Update Odisha
କଟକ : ଗାଁଠୁ ଆରମ୍ଭ କରି ସହର ଯାଏ ସବୁଠି ଭେଜାଲ ସାମଗ୍ରୀ କାରବାର ସୀମା ଟପିଲାଣି। କଟକ ଜିଲ୍ଲାର ୧୪ଟି ବ୍ଲକ୍ର ୨୦ ଲକ୍ଷରୁ ଅଧିକ ଲୋକଙ୍କ ଖାଦ୍ୟ ସୁରକ୍ଷା ଦାୟିତ୍ବରେ ମାତ୍ର ଜଣେ ଅଧିକାରୀ। ତାଙ୍କୁ ସହଯୋଗ କରିବାକୁ ବି ମାତ୍ର ୩ ଜଣ କର୍ମଚାରୀ। କେବଳ ଅଭିଯୋଗ ଆସିଲେ ଚଢ଼ଉ କରାଯାଏ ଓ ପ୍ରତି ମାସରେ ସରକାରଙ୍କୁ ଦେଖାଇବା ପାଇଁ କେବଳ ନମୁନା ସଂଗ୍ରହ ଏକ ନିୟମିତ ପ୍ରକ୍ରିୟା ଥିବାରୁ ଏହାକୁ ବାଦ୍ ଦେଲେ ସେଭଳି କୌଣସି ଯାଞ୍ଚ ବା ଚଢ଼ଉ ଜିଲ୍ଲାରେ ହେଉନି।
କଟକ ସହରାଞ୍ଚଳ ସମସ୍ୟା ବି ସମାନ। ସହରାଞ୍ଚଳର ୭ ଲକ୍ଷ ଲୋକଙ୍କ ପାଇଁ ଅଛନ୍ତି ମାତ୍ର ଜଣେ ଖାଦ୍ୟ ସୁରକ୍ଷା ଅଧିକାରୀ। ସିଏ ପୁଣି ଭୁବନେଶ୍ବର ଦାୟିତ୍ବରେ ବି ଅଛନ୍ତି। କେବଳ ବର୍ଷକ ଭିତରେ ୯ ଶହରୁ ୧୨ଶହ ଭିତରେ ଫୁଡ୍ ସେଫ୍ଟି ଲାଇସେନ୍ସ ୧୪ଟି ବ୍ଲକ୍ରେ ପ୍ରଦାନ କରାଯାଇଛି। ଅର୍ଥାତ ବ୍ଲକରେ ହାରାହାରି ଭାବେ ଶହେ ସଂସ୍ଥା ବି ଖାଦ୍ୟ ସାମଗ୍ରୀ ବ୍ୟବସାୟରେ ନାହାନ୍ତି। ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ରାକେଶ ସାହୁ କିନ୍ତୁ କହିଛନ୍ତି, ପ୍ରତି ମାସରେ ବିଭିନ୍ନ ସ୍ଥାନରୁ ନମୁନା ସଂଗ୍ରହ କରାଯାଉଛି। ଅଭିଯୋଗ ଆସିଲେ ଯାଞ୍ଚ ମଧ୍ୟ କରାଯାଉଛି।
Follow Us