ମହାନଦୀରେ ଅମୃତ ମହୋତ୍ସବ

ମହାନଦୀରେ ଅମୃତ ମହୋତ୍ସବ

ସମ୍ବଲପୁର: ଦେଶ ସ୍ୱାଧୀନ ହେବାର ୭୫ତମ ବର୍ଷରେ ପଦାର୍ପଣ କରିଛି। ଗତ ୭୫ ବର୍ଷ ଧରି ପ୍ରଗତିଶୀଳ ଭାରତ ଏବଂ ଏହାର ଜନସାଧାରଣ, ସଂସ୍କୃତି ଓ ଉପଲବ୍ଧିର ସମୃଦ୍ଧଶାଳୀ ଇତିହାସର ସ୍ମୃତିଚାରଣ ଓ ଏହାକୁ ପାଳନ କରିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ‘ଆଜାଦି କା ଅମୃତ ମହୋତ୍ସବ’ ଆୟୋଜନ କରାଯାଉଛି। ଘରେ ଘରେ ତ୍ରିରଙ୍ଗା ଲାଗିଛି। ତା ସହିତ ଚାଲିଛି ତ୍ରିରଙ୍ଗା ଶୋଭାଯାତ୍ରା। ଏହି ଅବସରରେ ସମ୍ବଲପୁର ନିଆରା ଢଙ୍ଗରେ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରାଯାଉଥିବା ଦେଖିବାକୁ ମିଳିଛି।

ସମ୍ବଲପୁର ଦଳାଇପଡାର କିଛି ଯୁବକ ଦୁସାହସିକତା ପ୍ରଦର୍ଶନ କରି ପୂର୍ଣ୍ଣ ଗର୍ଭା ମହାନଦୀରେ ପହଁରି ତ୍ରିରଙ୍ଗା ଉଡ଼ାଇଛନ୍ତି। ହୀରାକୁଦର ୩୪ଟି ଗେଟ୍‌ ଖୋଲା ଯାଇଥିବା ବେଳେ ମହାନଦୀ ପୂର୍ଣ୍ଣଗର୍ଭା ହୋଇଛି। ଏହି ଅବସରରେ ରବିବାର ଦିନ ୧୧ଟା ୩୦ ସମୟରେ ଏହି ଯୁବକମାନେ ସମଲେଇ ମନ୍ଦିର ଘାଟରୁ ତ୍ରିରଙ୍ଗା ଧରି ପହଁରା ଆରମ୍ଭ କରିଥିଲେ। ପହଁରିବା ବେଳେ ତ୍ରିରଙ୍ଗାକୁ ଉଡ଼ାଇବା ସହ ‘ଭାରତ ମାତା କି ଜୟ’ ନାରା ଦେଇଥିଲେ। ମହାନଦୀ କୂଳ ରିଙ୍ଗ୍‌ ରୋଡ୍‌ରେ ଛିଡ଼ା ହୋଇଥିବା ଲୋକେ ଓ କୁନିକୁନି ପିଲାମାନେ ସେମାନଙ୍କ ନାରା ସହ ତାଳ ଦେଇ ସ୍ଲୋଗାନ ଦେଇଥିଲେ। ତ୍ରିରଙ୍ଗା ଧରି ଯୁବକମାନେ ସମଲେଇ ଘାଟରୁ ଚାଉଁରପୁର ବ୍ରିଜ୍‌ ପର୍ଯ୍ୟନ୍ତ ଆସିଥିଲେ। ଯୁବକମାନେ କହିଛନ୍ତି, ହୀରାକୁଦ ଗେଟ୍‌ ଖୋଲିଲେ ପ୍ରତିବର୍ଷ ନଦୀରେ ପହଁରନ୍ତି। ତେବେ ବର୍ତ୍ତମାନ ସାରା ଦେଶ ‘ଆଜାଦି କା ଅମୃତ ମହୋତ୍ସବ’ ପାଳନ କରିଥିବାରୁ ସେମାନେ ମଧ୍ୟ ନିଆରା ଢଙ୍ଗରେ ପାଳନ କରିବା ପାଇଁ ଏହି ଉପାୟ ବାଛିଥିଲେ ଏବଂ ଟ୍ୟୁବ୍‌ ସହ ଜାତୀୟ ପତାକା ଧରି ସମସ୍ତେ ପହଁରିଥିଲେ। ଯାହାକୁ କରତାଳିର ସହ ରିଙ୍ଗ୍‌ରୋଡ୍‌ରେ ଥିବା ଲୋକେ ସ୍ବାଗତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe