‘ଅମ୍ଫାନ୍’ ପାଇଁ ଅତିରିକ୍ତ ୧୨୮ କୋଟି ଟଙ୍କା

Advertisment
‘ଅମ୍ଫାନ୍’ ପାଇଁ ଅତିରିକ୍ତ ୧୨୮ କୋଟି ଟଙ୍କା

Image Source: India Today

ପଶ୍ଚିମବଙ୍ଗକୁ ମିଲିଲା ୨୭୦୮ କୋଟି ଟଙ୍କା
ପୂର୍ବରୁ ଓଡ଼ିଶାକୁ ମୋଦୀ ଦେଇଥିଲେ ୫୦୦ କୋଟି
ଓଡ଼ିଶା ବର୍ଷା ଓ ବନ୍ୟା ସହାୟତା ବିଚାରାଧୀନ
ଟ୍ବିଟ୍‌ରେ ମୋଦୀ, ଶାହଙ୍କୁ କୃତଜ୍ଞତା ଜଣାଇଲେ ଧର୍ମେନ୍ଦ୍ର

ଭୁବନେଶ୍ୱର/ନୂଆଦିଲ୍ଲୀ : ଓଡ଼ିଶା ସମେତ ୬ଟି ରାଜ୍ୟ ପାଇଁ କେନ୍ଦ୍ର ସରକାର ଆଜି ପ୍ରାକୃତିକ ବିପର୍ଯ୍ୟୟ ସହାୟତା ଘୋଷଣା କରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ମୋଟ ୪ ହଜାର ୩୮୧ କୋଟି ୮୮ଲକ୍ଷ ଟଙ୍କା ଅନୁମୋଦନ କରାଯାଇଥିବା ବେଳେ ଏଥିରେ ଅମ୍ଫାନ୍ ବାତ୍ୟା ପାଇଁ ଓଡ଼ିଶାକୁ ଅତିରିକ୍ତ ୧୨୮ କୋଟି ୨୩ଲକ୍ଷ ଟଙ୍କା ଦିଆଯାଇଛି। ଅନ୍ୟପକ୍ଷରେ ଏହି ବାତ୍ୟା ସହାୟତା ବାବଦରେ ପଶ୍ଚିମବଙ୍ଗକୁ ୨୭୦୭ କୋଟି ୭୭ଲକ୍ଷ ଟଙ୍କା ଦିଆଯାଇଛି। ତେେବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହରେ ହୋଇଥିବା ଭୀଷଣ ବର୍ଷା ଏବଂ ବନ୍ୟା ଜନିତ କ୍ଷୟକ୍ଷତି ପାଇଁ ଅନ୍ୟ ରାଜ୍ୟକୁ ସହାୟତା ଦିଆଯାଇଛି। ହେଲେ ଓଡ଼ିଶା ପ୍ରସ୍ତାବ ଏଥିରେ ସ୍ଥାନ ପାଇନାହିଁ।

ମେ’ ମାସ ୨୦ ତାରିଖରେ ହୋଇଥିବା ବାତ୍ୟା ଅମ୍ଫାନ୍ ପଶ୍ଚିମବଙ୍ଗ ଉପକୂଳରେ ସ୍ଥଳଭାଗ ଛୁଇଁଥିଲା। ଏଥିରେ ଓଡ଼ିଶାର ୧୦ଟି ଜିଲ୍ଲା ଅର୍ଥାତ୍ ବାଲେଶ୍ବର, ଭଦ୍ରକ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, କେନ୍ଦୁଝର, ଖୋର୍ଧା, ମୟୂରଭଂଜ ଏବଂ ପୁରୀ ଗଭୀର ଭାବେ ପ୍ରଭାବିତ ହୋଇଥିଲା। ଏସବୁ ଜିଲ୍ଲା ଅନ୍ତର୍ଗତ ୯୭ଟି ବ୍ଲକ କ୍ଷତିଗ୍ରସ୍ତ ହୋଇଥିଲେ।

ବାତ୍ୟା ଅମ୍ଫାନ୍ ରିଲିଫ୍ ଓ ପୁନଃନିର୍ମାଣ ବାବଦରେ ରାଜ୍ୟ ସରକାର କେନ୍ଦ୍ରକୁ ୨୦୨ କୋଟି ଟଙ୍କାର ଏକ ସ୍ମାରକ ପତ୍ର ଦେଇଥିଲେ। ପରେ ବାତ୍ୟା ମୁକାବିଲା ସଂକ୍ରାନ୍ତ ସ୍ଥାୟୀ ଭିତ୍ତିଭୂମି ବାବଦରେ କେନ୍ଦ୍ର ସରକାରଙ୍କୁ ରାଜ୍ୟ ପକ୍ଷରୁ ୧୬ ହଜାର ୩୨ େକାଟି ୮୩ଲକ୍ଷ ଟଙ୍କାର ଏକ ଦାବି ପତ୍ର ଦିଆଯାଇଥିଲା।

ଆଜି ଶ୍ରୀ ଶାହଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏହା ଉପରେ ବିଚାର କରି ଓଡ଼ିଶାର ମୂଳ ପ୍ରସ୍ତାବ ଆଧାରରେ ସହାୟତା ଦେଇଛନ୍ତି। ତେବେ ଭିତ୍ତିଭୂମି ବାବଦରେ ରାଜ୍ୟ ସରକାରଙ୍କ ଆବେଦନ ଉପରେ କୌଣସି ନିଷ୍ପତ୍ତି ହୋଇନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅମ୍ଫାନ୍ କ୍ଷୟକ୍ଷତି ଅନୁଧ୍ୟାନ ପାଇଁ େମ’ ୨୨ ତାରିଖରେ ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ। ସେବେ ପଶ୍ଚିମବଙ୍ଗକୁ ୧୦୦୦ କୋଟି ଏବଂ ଓଡ଼ିଶାକୁ ୫୦୦ କୋଟି ଟଙ୍କା ଟଙ୍କା ଅଗ୍ରୀମ ସହାୟତା ଘୋଷଣା କରିଥିଲେ।

ଏହି କ୍ରମରେ ଆଜିର ବୈଠକରେ ମହାରାଷ୍ଟ୍ରକୁ ବାତ୍ୟା ନିତ୍ସର୍ଗ ପାଇଁ ୨୬୮.୫୯ କୋଟି ଟଙ୍କାର ଆର୍ଥିକ ସହାୟତାର ଘୋଷଣା କରାଯାଇଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜନିତ ବର୍ଷା ଓ ବନ୍ୟା ପାଇଁ ଉଚ୍ଚସ୍ତରୀୟ କମିଟି କର୍ଣ୍ଣାଟକକୁ ୫୭୭.୮୪ କୋଟି, ମଧ୍ୟପ୍ରଦେଶକୁ ୬୧୧.୬୧ କୋଟି ଟଙ୍କା ଓ ସିକିମ୍‌କୁ ୮୭.୮୪ କୋଟି ଟଙ୍କାର ସହାୟତା ରାଶିକୁ ଅନୁମୋଦନ କରିଛନ୍ତି।

ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏହି ଅତିରିକ୍ତ ସହାୟତା ପାଇଁ ଟ୍ବିଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଛନ୍ତି। କହିଛନ୍ତି ଯେ ଏହି ଆର୍ଥିକ ସହାୟତା ଓଡ଼ିଶାକୁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଏବଂ ବାତ୍ୟା ପରବର୍ତ୍ତୀ ସଙ୍କଟ ସମୟରେ ଲଢ଼ିବା ପାଇଁ ସହାୟକ ହେବ। ପ୍ରଧାନମନ୍ତ୍ରୀ ଓଡ଼ିଶାର କଠିନ ସମୟରେ ସର୍ବଦା ଓଡ଼ିଆ ଲୋକଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ଛିଡ଼ା ହୋଇଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe