୀ ଡାନିଲେ ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ।
୨୦୨୧ ଏପ୍ରିଲ୍ ୬ରୁ ଇତି ବନବାସୀ ସେବା ସମିତିର ଶିଶୁଗୃହରେ ରହିଆସୁଥିଲା। ଗତ ୩ ବର୍ଷ ହେଲା ଏହି ଆମେରିକୀୟ ଦମ୍ପତି ସେଣ୍ଟ୍ରାଲ୍ ଆଡପସନ୍ ରିସୋର୍ସ ଅଥରିଟି ପାଖରେ ଆବେଦନ କରିଥିଲେ। ସମସ୍ତ ସରକାରୀ ନୀତିନିୟମ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ ନୀତିନିୟମକୁ ମାନି ଓ କାଗଜପତ୍ର କାମ ସମ୍ପୂର୍ଣ୍ଣ କରିବା ପରେ ଉକ୍ତ ଦମ୍ପତିଙ୍କୁ ଶିଶୁକନ୍ୟାଟିକୁ ହସ୍ତାନ୍ତର କରାଯାଇଥିବା କନ୍ଧମାଳ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ରଶ୍ମିତା କରନ୍ ସୂଚନା ଦେଇଛନ୍ତି। ଦୁଇବର୍ଷ ପର୍ଯ୍ୟନ୍ତ ଏହି ଦମ୍ପତି ଶିଶୁକନ୍ୟାର କିଭଳି ଯତ୍ନ ନେଲେ, ସେ ସମ୍ପର୍କରେ କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ବନବାସୀ ସେବା ସମିତି କର୍ତ୍ତୃପକ୍ଷଙ୍କୁ ସଂପୂର୍ଣ୍ଣ ତଥ୍ୟ ଦାଖଲ କରିବେ। ଏହି ସମୟରେ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ରଜତ କୁମାର ଦିଗାଳ ଓ ଅନ୍ୟ ସଦସ୍ୟମାନଙ୍କ ସମେତ ଡିସିପିଓ ରଶ୍ମିତା କରନ୍, ବନବାସୀ ସେବା ସମିତିର ସହସଂପାଦକ ରବୀନ୍ଦ୍ର କୁମାର ପଣ୍ଡା ଓ ଅନ୍ୟମାନେ ଉପସ୍ଥିତ ଥିଲେ।
Follow Us