ପୋଲ ନଥିବାରୁ ଗାଁ’କୁ ଆସିପାରିଲାନି ଆମ୍ବୁଲାନ୍ସ: ଖଟିଆରେ ବୁହା ହୋଇ ନଦୀ ପାର ହେଲେ ଗୁରୁତର ବୃଦ୍ଧା

ପୋଲ ନଥିବାରୁ ଗାଁ’କୁ ଆସିପାରିଲାନି ଆମ୍ବୁଲାନ୍ସ: ଖଟିଆରେ ବୁହା ହୋଇ ନଦୀ ପାର ହେଲେ ଗୁରୁତର ବୃଦ୍ଧା

ଭବାନୀପାଟଣା: ସ୍ୱାଧୀନତାର ୭ ଦଶନ୍ଧି ପରେ ବି କଳାହାଣ୍ଡି ଜିଲ୍ଲାର ବହୁ ଗ୍ରାମାଞ୍ଚଳକୁ ସବୁଦିନିଆ ରାସ୍ତା ନାହିଁ। ଅନେକ ନଦୀରେ ପୋଲ ନଥିବାରୁ ଲୋକଙ୍କ ଗମନାଗମନରେ ଘୋର ବାଧା ସୃଷ୍ଟି ହେଉଛି। ଅଧିକାଂଶ ସମୟରେ ରୋଗୀଙ୍କୁ ଖଟିଆରେ ବୋହି ଡାକ୍ତରଖାନା ନିଆଯିବା ଭଳି ଘଟୁଥିବା ଘଟଣା ଏହି ଜିଲ୍ଲାରେ ନିତିଦିନିଆ ହୋଇଗଲାଣି। ଶନିବାର ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଥୁଆମୂଳ ରାମପୁର ବ୍ଲକ ତଲଝାପି ପଞ୍ଚାୟତ ଖମନପଡ଼ା ଗାଁ’ରେ।

ପ୍ରାପ୍ତ ସୂଚନାନୁସାରେ ଗାଁ’ର ଚନ୍ଦ୍ରିକା ଗଉଡ଼ (୭୦ବର୍ଷ) ଆଜି ଅପରାହ୍‌ଣରେ ଘରେ ପଡ଼ି ଗୁରୁତର ଭାବେ ଆହତ ହୋଇଥିଲେ। ତେଣୁ ତାଙ୍କୁ ଡାକ୍ତରଖାନା ନେବାକୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଖବର ଦେଲେ। ମାତ୍ର ଗାଁ’କୁ ଯିବାକୁ ସବୁଦିନିଆ ରାସ୍ତା ନ ଥିବା ବେଳେ ମଝିରେ ପଡୁଥିବା ବାଲିଯୋର ନଦୀରେ ପୋଲ ନାହିଁ। ତେଣୁ ଆମ୍ବୁଲାନ୍ସ ଦେର୍ଲା ଛକ ପର୍ଯ୍ୟନ୍ତ ଆସି ଅଟକି ରହିଲା। ପରିବାର ଓ ସମ୍ପର୍କୀୟମାନେ ଚନ୍ଦ୍ରିକାଙ୍କୁ ଖଟିଆରେ କାନ୍ଧେଇ ନଦୀ ପାର କରି ପ୍ରାୟ ୫ କିଲୋମିଟର ଆଣିଥିଲେ। ଦେର୍ଲା ଛକରୁ ତାଙ୍କୁ ଆମ୍ବୁଲାନ୍ସରେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଗାଁ’କୁ ରାସ୍ତା ନଥିବାରୁ ବର୍ଷ ବର୍ଷ ହେଲା ଖମନପଡ଼ାବାସୀ ଦହଗଞ୍ଜ ହେଉଛନ୍ତି। ବର୍ଷା ଋତୁରେ ନଦୀରେ ବନ୍ୟା ଆସିଲେ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼େ। ଏ ନେଇ ଅନେକ ଥର ଦୃଷ୍ଟି ଆକର୍ଷଣ ସ​ତ୍ତ୍ବେ ପ୍ରଶାସନ କି ଅଞ୍ଚଳର ଜନ ପ୍ରତିନିଧି କର୍ଣ୍ଣପାତ କରୁ ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe