ଆମେରିକାର ଓଡ଼ିଆ ମନସ୍ତତ୍ତ୍ବବିତ୍‌ ଡା. ପ୍ରସନ୍ନ ପତିଙ୍କ ପରଲୋକ

Advertisment

କଟକ ମେଡିକାଲ୍ କଲେଜ୍‌ର ପ୍ରଥମ ବ୍ୟାଚ୍‌ ଛାତ୍ର ଥିଲେ

କଟକ ମେଡିକାଲ୍ କଲେଜ୍‌ର ପ୍ରଥମ ବ୍ୟାଚ୍‌ ଛାତ୍ର ଥିଲେ

ଆମେରିକାର ଓଡ଼ିଆ ମନସ୍ତତ୍ତ୍ବବିତ୍‌ ଡା. ପ୍ରସନ୍ନ ପତିଙ୍କ ପରଲୋକ

ସମ୍ବଲପୁର : ଆମେରିକାର ବିଶିଷ୍ଟ ମନସ୍ତତ୍ତ୍ବବିତ୍ ତଥା ବର୍ଷିଆନ୍ ଡାକ୍ତର ପ୍ରସନ୍ନ କୁମାର ପତିଙ୍କର ଗତ ସୋମବାର ୯୬ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସମ୍ବଲପୁର ମୂଳନିବାସୀ ଡା. ପତି ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର୍‌ ପ୍ରଫୁଲ୍ଲ ପତିଙ୍କ ସାନଭାଇ ଓ ପ୍ର. ଶଂକର ପ୍ରସାଦ ପତିଙ୍କ କାକା (ବାପାଙ୍କ ସାନଭାଇ)। ୨ ଦିନ ପୂର୍ବରୁ ତାଙ୍କର ସବା ସାନଭାଇ ସାମ୍ବାଦିକ ଦେବେନ୍ଦ୍ର ନାରାୟଣ ପତିଙ୍କ ମୃତ୍ୟୁ ହୋଇଥିଲା। ଡା. ପ୍ରସନ୍ନ ପତି ଓଡ଼ିଶା ମେଡିକାଲ୍ କଲେଜ୍‌ (ବର୍ତ୍ତମାନର ଏସ୍‌ସିବି ମେଡିକାଲ୍ କଲେଜ୍‌) କଟକର ପ୍ରଥମ ବ୍ୟାଚ୍‌ ଛାତ୍ର ଥିଲେ। ସେ ୧୯୪୨ ମସିହାରେ ପାଟଣା ବିଶ୍ବବିଦ୍ୟାଳୟରୁ ମାଟ୍ରିକ୍ ପାସ୍‌ କରିଥିଲେ। ଓଡ଼ିଶାରେ ତାଙ୍କ ସ୍ଥାନ ଚତୁର୍ଥ ଥିଲା। କଳା ପଢ଼ିବାକୁ ଇଚ୍ଛା ଥିଲେ ବି ଭଲ ଛାତ୍ର ହୋଇଥିବାରୁ ଗୁରୁଜନଙ୍କ ପରାମର୍ଶରେ ସେ ରେଭେନ୍‌ସା ମହାବିଦ୍ୟାଳୟରେ ବିଜ୍ଞାନ ପଢ଼ିଥିଲେ। ସେହି ବର୍ଷ ଭାରତଛାଡ଼ ଆନ୍ଦୋଳନ ବେଳେ ଛାତ୍ରମାନଙ୍କ ପ୍ରଦର୍ଶନର ନେତୃତ୍ବ ନେଇଥିବାରୁ ଅନ୍ୟ ୫୭ ଜଣ ଛାତ୍ରଙ୍କ ସହ ତାଙ୍କୁ କଲେଜ୍‌ରୁ ବହିଷ୍କାର କରା ଯାଇଥିଲା। କିନ୍ତୁ ପରେ ଲିଖିତ କ୍ଷମା ପ୍ରାର୍ଥନା କରିବାରୁ ଅଧ୍ୟକ୍ଷ ଡ. ପ୍ରାଣକୃଷ୍ଣ ପରିଜା ତାଙ୍କୁ ପଢ଼ା ଜାରି ରଖିବାକୁ ଅନୁମତି ଦେଇଥିଲେ।

ପିଏସ୍‌ସି ଦ୍ବାରା ମନୋନୀତ ୨୦ ଜଣ ଛାତ୍ରଙ୍କୁ ଏମ୍‌ବିବିଏସ୍‌ ପଢ଼ିବାର ସୁଯୋଗ ମିଳିଥିଲା। ସେ ୧୯୪୯ରେ ଡାକ୍ତରୀ ପଢ଼ା ଶେଷ କରି ହାଉସ୍‌ ଅଫିସର୍‌ ଭାବେ କାର୍ଯ୍ୟ କରିଥିଲେ। ତାଙ୍କୁ ମିଳୁଥିବା ୧୦୦ ଟଙ୍କା ଷ୍ଟାଇପେଣ୍ଟରୁ ୫୦ ଟଙ୍କା ସେ ବାପାଙ୍କୁ ପଠାଉଥିଲେ ସାନ ଦୁଇଭାଇଙ୍କ ପାଠପଢ଼ାରେ ସାହାଯ୍ୟ କରିବା ପାଇଁ। ୧୯୫୧ରେ ଆମେରିକୀୟ ଓ ଭାରତୀୟ ମେଡିକାଲ୍ ଆସୋସିଏସନ୍ ମଧ୍ୟରେ ଚୁକ୍ତି ହୋଇ ଭାରତୀୟ ଛାତ୍ରଙ୍କୁ ଆମେରିକାରେ ପିଜି କରିବାକୁ ଅନୁମତି ଦିଆଗଲା। ଡା. ପତି ନ୍ୟୁରୋଲଜିରେ ପିଜି ପାଇଁ ଆବେଦନ କରିଥିଲେ ବି ତାଙ୍କୁ ମନସ୍ତତ୍ତ୍ବ ମିଳିଲା। ୧୯୫୨ରେ ସେ ଏକ ଜଳଜାହାଜରେ ଆମେରିକା ଯାତ୍ରା କରିଥିଲେ। ସେଠାରେ ପେନ୍‌ସିଲ୍‌ଭାନିଆର ୱାରେନ୍ ସହରରେ ଏକ ମାନସିକ ଡାକ୍ତରଖାନାରେ ତାଙ୍କୁ ପ୍ରଥମ ନିଯୁକ୍ତି ମିଳିଥିଲା।

ଏହା ପରଠାରୁ ଡାକ୍ତର ପତି ଆଉ କେବେ ପଛକୁ ଫେରି ଚାହିଁ ନାହାନ୍ତି। ଦୀର୍ଘ ବର୍ଷ ଧରି ଆମେରିକାରେ ଡାକ୍ତରୀ ସେବା କରିବା ସହ ସେଠାରେ ସ୍ଥାୟୀ ଭାବେ ବସବାସ କରୁଥିଲେ। ଅବସର ପରେ ଲମ୍ବା ସମୟ ପର୍ଯ୍ୟନ୍ତ ସେ ଅସ୍ଥାୟୀ ଭାବେ ବିଭିନ୍ନ ଚିକିତ୍ସାଳୟରେ ରୋଗୀସେବା କରିବା ସହ ଲେଖାଲେଖି ଓ ବିଭିନ୍ନ ସାମାଜିକ କାର୍ଯ୍ୟରେ ଜଡ଼ିତ ଥିଲେ। ସେ ମଧ୍ୟ ପ୍ରବାସୀ ଭାରତୀୟ ଓ ଆଗ୍ରହୀ ଆମେରିକୀୟଙ୍କୁ ନେଇ ଏକ ସୋସାଇଟି ଗଠନ କରି ହିନ୍ଦୁ ଧର୍ମଗ୍ରନ୍ଥ ଗୁଡ଼ିକ ଉପରେ ଚର୍ଚ୍ଚା କରୁଥିଲେ। ସେ ତିନି ଜଣ ଆମେରିକୀୟ ନର୍ସଙ୍କୁ ପତ୍ନୀ ଭାବେ ଗ୍ରହଣ କରିଥିଲେ। ତାଙ୍କର ଚାରି ସନ୍ତାନସନ୍ତତି ମଧ୍ୟରୁ କେହି ଡାକ୍ତର ହୋଇପାରି ନଥିବାରୁ ଡା. ପତି ନିଜ ଏକ ଲେଖାରେ ଅବସୋସ ବ୍ୟକ୍ତ କରିଛନ୍ତି। ତେବେ ୭୦ ବର୍ଷ ପୂର୍ବରୁ ଓଡ଼ିଶା ଛାଡ଼ିଥିଲେ ବି ସେ ମନପ୍ରାଣରୁ ଜଣେ ଓଡ଼ିଆ ଓ ପୁଣିଥରେ ଜନ୍ମ ହେଲେ ସେହି ପିତାମାତାଙ୍କ କୋଳରେ ସେହି ମାଟିରେ ଜନ୍ମ ନେବାକୁ ଚାହିଁବେ ବୋଲି ଉକ୍ତ ଲେଖାରେ ଉଲ୍ଲେଖ କରିଛନ୍ତି। ଡା. ପତି ସ୍ବର୍ଗତ ମୃତ୍ୟୁଞ୍ଜୟ ପତିଙ୍କ ପୁତ୍ର ଓ ମଧୁସୂଦନ ପତିଙ୍କ ନାତି ଅଟନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe